ରାଜଧାନୀରେ ଘାତକ ସାଜିଲା ଷଣ୍ଢ : ଆକ୍ରମଣରେ ମହିଳା ମୃତ, ୪ଆହତ; ତିନିମାସରେ ଆହତ ହେଲେଣି୨୫ ଜଣ

ପୁରୁଣା ଭୁବନେଶ୍ବର : ରାଜଧାନୀରେ ବଢ଼ି ଚାଲିଛି ଷଣ୍ଢଙ୍କ ଉତ୍ପାତ। ଲୋକେ ଷଣ୍ଢ ଆକ୍ରମଣରେ ମୃତାହତ ହେଉଥିବା ବେଳେ ବିଏମ୍‌ସି ହାତବାନ୍ଧି ଚୁପ୍‌ ବସିଛି। ପ୍ରଶାସନ ପକ୍ଷରୁ ଷଣ୍ଢଙ୍କୁ ରାସ୍ତାରୁ ହଟାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଗତକାଲି ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଓ ଅନ୍ୟ ୪ଜଣ ଆହତ ହେବା ଘଟଣାରୁ ବିଏମ୍‌ସିର ଅପାରଗତା ଜଳଜଳ ହୋଇ ଜଣାପଡ଼ୁଛି। ଅପରପକ୍ଷରେ ଗତ ତିନିମାସ ମଧ୍ୟରେ ପ୍ରାୟ ୨୫ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ଗତକାଲି ସାମନ୍ତରାପୁର ନିକଟ ମାରୁତି ନଗରରେ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ସ୍ଥାନୀୟ ନୂଆଗାଁର ଭାବେନୀ ବରାଳ (୫୦)। ଆହତମାନେ ହେଲେ ନୂଆଗାଁର ବୁଢ଼ା ବିଶ୍ବାଳ, ମହିର ଜେନା, ଶଙ୍କର ଦାସ ଓ ବିଜୟବିହାରର ରବି ରାଉତ। ମିଳିଥିବା ସୂଚନା ଅନୁଯାୟୀ ବିଜୟବିହାର ଓ ମାରୁତିନଗର ଅଞ୍ଚଳରେ କିଛି ଦିନ ହେଲା ଷଷ୍ଢଟି ଉତ୍ପାତ କରୁଥିଲା। ଗତ ୨୬ତାରିଖ ଭୋରୁ ଭାବେନୀ ଫୁଲ ତୋଳୁଥିବା ବେଳେ ଷଣ୍ଢଟି ପଛପଟୁ ଆସି ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା। ‌ମହିଳା ଜଣକ ତଳେ ପଡ଼ିବା ପରେ ଷଣ୍ଢ ପୁଣି ଆସି ଆକ୍ରମଣ କରିଥିଲା। ଲୁଗା ମହିଳାଙ୍କ ମୁହଁରେ ଗୁଡ଼େଇ ହୋଇଯାଇଥିବା ସହ ଆହତ ହୋଇ ପଡ଼ିବା ଯୋଗୁଁ ସେ ଉଠି ପାରିନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସ୍ଥାନୀୟ ଲୋକ ସେହି ରାସ୍ତ‌ାରେ ଯିବା ଆସିବା ବେଳେ ଷଣ୍ଢଟି ସେମାନଙ୍କୁ ମାରିବାକୁ ଗୋଡ଼ାଇଥିଲା। ଗତ ୨୫ତାରିଖ ସନ୍ଧ୍ୟାରେ ଷଣ୍ଢଟି ମାରୁତିନଗର ନିକଟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡାଇ ମାରିଥିଲା। ଫଳରେ ୪ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ଉକ୍ତ ଷଣ୍ଢକୁ ସ୍ଥାନୀୟ ଲୋକ କାବୁ କରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ହୋହଲ୍ଲା କରିବା ସହ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଖବରପାଇ ଡିସିପି ଅନୁପ ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା। ପରେ ପୁଲିସ ଓ ସ୍ଥାନୀୟ ଲୋକେ ମିଶି ଷଣ୍ଢକୁ କାବୁ କରି ବିଏମସିକୁ ହସ୍ତାନ୍ତର କରିଥିଲେ। ଏହାରେ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଷଣ୍ଢଟି ପାଗଳ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ବାରମ୍ବାର ଷଣ୍ଢ ଆକ୍ରମଣର ଶିକାର ହେଉଛନ୍ତି ଲୋକ
ଗତବର୍ଷ ନଭେମ୍ବର ୨୨ତାରିଖରେ ସ୍ଥାନୀୟ ଗ୍ୟାରେଜ୍‌ ଛକଠାରେ ଷଣ୍ଢ ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସେହିଦିନ ଷଣ୍ଢ ଲଢ଼େଇ ଯୋଗୁଁ ନନ୍ଦକିଶୋର ନଗରର ମଙ୍ଗଳା ଦୋରା(୬୨) ଗୁରୁତର ଆହତ ହେବା ସହ ଅନ୍ୟ ଜଣେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସେହିପରି ଦୁଇ ଜଣ ବାଇକ୍ ଚାଳକ ଆହତ ହେବା ସହ ମେସାନଙ୍କ ବାଇକ୍ ଭାଙ୍ଗି ଯାଇଥିଲା। ସେହିମାସ ୧୯ତାରିଖ‌ ସନ୍ଧ୍ୟାରେ ବଡ଼ଗଡ ଗ୍ରାମ ଛକଠାରେ ବଡ଼ଗଡ଼ ଉପର ସାହିର ନିଶାମଣି ପାତ୍ର, ନାତୁଣି ଓ ନାତିଙ୍କ ସହ ଆକ୍ଟିଭାରେ ଯାଉଥିବା ବେଳେ ଷଣ୍ଢ ଆକ୍ରମଣରେ ଆହତ ହୋଇଥିଲେ। ଗତ କାର୍ତ୍ତିକ ପୂର୍ଣ୍ଣିମାରେ ଷଣ୍ଢ ଲଢ଼େଇ ଯୋଗୁଁ ବିନ୍ଦୁସାଗର ନିକଟରେ ୭ରୁ ଅଧିକ ଲୋକ ଆହତ ହୋଇଥିଲେ। ସେହିପରି କଟକ ରୋଡ୍‌ରେ ନଭେମ୍ବର ପ୍ରଥମ ସପ୍ତାହରେ ଷଣ୍ଢ ଆକ୍ରମଣରେ ୧୦ଜଣ ଆହତ ହୋଇଥିଲେ। ବାରମ୍ବାର ଷଣ୍ଢ ଆକ୍ରମଣ ଯୋଗୁଁ ଲୋକ ଆହତ ହେଉଥିଲେ ହେଁ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର