ରନ୍ଧନ ଗ୍ୟାସ ଦରବୃଦ୍ଧି ତାତି: ଚୁଲି ଜାଳି ପ୍ରତିବାଦ କଲା ମହିଳା ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ଧନୀଠାରୁ ଗରିବ ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଛି। ଗରିବ, କୃଷକ, ଖଟିଖିଆଙ୍କ କଥା କହୁଥିବା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି କରି ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି। ନିୟମିତ ବ୍ୟବଧାନରେ ଏହି ଦର ବଢ଼ିବଢ଼ି ହଜାରେ ଟଙ୍କା ଛୁଇଁବାକୁ ବସିଲାଣି। କରୋନା କାଳରେ ଅନେକଙ୍କ ରୋଜଗାର ପ୍ରଭାବିତ ହୋଇଥିବା ବେଳେ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସାରା ରାଜ୍ୟରେ ଘରେ ଘରେ ଅସନ୍ତୋଷ ସୃଷ୍ଟି କରିଛି।

କେନ୍ଦ୍ର ସରକାର ଏହି ଦରବୃଦ୍ଧି ନିୟନ୍ତ୍ରଣ ନ କଲେ, ବିଜେଡି ଚରମପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍ ହୋଇ ସେ ଏହା କହିଛନ୍ତି। ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କେବଳ ଭାଷଣ ଦେଇ ଜାଣନ୍ତି, ସାଧାରଣ ଲୋକଙ୍କ ପାଇଁ ସେ ନଥାନ୍ତି ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି। ଲୋକଙ୍କ ସରକାର ହୋଇଥିଲେ ଦରବୃଦ୍ଧି ନେଇ ବିକ୍ଷୋଭ କରିବାକୁ ପଡ଼ନ୍ତାନି ବୋଲି ସେ କଟାକ୍ଷ କରିଛନ୍ତି।

ଏହି ବିକ୍ଷୋଭ ପ୍ରଦର୍ଶନରେ ବରିଷ୍ଠ ବିଧାୟିକା ଉଷା ଦେବୀ, ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଦଳର ବହୁ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନର ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର