ଫୋନ କଲକୁ ବିରୋଧ : ଜୀବନ ହାରିଲେ ମହିଳା

ଦେଢ଼ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଭୁବନେଶ୍ବର : ଲକଡାଉନରେ ଘରୋଇ ହିଂସାକୁ ରୋକିବା ଲାଗି ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। କିନ୍ତୁ ଘରୋଇ ହିଂସା ବନ୍ଦ ହୋଇପାରି ନାହିଁ। ରାଜଧାନୀରେ ଗତକାଲି ଘରୋଇ ହିଂସାର ଶିକାର ହୋଇଛନ୍ତି ଜଣେ ମହିଳା। ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି ବମିଖାଲ ସତ୍ୟମ ଟାଓ୍ୱାରରେ। ମୃତ ମହିଳା ହେଲେ ପଶ୍ଚିମବଙ୍ଗର ରିୟା ପଟ୍ଟନାୟକ(୨୩)। ରିୟାଙ୍କ ସ୍ବାମୀ ରାଜେଶ ମହାରଣାଙ୍କ ରିପୋର୍ଟ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ପୁଲିସ ସୂଚନା ଅନୁସାରେ, ରିୟା ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦେଢ଼ ବର୍ଷ ତଳେ ରିୟାଙ୍କୁ ପ୍ରେମ ବିବାହ କରିଥିଲେ ରାଜେଶ। ରାଜେଶ ମଧ୍ୟ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ସେମାନଙ୍କର କୌଣସି ମନ୍ଦିର କିମ୍ବା କୋର୍ଟ ମ୍ୟାରେଜ ହୋଇ ନ ଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଗତକାଲି ସନ୍ଧ୍ୟାରେ ରାଜେଶ ଫୋନରେ କଥା ହେଉଥିବା ବେଳେ ରିୟା ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରାଜେଶ ବଜାରକୁ ମେଡିସିନ୍ ଆଣିବା ଲାଗି ଘରୁ ଚାଲି ଆସିଥିଲେ। ଘରକୁ ଫେରିବା ପରେ କବାଟ ଭିତର ପଟୁ ବନ୍ଦ ରହିଥିଲା। ରାଜେଶ କବାଟ ବାଡେଇଥିଲେ ମଧ୍ୟ କେହି ଖୋଲି ନ ଥିଲେ। ରାଜେଶ ନିଜେ କବାଟ ଭାଙ୍ଗିବା ପରେ ରିୟାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ରିୟାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ରିୟାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର