ଧଉଳି : ଉତ୍ତରା ଫାଣ୍ଡି ଅଧୀନ ଭଉଳ ଗ୍ରାମର ବ୍ରଜକିଶୋର ସାହୁ(୩୨)ଙ୍କ ପତ୍ନୀ ରିଙ୍କି ସାହୁ (୨୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପିପିଲି ଥାନା ପୁଲିସ ରିଙ୍କିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଶାଶୁଘର ଲୋକଙ୍କୁ ହସ୍ତାନ୍ତର କରିଛି। ଅଧିକ ଯୌତୁକ ଦାବି କରି ରିଙ୍କିଙ୍କ ସ୍ବାମୀ ଏବଂ ଶାଶୁଘର ଲୋକ ହତ୍ୟାକରି ଆତ୍ମହତ୍ୟାର ରୂପଦେବା ପାଇଁ ଫ୍ୟାନରେ ଝୁଲାଇ ଦେଇଥିବା ତାଙ୍କ ବାପା ପ୍ରସନ୍ନ ସାହୁ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ପ୍ରସନ୍ନଙ୍କ ଅଭିଯୋଗକୁ ଭିତ୍ତିକରି ପିପିଲି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ବ୍ରଜକିଶୋର ସାହୁ ଏବଂ ତାଙ୍କ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
ଭଉଳ ଗ୍ରାମର ସ୍ବର୍ଗତଃ ବଟକୃଷ୍ଣ ସାହୁଙ୍କ ବଡ଼ପୁଅ ବ୍ରଜକିଶୋର ୬ ବର୍ଷ ତଳେ ମଗଲପୁର ଗ୍ରାମର ପ୍ରସନ୍ନଙ୍କ ଝିଅ ରିଙ୍କିକୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ କନ୍ୟାଘର ପକ୍ଷରୁ ନଗଦ ଟଙ୍କା, ସୁନା ଗହଣା ଏବଂ ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା। ପରେ ବାପଘରୁ ଆଉ ଅଧିକ ଯୌତୁକ ଆଣିବାକୁ ଦାବି କରି ବ୍ରଜକିଶୋର ଏବଂ ପରିବାର ଲୋକ ରିଙ୍କିଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶଯାଇଛି। ରିଙ୍କିଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି।