ନାବାଳକକୁ ଗୋଇଠା ମାରିବା ଘଟଣା: ଦୁଇ ହୋମ୍‌ଗାର୍ଡ ବହିଷ୍କୃତ, ଜଣେ ନିଲମ୍ବିତ

ଏସ୍‌ପିଓଙ୍କର ବି ଚାକିରି ଗଲା

ଭୁବନେଶ୍ବର : ଗତ ୧ ତାରିଖରେ କେଶୁରାରେ କୋଭିଡ୍‌ କଟକଣା ନ ମାନି ଦୋକାନ ଖୋଲିଥିବା ଜଣେ ନାବାଳକକୁ ଠିଆ ଗୋଇଠା ମାରିବା ଘଟଣାରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ପିସିଆର ଭ୍ୟାନ୍‌ ଚାଳକ ଅଜୟ ବିଶ୍ବାଳଙ୍କ ସମେତ ଆଉ ଜଣେ ହୋମ୍‌ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏମାନଙ୍କୁ ସହଯୋଗ କରିଥିବା ଆଉ ଜଣେ ହୋମ୍‌ଗାର୍ଡ ନିଲମ୍ବିତ ହୋଇଥିବାବେଳେ ପିସିଆର୍‌ ଦାୟିତ୍ବରେ ଥିବା ସ୍ପେସାଲ ପୁଲିସ ଅଫିସର(ଏସ୍‌ପିଓ)ଙ୍କୁ ଡିସିପିଙ୍କ ସୁପାରିସ କ୍ରମେ ପୁଲିସ କମିସନର ବହିଷ୍କୃତ କରିଛନ୍ତି।

ଗତ ୧ ତାରିଖରେ କେଶୁରା ଅଞ୍ଚଳରେ କଟକଣା ନ ମାନି ଦୋକାନ ଖୋଲିଥିବା ଖବର ପାଇ ୨୯ ନମ୍ବର ପିସିଆର ଭ୍ୟାନ୍‌ ଅପରାହ୍‌ଣ ସାଢ଼େ ୩ଟା‌ ବେଳେ ପହଞ୍ଚିଥିଲା। ଦୋକାନ ଖୋଲା ଥିବାରୁ ପିସିଆର ଭ୍ୟାନ୍‌ ଚାଳକ ଅଜୟ ବିଶ୍ବାଳ ନାବାଳକ ଦୋକାନୀକୁ ଗୋଇଠା ମାରିଥିଲେ। ଅନ୍ୟ ଦୁଇଜଣ କର୍ମଚାରୀ ଏକ ବ୍ୟାଗ୍‌ରେ ଦୋକାନରୁ ବିସ୍କୁଟ ଓ କ୍ଷୀର ନେଇ ଆସିଥିଲେ। ଏହିସବୁ ଦୃଶ୍ୟ ସିସିଟିଭିରେ କଏଦ୍‌ ହେବା ପରେ ଭାଇରାଲ୍‌ ହୋଇଥିଲ। ଖବର ପ୍ରଚାରିତ ହେବା ପରେ ପିସିଆର୍ ଚାଳକ ଅଜୟ ବିଶ୍ବାଳଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା। ଏଥିରେ ଅନ୍ୟ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବା ପାଇଁ ଏସିପିଙ୍କୁ ଦାୟିତ୍ବ ଦିଆଯାଇଥିଲା। ଅନ୍ୟପକ୍ଷରେ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଇଛ ସେ ନେଇ ରିପୋର୍ଟ ଦେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଡିସିପିଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର