ମାରିଦେଲା ମାଙ୍କଡ଼ : ମେଣ୍ଢାଶାଳରେ ମାଙ୍କଡ ଆକ୍ରମଣରେ ଜଣେ ମହିଳା ମୃତ

ମେଣ୍ଢାଶାଳ : ବାପଘରେ କିଛି ଦିନ କାଟିବା ପରେ ଖୋର୍ଧାରୁ ଗାଁ ଅଭିମୁଖେ ଫେରୁଥିଲେ। ଆଉ ମାତ୍ର ଦେଢ଼ଶ ମିଟର ବାଟ ଯାଇଥିଲେ ଘରେ ପହଞ୍ଚି ଥାଆନ୍ତେ। ମାତ୍ର ଘରକୁ ଫେରିବା ତାଙ୍କ ଭାଗ୍ୟରେ ନ ଥିଲା। ଉତ୍ପାତିଆ ମାଙ୍କଡ଼ ଯୋଗୁଁ ବୃଦ୍ଧା କମଳିନୀ ମାଝୀ(୬୨)ଙ୍କର ପ୍ରାଣ ଚାଲିଗଲା। ଗିରିଙ୍ଗାପୁଟ ତଳ ଆଦିବାସୀ ସାହିରେ ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ମିଳିଥିବା ସୂଚନା ମୁତାବକ, କମଳିନୀ ଖୋର୍ଧା ମୁକୁନ୍ଦପ୍ରସାଦରୁ ନିଜ ପୁତୁରା ଗୌତମ ମାଝୀଙ୍କ ସହ ଗିରିଙ୍ଗାପୁଟକୁ ଫେରୁଥିଲେ। ନିକଟରେ ଥିବା ଶନିମନ୍ଦିର ପାଖେ ପହଞ୍ଚିଲା କ୍ଷଣି ଯେପରି ଶନିଦଶା ମାଡ଼ି ଆସିଲା। ସେ ଯାଉଥିବା ବାଇକ୍‌ ଉପରକୁ ଉତ୍ପାତିଆ ହନୁ ମାଙ୍କଡ଼ ଡିଆଁ ମାରିଲା। ସେ ଓ ତାଙ୍କ ପୁତୁରା ଗାଡ଼ିରୁ କଚାଡ଼ି ହୋଇ ତଳେ ପଡ଼ି ଯାଇଥିଲେ। ଗାଡ଼ି ଉପରୁ ଛିଟିକି ପଡ଼ିବା ପରେ କମଳିନୀଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହେଲା। ପାଖ ଓଡ଼ିଆ ସାହିର କିଛି ଲୋକ ଏହା ଦେଖି ପାଖକୁ ଦୌଡ଼ି ଆସି ତାଙ୍କୁ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ ନିଆଗଲା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି ଚଳାଉଥିବା କମଳିନୀଙ୍କ ପୁତୁରା ଗୌତମ ମଧ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ମାଙ୍କଡ଼ ଆକ୍ରମଣ କରିବା ଏ ଅଞ୍ଚଳରେ ନୂଆ କଥା ନୁହେଁ। ୨ ମାସ ହେବ ସେଇ ନିର୍ଦିଷ୍ଟ ଏହି ହନୁ ମାଙ୍କଡ଼ ଏଠାରେ ଲୋକଙ୍କୁ ଆକ୍ରମଣ କରୁଛି। ନିକଟରେ କାହ୍ନା ସିଂହ ଓ ସିଲୁ ଜେନା ମଧ୍ୟ ମାଙ୍କଡ଼ ଆକ୍ରମଣରେ ଆହତ ହୋଇଛନ୍ତି। ୩୦ରୁ ଅଧିକ ବ୍ୟକ୍ତି ଏହି ମାଙ୍କଡ଼ ଆକ୍ରମଣର ଶିକାର ହେଲେଣି। ଏନେଇ ଚନ୍ଦକା ବନବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଜାଲ ବିଛାଇ ମାଙ୍କଡ଼ଟିକୁ ଧରିବାକୁ ଚେଷ୍ଟା କରାଯାଉଛି। ମାତ୍ର ମାଙ୍କଡ଼ କଦଳୀ ଖାଇ ଚକ୍‌ମା ଦେଇ ପଳାଉଛି ପଛେ, ବନ ବିଭାଗ ଜାଲରେ ପଡ଼ୁନାହିଁ। ତେବେ ଆସନ୍ତାକାଲି ନନ୍ଦନକାନନର ସ୍ପେସାଲ ଟ୍ରାଙ୍କୁଲାଇଜର୍‌ ଟିମ୍ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବେ ବୋଲି ଜଣାଯାଇଛି।

ଖବର ପାଇ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ, ଚନ୍ଦକା ରେଞ୍ଜର୍‌ ମାନସ ରଂଜନ ମହାନ୍ତି, ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ପୁଅ ରସିକ ମାଝୀକୁ ରେଡ୍‌କ୍ରସ୍‌ ତରଫରୁ ୨୦ହଜାର ଟଙ୍କା ସହାୟତା ଦେଇଛନ୍ତି। ତେବେ ପୁଅକୁ ବନ ବିଭାଗରେ ୱାଚ୍‌ମ୍ୟାନ୍‌ ପୋଷ୍ଟ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର