ମାଉସୀ-ପୁତୁରା ସମ୍ପର୍କରେ କଳଙ୍କର ଛିଟା: ପ୍ରେମ-ପ୍ରତାରଣା ଅଭିଯୋଗ ଆଣିଲେ ମହିଳା

ଚନ୍ଦ୍ରଶେଖରପୁର : କଥାରେ ଅଛି, ‘ମା’ ମରିଗଲେ ମାଉସୀ ଅଛି।’ ଭାରତୀୟ ସଂସ୍କୃତିରେ ମାଉସୀଙ୍କୁ ମା’ ସହ ତୁଳନା କରାଯାଏ। କିନ୍ତୁ ଆଜି ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଏକ ଅଭିଯୋଗ ମାଉସୀ-ପୁତୁରା ସମ୍ପର୍କରେ ଲାଗିଥିବା କଳଙ୍କ ଛିଟାର ପର୍ଦ୍ଦାଫାସ୍ କରିଛି। ପୁତୁରା ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ନେଇ ମାଉସୀ ଥାନାର ଦ୍ବାରସ୍ଥ ହେବା ଘଟଣା ପୁଲିସକୁ ଯେତିକି ବିସ୍ମିତ କରିଛି, ଶୁଣିଥିବା ଲୋକଙ୍କୁ ସେତିକି ବ୍ୟଥିତ କରିଛି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ପୁତୁରାକୁ ଡାକି ଥାନାରେ ଅଟକ ରଖିବା ପରେ ଦୁଇ ପରିବାରର ସହମତିରେ ଅପୋସ ବୁଝାମଣା ପାଇଁ ଛାଡ଼ିଛି।

ସୂଚନାନୁସାରେ ୪୨ ବର୍ଷୀୟା ଏହି ମହିଳା ଦୀର୍ଘ ଦିନ ହେଲା ସମ୍ପର୍କୀୟ ପୁତୁରା(୩୦) ସହିତ ଏକାଠୀ ରହୁଥିଲେ। ବାହାରକୁ ସେମାନେ ମାଉସୀ-ପୁତୁରା ଭାବେ ଜଣାଶୁଣା ଥିଲେ। ଗତ ତିନି ମାସ ହେଲା ଯୁବକ ଜଣକ ବିବାହ କରିବା ପରେ ଆଉ ମହିଳାଙ୍କ ସହ ରହିବା ଦେଖିବାକୁ ମିଳିନଥିଲା। କିନ୍ତୁ ଗତକାଲି ହଠାତ୍ ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ଯୁବକଙ୍କ ନାମରେ ପ୍ରତାରଣା ଅଭିଯୋଗ ଆଣିଥିଲେ। ବିବାହର ପ୍ରଲୋଭନ ଦେଖାଇ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ବୋଲି ମହିଳା ଅଭିଯୋଗ କରିଥିଲେ। ଏମିତିକି ବିବାହ କଲେ ବି ଯୁବକ ତାଙ୍କ ପାଖକୁ ଯା’ଆସ କରୁ ବୋଲି ମହିଳା ଇଛା କରିଛନ୍ତି। କିନ୍ତୁ ଯୁବକ ଜଣକ ଆଉ ଧରାଛୁଆଁ ଦେଲେ ନାହିଁ ବୋଲି ମହିଳା କହିଛନ୍ତି। ଆଜି ପୁଲିସ ଯୁବକକୁ ଧରି ଥାନାରେ ଅଟକ ରଖିଥିଲା। ପରେ ଦୁଇ ପରିବାର ଥାନାରେ ପହଞ୍ଚିଥିଲେ ଓ ସେମାନଙ୍କ ଭିତରେ ଆପୋସ ବୁଝାମଣା କରିବେ ବୋଲି ପୁଲିସକୁ ପ୍ରତିଶ୍ରୁତି ଦେଇଥିଲେ। ଆପୋସ ସମାଧାନ ହୋଇନପାରିଲେ, ମହିଳାଙ୍କ ଅଭିଯୋଗକୁ ଭତ୍ତି କରି ପୁଲିସ ଯୁବକକୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର