ଚାକିରି ଦେବା ନାଁରେ ଠକେଇ, ମହିଳା ଗିରଫ

ମହିଳା ପୁଲିସ୍‌ଙ୍କୁ ଅସଦାଚରଣ, ୩ ଅଟକ

ଭୁବନେଶ୍ୱର : ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ବିଏସ୍‌ଏନ୍‌ଏଲ୍‌‌ର ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ସେ ହେଉଛନ୍ତି, ବାଲେଶ୍ବରର ଯମୁନା ମଡ଼େଇ। ସେ ଏଠାରେ ୟୁନିଟ-୪ରେ ଥିବା କ୍ବାର୍ଟର୍ସ ପରିସରରେ ରହୁଥିଲେ। ଯମୁନା ବିଏସ୍‌ଏନ୍‌ଏଲ୍‌ରେ ଚାକିରି କରାଇ ଦେବାକୁ କହି ୪ଜଣଙ୍କଠାରୁ ୨୦୧୮ ମସିହାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ହେଲେ ଚାକିରି ଦେଉନଥିଲେ। ଆଜିକାଲି କହି ଦିନ ଗଡ଼େଇ ଚାଲିଥିଲେ। ଏଥିରେ ବ୍ୟଥିତ ହୋଇ ଭୁବନେଶ୍ବରର ମହେଶ କୁମାର ସାମଲ ଥାନାର ଦ୍ବାରସ୍ଥ ହୋଇଥିଲେ। ମହେଶ ପ୍ରଥମ ପର୍ଯ୍ୟାୟରେ ଯମୁନାଙ୍କୁ ୧୬ହଜାର ଟଙ୍କା ଦେଇଥିଲେ। ପରେ ନିଯୁକ୍ତିପତ୍ର ନେବା ବେଳେ ୫୦ହଜାର ଟଙ୍କା ଦେଇଥାନ୍ତେ ବୋଲି କଥା ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଯମୁନା ଏକାଧିକଙ୍କଠାରୁ ଠକେଇ କରିଥିବା ଜାଣିବାକୁ ପାଇଥିଲା। ପ୍ରମାଣ ପାଇବା ପରେ ପୁଲିସ ଆଜି କ୍ବାର୍ଟର୍ସରେ ଚଢ଼ଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମହିଳା ପୁଲିସ୍‌ଙ୍କୁ ଅସଦାଚରଣ, ୩ ଅଟକ

ଭୁବନେଶ୍ୱର : ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ତିନିଜଣଙ୍କୁ ଅଟକ ରଖିଛି। ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି। ତେବେ ଏହି ଘଟଣାରେ ଅନ୍ୟ କେତେଜଣ ଫେରାର୍‌ ଥିବାରୁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଆଜି ରାତିରେ ଖାରବେଳନଗର ଥାନା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବ୍ଲକିଂ ଚାଲିଥିଲା। ସେଠାରେ ଅଭିଯୋଗକାରିଣୀ ମହିଳା କର୍ମଚାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ବାଇକ୍‌ ଯାଞ୍ଚ କରୁଥିଲେ। ସେତିକିବେଳେ ବିନା ହେଲ୍‌ମେଟ୍‌ରେ ଦୁଇଜଣ ଯୁବକ ବ୍ଲକିଂରେ ନ ଅଟକି ଫେରାର ହୋଇଯାଇଥିଲେ। ତେଣୁ ମହିଳା କର୍ମଚାରୀଙ୍କ ସହ ଅନ୍ୟ ଜଣେ ପିଛା କରିଥିଲେ। ମାତ୍ର ସେମାନଙ୍କୁ ନପାଇ ରାଜମହଲ ଛକରୁ ଫେରିବା ବେଳେ ତିନିଜଣ ଯୁବକ ଏକ ବାଇକ୍‌ରେ ପଛପଟୁ ଦ୍ରୁତ ଗତିରେ ଆସି ପୁଲିସ୍‌ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିଥିଲେ। ଅଟକାଇବାରୁ ସେମାନେ ମହିଳା ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ପୁଲିସ କର୍ମଚାରୀ ତିନିଜଣଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର