ଷ୍ଟେସନ୍‌ରୁ ଶିଶୁପୁତ୍ର ନିଖୋଜ ଘଟଣା : ଅପହରଣକାରୀ ମହିଳା ଗିରଫ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନିଖୋଜ ବିହାରୀ ଶିଶୁପୁତ୍ର ଉଦ୍ଧାର ହେବା ପରେ ଖାରବେଳନଗର ଥାନା ପୁଲିସ ଆଜି ଅପହର୍ତ୍ତାକୁ ଗୋଳନ୍ଥରାରୁ ଗିରଫ କରିଛି। ସେ ହେଲେ, ଜିତା ପାଲ୍‌। ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମରେ। ଗୋଳନ୍ଥରା ପୁଲିସ ଗତକାଲି ଅପହର୍ତ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଖାରବେଳନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଆଣିବା ପରେ କୋର୍ଟଚାଲାଣ କରିଥିଲା। ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ତାକୁ ଜାମିନ୍‌ ମିଳି ଯାଇଛି।

ତେବେ ନିଖୋଜ ଶିଶୁପୁତ୍ରର ପିତା ଅରୁଣ ଖରାର୍‌ ଆଜି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ମାଷ୍ଟରକ୍ୟାଣ୍ଟିନ୍‌ ନୁହେଁ, ବରଂ ଷ୍ଟେସନ୍‌ ପରିସରରୁ ତାଙ୍କ ପୁଅ ନିଖୋଜ ହୋଇଥିଲା। ଅରୁଣ ଏନେଇ ଜିଆର୍‌ପି ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ଏତଲା ରଖି ନ ଥିଲା। ଏଠାରେ ଏତଲା ଦେଲେ ଷ୍ଟେସନ୍‌ ପରିସରରେ ରହିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲା। ବାହାରେ ରହିବାକୁ ପଇସା ନ ଥିବାରୁ ସେ ବାଧ୍ୟ ହୋଇ ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଅ ନିଖୋଜ ହୋଇଥିବା ନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ଅରୁଣଙ୍କ ଏଭଳି ବୟାନ ଜିଆର୍‌ପି ପୁଲିସକୁ ବିବାଦକୁ ଆଣିଛି। ଅପରପକ୍ଷେ ଏ ସଂକ୍ରାନ୍ତରେ ଜିଆର୍‌ପି ଅଧିକାରୀ ଭାରତ ସାହୁ କହିଛନ୍ତି, ଏନେଇ ରେଳବାଇ ଥାନାରେ କେହି ଲିଖିତ ଅଭିଯୋଗ କରିନାହାନ୍ତି।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜିତାଙ୍କ ବାପଘର ପୁରୀ କଣାସରେ ହୋଇଥିବା ବେଳେ ସେ ନୟାଗଡ଼ର କଣ୍ଟିଲୋ‌ରେ ବିବାହ କରିଥିଲେ। ତାଙ୍କର ସ୍ବାମୀଙ୍କ ମୃତ୍ୟୁ ପରେ ସେ ଗୋଳନ୍ଥରାର ଚେରମୂଳି ଔଷଧ କାରବାର କରୁଥିବା ଜଣେ ଲୋକଙ୍କ ପାଖରେ ରହୁଥିଲେ। ଗତ ୮ ତାରିଖ ଦିନ‌ ସେ କଣ୍ଟିଲୋସ୍ଥିତ ତାଙ୍କ ଶାଶୂଘରୁ ଫେରୁଥିବା ବେଳେ ଷ୍ଟେସନରେ ଶିଶୁପୁତ୍ର କାନ୍ଦୁଥିବା ଦେଖି ତାକୁ ନେଇ ଯାଇଥିଲେ।

‘ସମ୍ବାଦ’ରେ ଶିଶୁପୁତ୍ର ଅପହରଣ ଖବର ପ୍ରକାଶ ପାଇବା ପରେ ଗ୍ରାମବାସୀ ତାଙ୍କୁ ଘେରିଥିଲେ। ତେଣୁ ସେ ଟ୍ରେନ୍‌ରେ ଆସି ଶିଶୁପୁତ୍ରକୁ ଭୁବନେଶ୍ୱର ଷ୍ଟେସନ୍‌ରେ ଛାଡ଼ି ଚାଲି ଯାଇଥିଲେ। ସୂଚନା ମୁତାବକ, ବିହାର ମୁଜାଫରପୁର ତେରିଆରର ଅରୁଣ ତିନି ପିଲାଙ୍କ ସହ ପୁରୀ ବୁଲି ଆସିଥିଲେ। ଗତ ୮ ତାରିଖ ଦିନ ପୁରୀରୁ ଫେରି ଟ୍ରେନ୍‌ରେ ବିହାର ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିବା ବେଳେ ୩ ବର୍ଷର ଶିଶୁପୁତ୍ର ଆଦର୍ଶ ନିଖୋଜ ହୋଇଯାଇଥିଲା‌।

ସମ୍ବନ୍ଧିତ ଖବର