ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଏୟାରଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣାର ୧୩ଦିନ ପରେ କମିସନରେଟ ପୁଲିସକୁ ସଫଳତା ମିଳିଛି। ସମ୍ପୃକ୍ତ ଚେନ୍‌ ଲୁଟେରାକୁ ପୁଲିସ ଝାଡ଼ଖଣ୍ଡରୁ ଧରିଥିବା ବେଳେ ତା’ ସହଯୋଗୀ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ହେଲା ଝାଡ଼ଖଣ୍ଡ ପୂର୍ବ ସିଂହଭୂମିର ରାଜା ନାଇଡୁ ଓରଫ୍ ଝିଙ୍ଗୁରୁ। ସେ ପେସାରେ ଜଣେ ଲିଫ୍ଟ ଟେକ୍ନିସିଆନ ହୋଇଥିବା ବେଳେ ନିଶା ଥିଲା ଚେନ୍‌ ଲୁଟ୍। ଓଡ଼ିଶାରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ୪୦୦ ସିସିଟିଭି, ସମାନ ଅପରାଧ କରୁଥିବା ୭୬ ପେସାଦାର ଲୁଟେରା, ୬ମାସ ଭିତରେ ଝାରପଡ଼ା, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜେଲ୍‌ରେ ଲୁଟ୍‌ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଜେଲ୍‌ ପରେଡ୍‌ ଆଦିରୁ ସୁରାକ ପାଇବା ପରେ ଶେଷରେ ପୁଲିସ ଅଭିଯୁକ୍ତକୁ ଝାଡ଼ଖଣ୍ଡରୁ ଗିରଫ କରିଛି। ଚେନ୍‌ ଲୁଟ କରିବା ପରେ ରାଜା ଓ ତା’ର ଅନ୍ୟତମ ସହଯୋଗୀ ସେହିଦିନ ବାଇକ୍‌ରେ ଝାଡ଼ଖଣ୍ଡ ଚାଲିଯାଇଥିଲେ। କମିସନରେଟ୍‌ ପୁଲିସର ୬ଟି ଟିମ୍ ୩୧୨ ଘଣ୍ଟାର ଅପରେସନ୍‌ ପରେ ରାଜାକୁ ବାନ୍ଧିଥିବା ‌ବେଳେ ତା’ ଅପରାଧ ଫାଇଲ ଖୋଲିବା ପାଇଁ ରିମାଣ୍ଡ୍‌ରେ ଆଣିବାକୁ ଯୋଜନା କରିଛି। ରାଜାର ସହଯୋଗୀକୁ ଧରିବାକୁ କମିସନରେଟ ପୁଲିସ ଝାଡ଼ଖଣ୍ଡ ପୁଲିସର ସହାୟତା ନେଉଛି। 

Advertisment

ପେସା ଟେକ୍ନିସିଆନ, ନିଶା ଲୁଟ୍‌
ଅନ୍ୟ ଅଭିଯୁକ୍ତ ଫେରାର

ଝାଡ଼ଖଣ୍ଡରେ ତଡ଼ିପାର ଭୁବନେଶ୍ବରରେ ଅପରାଧ
ଭୁବନେଶ୍ବର, ୨୫/୧୧(ଇମିସ): ମୁଖ୍ୟ ଅଭିଯୁକ୍ତ ରାଜା ନାଇଡ଼ୁ ଧରା ପଡ଼ିଥିବା ବେଳ ତା’ ଫେରାର ସହଯୋଗୀ ଝାଡ଼ଖଣ୍ଡ ପୁଲିସ ଦ୍ବାରା ତଡ଼ିପାର ହୋଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ତା’ ନାଁ କହୁନଥିବାବେଳେ ସେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ପୁଲିସ ସୂଚନା ଦେଇଛି। ସେଠାରୁ ତଡ଼ିପାର ହେବା ପରେ ସେ ରାଜା ନାଇଡ଼ୁ ସହ ରହୁଥିଲା। ତାକୁ ଧରିବା ପରେ ତା’ଠାରୁ ଅନେକ ତଥ୍ୟ ମିଳିପାରିବ। ସେପଟେ କୋର୍ଟ ଚାଲାଣ ହୋଇଥିବା ରାଜା ନାଇଡ଼ୁ ବିରୋଧରେ ଆର୍ମସ ଆକ୍ଟରେ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ତଡ଼ିପାର ଅପରାଧୀ ରାଜଧାନୀରେ ରହିଥିଲେ ମଧ୍ୟ ତା’ର କୌଣସି ଟେର୍‌ ପୁଲିସ ପାଇ ପାରିନଥିଲା। ସେପଟେ ଅଭିଯୁକ୍ତ ରାଜାକୁ ଆଜି ଲୁଟ୍‌ ଘଟଣାସ୍ଥଳକୁ ନେଇ କମିସନରେଟ ପୁଲିସ ସିନ୍‌ ରିକ୍ରିଏସନ୍‌ କରିଛି।

ଡିସିପି ପିନାକ ମିଶ୍ରଙ୍କ କହିବାନୁସାରେ ରାଜା ଓ ତା’ ସହଯୋଗୀ ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହୁଥିଲେ। ଲିଫ୍ଟ ମରାମତି କାମ କରୁଥିବା ବେଳେ ଅଧିକ ରୋଜଗାର ପାଇଁ ସେମାନେ ଲୁଟପାଟ୍ କରୁଥିଲେ। ଗତ ନଭେମ୍ବର ୧୧ ତାରିଖ ଅପରାହ୍ନରେ ସ୍ବାମୀଙ୍କ ସହ ୟୁ. ବିଷ୍ଣୁପାତ୍ର ବାଇକ୍‌ରେ ଯାଉଥିବା ବେଳେ ରାଜା ଓ ତା’ ସହଯୋଗୀ ଯୋଜନା ମୁତାବକ ସେମାନଙ୍କ ପିଛା କରିଥିଲେ। ଲବଣଗିରି ଛକରେ ରାସ୍ତା ଶୂନଶାନ୍‌ ଦେଖି ସେମାନେ ୟୁ. ବିଷ୍ଣୁପାତ୍ରଙ୍କ ବେକରୁ ସୁନାଟେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ଚେନ୍‌ ଝାମ୍ପିବା ବେଳେ ଭାରସାମ୍ୟ ହରାଇ ମହିଳା ଜଣକ ବାଇକ୍‌ରୁ ପଡ଼ିଯାଇଥିଲେ। ସେମାନେ ଚେନ୍ ଲୁଟ କରି ଚମ୍ପଟ ମାରିଥିଲେ। ଅପରପକ୍ଷରେ ତଳେ ପଡ଼ିଯିବାରୁ ବିଷ୍ଣୁପାତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ  ଲାଗିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା। ତିନିଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଗତ ୧୩ ତରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଅଭିଯୋଗ ପରେ ଘଟଣାକୁ ଗୁରୁତ୍ବର ସହ ନେଇଥିଲା କମିସନରେଟ୍‌ ପୁଲିସ। ମାମଲାର ତଦନ୍ତ ପାଇଁ ଭୁବନେଶ୍ବର ଡିସିପି ୬ଟି ଟିମ୍ ଗଠନ କରିଥିଲେ। ଗତ ମାସ ଭିତରେ ପୁରୀ, ନିମାପଡ଼ା, ଖୋର୍ଦ୍ଧା, ଝାରପଡ଼ା ଜେଲ୍‌ରୁ ବାହାରିଥିବା ଅଭିଯୁକ୍ତଙ୍କୁ ଟ୍ରାକ କରାଯାଇଥିଲା। ପ୍ରାୟ ୭୬ଜଣ ପେସାଦାର ଲୁଟେରାଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଲୁଟେରାଙ୍କ ସଂପର୍କରେ ତଥ୍ୟ ପାଇବା ପାଇଁ ୪୦୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲା। ସିସିଟିଭି ଯାଞ୍ଚ ବେଳେ ଲୁଟ୍‌ରେ ବ୍ୟବହାର ହୋଇଥିବା ଝାଡ଼ଖଣ୍ଡ ନମ୍ବର ଥିବା ଗାଡ଼ି ସୁନ୍ଦରପଦାର ଉକ୍ତ ଆପାର୍ଟମେଣ୍ଟରେ ପଶିବାର ଫୁଟେଜ‌୍ ପାଇଥିଲା ପୁଲିସ। ଫ୍ଲାଟ୍‌ ମାଲିକଙ୍କୁ ପଚରାଉଚରା ବେଳେ ଲୁଟେରା ଝାଡ଼ଖଣ୍ଡର ବୋଲି ସୂଚନା ମିଳିଥିଲା। ପୁଲିସ ଘର ମାଲିକଙ୍କଠାରୁ ପାଇଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ଝାଡ଼ଖଣ୍ଡରେ ପହଞ୍ଚିଥିଲା। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ଟିମ୍ ଗତ ୫ଦିନ ହେବ ଝାଡ଼ଖଣ୍ଡରେ ଡେରା ପକାଇଥିଲା। ସେଠାରେ ମଧ୍ୟ ୧୦ରୁ ଅଧିକ ସ୍ଥାନରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିଥିଲା। ଅଭିଯୁକ୍ତ ରାଜାକୁ ପୁଲିସ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପୁଲିସ ତାକୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଥିଲା। ଆଜି ତାକୁ କୋର୍ଟ ଚାଲାଣ କରିଛି। ତା’ଠାରୁ ଲୁଟ୍‌ ବେଳେ ସେ ପିନ୍ଧିଥିବା ସାର୍ଟ, ଚୋରି ସୁନାଚେନ୍ ଜବତ କରାଯାଇଛି।