୩ ଶିଶୁଙ୍କୁ ଧରି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ମିନତିଙ୍କ ପାଇଁ ନୂଆ ଜୀବନ ପାଇଲେ ମାମାଜିନୀ

ଭୁବନେଶ୍ବର: ୩ ଛୁଆଙ୍କୁ ଧରି ବରମୁଣ୍ଡା ଫ୍ଲାଏଓଭର୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ମହିଳା ଗଂଜାମର ମାମାଜିନୀ ଗୌଡ଼ଙ୍କୁ ଉଦ୍ଧାର କରିଥିବା ଦେବଦୂତଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ମିନତି ବାରିକ। ଘର ଭଦ୍ରକରେ। ଏଠାରେ ଖଣ୍ଡଗିରି ଅଞ୍ଚଳରେ ରୁହନ୍ତି। ‘ସମ୍ବାଦ’ ସହ ଏକ ସାକ୍ଷାତକାରରେ ମିନତି କହିଛନ୍ତି, ଗତକାଲି ସଂଧ୍ୟାରେ ଡ୍ୟୁଟି ସାରି ଘରକୁ ଫେରୁଥିଲି। ବରମୁଣ୍ଡା ଫ୍ଲାଏଓଭର୍‌ ନିକଟରେ ଜଣେ ମହିଳା ବିଚଳିତ ହୋଇ ଏଣେତେଣେ ବୁଲୁଥିବା ଦେଖିବାକୁ ପାଇଥିଲି। ତାଙ୍କ ସହ ଥିବା ଛୋଟଛୋଟ ପିଲାମାନେ କାନ୍ଦୁଥିଲେ, ଲୋକଙ୍କୁ ଖାଇବାକୁ ମାଗୁଥିଲେ। ମହିଳାଜଣଙ୍କର ହାବଭାବ ଦେଖି ସେ ଅତ୍ୟନ୍ତ କଷ୍ଟରେ ଥିବା ଓ ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ସ୍ପଷ୍ଟ ବାରି ହେଉଥିଲା।

ତେଣୁ ସେଇଠି କିଛି ସମୟ ଅଟକି ଯାଇଥିଲି। ତେବେ ଛୁଆଙ୍କୁ ଧରି ସେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଆଗକୁ ବାରମ୍ବାର ମାଡ଼ି ଆସୁଥିବା ଦେଖି ମୋର ସନ୍ଦେହ ହୋଇଥିଲା। ତେଣୁ ସେଇ ବାଟ ଦେଇ ଯାଉଥିବା ଖଣ୍ଡଗିରି ରାଜୀବ ନଗର ଅଞ୍ଚଳର ନୟନାଂଶୁ ପଟ୍ଟନାୟକଙ୍କ ସହାୟତା ଲୋଡ଼ିଥିଲି। ସେତେବେଳକୁ ମହିଳାଜଣଙ୍କ ଫ୍ଲାଏଓଭର୍‌ ବାଡ଼ାରୁ ତଳକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ। ଆମେ ଦୁଇଜଣ ମିଶି ତାଙ୍କୁ ବୁଝାସୁଝା କରି ଅଟକାଇଥିଲୁ। ପରେ ମହିଳାଜଣଙ୍କ କାନ୍ଦି କାନ୍ଦି ତାଙ୍କ ବେଦନା ବଖାଣିଥିଲେ। ସ୍ବାମୀ ଦ୍ବିତୀୟ ବିବାହ କରି ତାଙ୍କୁ ତଡ଼ି ଦେବା ପରେ ବାପଘ‌ରେ ସାବତ ମା’ ପୂରାଇଲାନି। ତେଣୁ ସୁଦୂର ଗଂଜାମରୁ ବସ୍‌ରେ ଚାଲିଆସିଛି ବୋଲି କହିଥିଲେ। ପରେ ଆମେ ଦୁହେଁ ତାଙ୍କୁ ଖଣ୍ଡଗିରି ଥାନାର ଜିମା ଦେଇଥିଲୁ।

ମାମାଜିନୀଙ୍କ କଥା କହୁ କହୁ ମିନତି ବି କାନ୍ଦକାନ୍ଦ ହୋଇଯାଇଥି‌ଲେ। ସେ ମଧ୍ୟ ଦିନେ ନିର୍ଯାତିତ ହୋଇଥିଲେ ବୋଲି କହିଥିଲେ। ତାଙ୍କ ବାପା ଦ୍ବିତୀୟ ବିବାହ କରି ତାଳଚେରରେ ରହୁଛନ୍ତି। ସାବତ ମା’ ଦ୍ବାରା ନିର୍ଯାତିତ ହେବା ପରେ ପ୍ରାୟ ୨୦ ବର୍ଷ ତଳେ ଘର ଛାଡ଼ି ଭୁବନେଶ୍ବର ଚାଲି ଆସିଥିଲେ। ଅଟୋରେ ବସି ଯାଉଥିବା ବେଳେ ଅଟୋଚାଳକ ତାଙ୍କୁ ଅସଦାଚରଣ କରିଥିଲା। ଆଉ କିଛି ବାଟ ନ ପାଇ ସେ ଅଟୋରୁ ଡେଇଁ ପଡ଼ି ଖଣ୍ଡିଆଖାବରା ହୋଇଥିଲେ। ମାମାଜିନୀଙ୍କ କାହାଣୀ ଶୁଣିବା ପରେ ମୋର ବି ସେଦିନର କାହାଣୀ ଆଜି ଆଖି ଆଗରେ ନାଚି ଯାଉଛି ବୋଲି ମିନତି କହିଥିଲେ।

ସମ୍ବନ୍ଧିତ ଖବର