ଧୋକା ଦେଲେ ପୁରୁଷ ସାଥୀ, ଶୁଣିଲାନି ପୁଲିସ : ନିଜ ଦେହରେ ନିଆଁ ଲଗାଇ ଥାନା ଦୁଆରେ ଜଳିଗଲେ ମହିଳା

ଭୁବନେଶ୍ୱର : ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ହେଲେ ଦଇବ ସହିଲାନି, ବାଟ ଭାଙ୍ଗି ଚାଲିଗଲେ ସ୍ବାମୀ। ସେଠାରୁ ପ୍ରତାରିତ ହେବା ପରେ ଆଉ ଥରେ ଉଜୁଡ଼ା ସଂସାର ଯୋଡ଼ିବା ପାଇଁ ଯାହାଙ୍କୁ ବାଛିଥିଲେ ସେ ବି ଧୋକା ଦେଲେ। ଥାନାକୁ ଆସିଥିଲେ। କାଳେ ନୂଆ ସଂସାର ଗଢ଼ିବାରେ ପୁଲିସ ସହଯୋଗ କରିବ। ହେଲେ ତାହା ବି ହେଲା ନାହିଁ। ‘ଆଉ ବଞ୍ଚି କି ଲାଭ’ କହି ଥାନା ଦୁଆରେ ‌ଦେହରେ ନିଆଁ ଲଗେଇଦେଲେ। ହୁତ୍‌ ହୁତ୍‌ ହୋଇ ମହିଳାଜଣକ ଜଳିଯାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଘଟିଛି ଏହି ଅଭାବନୀୟ ଘଟଣା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲଏବଂ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ଧୋକା ଦେଇଥିବା ପୁରୁଷ ସାଥୀଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାରି ଇଣ୍ଟରନାସନାଲ ହୋଟେଲରେ ସୁରକ୍ଷା କର୍ମୀ ଭାବ‌ରେ କାମ କରୁଥିବା କେନ୍ଦ୍ର‌ାପଡ଼ାର ଜିତେନ୍ଦ୍ର ପ୍ରଧାନ। ଜିତେନ୍ଦ୍ର ବିବାହିତ। ତାଙ୍କର ଏକ ଝିଅ ଥିବା ବେଳେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ୫ ବର୍ଷ ବୟସର ଏକ ପୁଅ ରହିଛି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ମା’ଙ୍କୁ ଦେଖିବା ପାଇଁ ପୁଅ ବୁଢ଼ୀ ଆଈ ମା’ ସହ କଟକ ମେଡିକାଲରେ ପହଞ୍ଚିଥିବା ବେଳେ ପରକୀୟା ପ୍ରୀତି ପାଇଁ ଜେଲ୍‌ ଯାଇଥିବା ବାପାକୁ ପତ୍ନୀଙ୍କ ସହ ଝିଅ ଝାରପଡ଼ା ଜେଲ୍‌ରେ ଭେଟିଛନ୍ତି।

ସୂଚନାଯୋଗ୍ୟ, ମହିଳାଜଣକ ଜଗତସିଂହପୁରର ବାସିନ୍ଦା। ଗଞ୍ଜାମରେ ସେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା। ଇତିମଧ୍ୟରେ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିବାରୁ ମା’ ସାଲିଆ ସାହି ବସ୍ତି ବିକାଶ ପରିଷଦରେ ରହୁଥିଲେ। ଏପଟେ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ସେ ତାଙ୍କ ମା’ଙ୍କ ପାଖକୁ ପୁଅକୁ ଧରି ଚାଲି ଆସିଥିଲେ। କିଛି ଦିନ ରହିବା ପରେ ହୋଟେଲ ବାରି ଇଣ୍ଟରନାସନାଲରେ କାମ କରିବା ପାଇଁ ସୁଯୋଗ ପାଇଥିଲେ। ସେଠାରେ ସୁରକ୍ଷାକର୍ମୀ ଭାବରେ କାମ କରୁଥିବା ଜିତେନ୍ଦ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା। ଭେଟରୁ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ଜିତୁ ବିବାହିତ ଓ ପତ୍ନୀଙ୍କୁ ଛାଡ଼ି ସେ ବିବାହ କରିବା ପାଇଁ ଚାହୁ ନ ଥିବା ଜାଣିବା ପରେ ତାଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା। ଗତ ୯ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମା ଦିନ ସେ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ। ସାଙ୍ଗରେ ଜିତୁକୁ ମଧ୍ୟ ଡାକି ଆଣିଥିଲେ। ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ପୁଲିସ ମଧ୍ୟ କୌଣସି ସମାଧାନର ପନ୍ଥା ବାହାର କରିପାରିନଥିଲା। ଶେଷରେ ସେ ଜିତୁ ନାମରେ ଏତଲା ଲେଖିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଏହା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ଥାନା ଦୁଆର ମୁହଁରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ସେ ପେଟ୍ରୋଲ କେଉଁଠୁ ଆଣିଲେ? ଆଗରୁ ପ୍ରସ୍ତୁତ ହୋଇ ଆସିଥିଲେ କି? ପୁଲିସ ସାମ୍ନାରେ କିଭଳି ସେ ଆତ୍ମାହୁତି ଉଦ୍ୟମ କରିବାକୁ ସକ୍ଷମ ହେଲେ? ଏ ସବୁ ଉପରେ ତଦନ୍ତ ଚାଲିଥିବା ନୂଆପଲ୍ଲୀ ଥାନା ଆଇଆଇସି କହିଛନ୍ତି।

ସମ୍ବନ୍ଧିତ ଖବର