କରୋନାରେ କାମ କରାଇ ମଜୁରି ଦେଲାନି ଠିକାଦାର, ଥାନାର ଦ୍ବାରସ୍ଥ ହେଲେ ମହିଳା

ଭୁବନେଶ୍ବର : ମହାମାରୀ କରୋନା ଦ୍ବିତୀୟ ଲହରିରେ ପୁଣି ତାଣ୍ଡବ ରଚିବା ଆରମ୍ଭ କରିଥିବା ବେଳେ ଏବେ ଦିନ ମଜୁରିଆଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ସଂକ୍ରମଣ ହଠାତ୍ ଏପ୍ରିଲ୍ ମାସରେ ଦ୍ରୁତଗତିରେ ବଢ଼ୁଥିବାରୁ ଶ୍ରମିକଙ୍କୁ କାମ ମିଳୁନାହିଁ। ଆର୍ଥିକ ଅନଟନର ଶିକାର ଜଣେ ମହିଳା ଶ୍ରମିକଙ୍କୁ ଠିକାଦାର ପ୍ରାୟ ୨ମାସର ମଜୁରି ଦେଉନାହାନ୍ତି। ଆଜି ଦେବ କାଲି ଦେବ ବୋଲି କହି ନିର୍ଦ୍ଦୟ ଠିକାଦର ୪ମାସ ହେବ ଭୂତାଇ ଚାଲିଥିବାରୁ ବାଧ୍ୟ ହୋଇ ସେ ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

୪ମାସ ତଳେ ଡୁମୁଡୁମାର ଜ୍ୟୋତ୍ସ୍ନା ଦାସଙ୍କୁ ସୁଜାତାନଗର ଅଞ୍ଚଳରେ ରହୁଥିବା ଠିକାଦାର ପ୍ରସନ୍ନ କାମ କରାଇବାକୁ ଡାକିଥିଲେ। ଦିନକୁ ୪୫୦ ଟଙ୍କା ହିସାବରେ ଯାଁଳା ଅଞ୍ଚଳରେ ଏକ ଡ୍ରେନ୍ ତିଆରି କାମରେ ମାସାଧିକ କାଳ କାମରେ ଲଗାଇଥିଲେ। କାମ ଶେଷ ହେବା ପରେ ତାଙ୍କୁ ପଟିଆ ନେଇ ସେଠାରେ ଏକ କୋଠା ନିର୍ମାଣ କରିବାରେ ନିୟୋଜିତ କରିଥିଲେ। ସେଠାରେ ମଧ୍ୟ ପ୍ରାୟ ମାସେ ପର୍ଯ୍ୟନ୍ତ ସେ ପ୍ରସନ୍ନଙ୍କ ଅଧୀନରେ ରହି କାମ କରିଥିଲେ। କାମ ଶେଷ ହେବା ପରେ ଜ୍ୟୋତ୍ସ୍ନା ଠିକାଦାର ପ୍ରସନ୍ନଙ୍କୁ ଟଙ୍କା ମାଗିବାରୁ ସେ ବିଲ୍ ମିଳି ନଥିବା କହି ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲେ। କେବଳ ଜ୍ୟୋତ୍ସ୍ନା ନୁହେଁ, ତାଙ୍କ ପରିବାରର ସନ୍ତୋଷ ଓ ଅମୂଲ୍ୟଙ୍କୁ ମଧ୍ୟ ପ୍ରସନ୍ନ ଯାଁଳାରେ ମାସେ ପର୍ଯ୍ୟନ୍ତ କାମ କରାଇ ଟଙ୍କା ଦେଇ ନଥିବା ସେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ କରୋନା ପରିସ୍ଥିତିରେ କାମ ସହଜରେ ମିଳୁ ନଥିବାରୁ ଜ୍ୟୋତ୍ସ୍ନାଙ୍କର ଚଳିବା ପାଇଁ ବହୁତ ଅସୁବିଧା ହେଉଛି। ଏଭଳି ପରିସ୍ଥିତି‌ରେ ସେ ଠିକାଦାରଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ ହେଁ ପ୍ରସନ୍ନ ତାଙ୍କୁ ଟଙ୍କା ଦେଉନଥିବା କହିଛନ୍ତି। ତେଣୁ ଜ୍ୟୋତ୍ସ୍ନା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନା‌ରେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର