ଭୁବନେଶ୍ୱର : ପଡ଼ୋଶୀ ତାଙ୍କ ଘର ଓ ଜମିକୁ ୩ ବର୍ଷ ହେବ ଜବରଦଖଲ କରି ରଖିଛନ୍ତି। ଏ ନେଇ ଜଣେ ମହିଳା ସ୍ଥାନୀୟ ଥାନାଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସ୍ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଲ୍ଲାପାଳ ଓ ଏସ୍ପି ସ୍ଥାନୀୟ ଥାନା ଇନ୍ସପେକ୍ଟରଙ୍କୁ ଘଟଣାର ତଦନ୍ତ କରି ମାମଲା ସମାଧାନ କରିବାକୁ ନିର୍ଦେଶ ଦେବା ସତ୍ତ୍ୱେ ପୁଲିସ କିଛି ବି ପଦକ୍ଷେପ ଗ୍ରହଣ କରୁନାହିଁ। ଏହା ପରେ ସେ ୩ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଆସୁଛନ୍ତି। ଏଠାରେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି। ଶେଷରେ ନିରାଶ ହୋଇ ସଂପୃକ୍ତ ମହିଳା ବେକରେ ଓଢ଼ଣି ବାନ୍ଧି ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଛି। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକ ହେଲେ ରଜନୀରାଣୀ ଦାସ। ଘର ଖୋର୍ଧା ଜିଲ୍ଲା ନିରାକାରପୁର ଥାନା ଅଧୀନ ନନ୍ଦପଡ଼ାରେ। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଅପରାହ୍ଣରେ ରଜନୀଙ୍କ ଝିଅକୁ ପୁଲିସ ଭୁବନେଶ୍ୱର ଡକାଇ ତାଙ୍କ ଜିମାରେ ଘରକୁ ପଠାଇ ଦେଇଛି।
ରଜନୀଙ୍କ ଅଭିଯୋଗ ଯେ, ପଡ଼ୋଶୀ ଜଣଙ୍କ ତାଙ୍କ ଘର ଓ ଜମିକୁ ଜବରଦଖଲ କରି ରଖିଛନ୍ତି। ଏ ନେଇ ସେ ନିରାକାରପୁର ଥାନା, ଖୋର୍ଧା ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟି ସାରିଛନ୍ତି। କିନ୍ତୁ କେଉଁଠି ବି ତାଙ୍କୁ ନ୍ୟାୟ ମିଳିନାହିଁ। ଶେଷରେ ଅନେକ ଆଶା ବାନ୍ଧି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ୩ ବର୍ଷ ହେବ ସେ ଆସିବା ପରେ ମଧ୍ୟ ତାଙ୍କ ନ୍ୟାୟ ମିଳି ପାରିଲା ନାହିଁ ବୋଲି କହିଛନ୍ତି। ଶେଷରେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ।
ଏ ସମ୍ପର୍କରେ କ୍ୟାପିଟାଲ ଥାନାଧିକାରୀ ତଥା ଏସିପି ମାନସ ଗଡ଼ନାୟକ କହିଛନ୍ତି, ସଂପୃକ୍ତ ମହିଳା ସେହି ଘରେ ଭଡ଼ାରେ ଥିଲେ। ପରେ ସେହି ଘରକୁ ନିଜର କହି ଦାବି କରୁଛନ୍ତି। ଏ ନେଇ ସେହି ଘର ମାଲିକଙ୍କ ବିରୋଧରେ ଥାନାରେ ମିଥ୍ୟା ଅଭିଯୋଗ କରିଛନ୍ତି।