ମହିଳାଙ୍କ ଉପରେ ମାଡ଼ିଗଲା ଅଳିଆଗାଡ଼ି, ଦୁର୍ଘଟଣାସ୍ଥଳ ପାଲଟିଲା ରଣକ୍ଷେତ୍ର

ପୁଲିସର ଲାଠିଚାଳନା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଭୁବନେଶ୍ବର : ବୁଧବାରଦିନ ସୈନିକ ସ୍କୁଲ ପଛପଟେ ଥିବା ଟିଟିଏସ୍‌(ଟେମ୍ପରାରି ଟ୍ରାଞ୍ଜିଟ୍‌ ‌ଷ୍ଟେସନ)ରାସ୍ତାରେ ଏକ ବାଇକ୍‌କୁ ଦ୍ରୁତଗାମୀ ଅଳିଆବୁହା ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗାଡ଼କଣ କଲ୍ୟାଣନଗର ଅଞ୍ଚଳର ସୁକାନ୍ତି ନାୟକ ଓ ଆହତ ବାଇକ୍‌ ଚାଳକ ହେଲେ ମେକି ନାୟକ। ମେକିଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଣେ ସୁକାନ୍ତିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ପରିବାରରୁ ଜଣକୁ ବିଏମ୍‌ସିରେ ନିଯୁକ୍ତି ଦେବାକୁ ଦାବି କରି ସ୍ଥାନୀୟ ଲୋକେ ମୃତଦେହକୁ ଛାଡ଼ିନଥିଲେ। ଏଣେ ବିଏମ୍‌ସି ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳକୁ ନଆସିବାରୁ ଉତ୍ତେଜନା ବଢ଼ିଥିଲା ଏବଂ ପ୍ରାୟ ଅଢ଼େଇଘଣ୍ଟା କାଳ ଉକ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ପୁଲିସ ଲୋକଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କଲା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଟେକାପଥର ମାଡ଼ କରିବାରୁ ପୁଲିସ ମଧ୍ୟ ସେମାନଙ୍କୁ ଘଉଡ଼ାଇବାକୁ ଲାଠିଚାଳନା କରିଥିଲା।

ସୂଚନାନୁସାରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ସୁକାନ୍ତି ଓ ମେକି ବାଇକ୍‌ ଯୋଗେ ଭିଏସ୍‌ଏସ୍‌ନଗର ଅଞ୍ଚଳରୁ ଗାଡ଼କଣ ଫେରୁଥିଲେ। ସୁକାନ୍ତି ଏକ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇବାକୁ ମେକିଙ୍କୁ ସାଙ୍ଗରେ ନେଇଥିଲେ। ମେକି ବାଇକ୍‌(ଓଡି ୩୩ ଭି ୯୧୫୮) ପଛରେ ସୁକାନ୍ତି ବସିଥିଲେ। ସେମାନେ ଧିରିକୁଟି ସାହି ଛକରୁ ଟିଟିଏସ୍‌ ରାସ୍ତାକୁ ଥିବା ବୁଲାଣିରେ ବାଇକ୍‌ ବୁଲାଇବା ବେଳେ ଏକ ଅଳିଆବୁହା ହାଇୱା(ଓଆର ୧୬ ଡି ୨୬୭୪) ସେମାନଙ୍କୁ ଧକ୍କା ଦେଇଥିଲା। ସୁକାନ୍ତି ବାଇକ୍‌ ପଛରୁ ଖସି ପଡ଼ିଥିଲେ। ମାତ୍ର ଦ୍ରୁତବେଗରେ ଗାଡ଼ି ଚଳାଉଥିବା ଚାଳକ ଭାରସାମ୍ୟ ହରାଇ ସିଧାସଳଖ ସୁକାନ୍ତିଙ୍କ ଉପରେ ହାଇୱା ଚଢ଼ାଇଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁକାନ୍ତିଙ୍କ ମୃତ୍ୟୁ ଘଟିଥିଲା। ମେକି ବା‌ଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇ ନିର୍ଧୁମ୍‌ ଛେଚିଥିଲେ। ଅବଶ୍ୟ ପରେ ପିସିଆର୍‌ ପହଞ୍ଚି ତାଙ୍କୁ ଉତ୍ତ୍ୟକ୍ତ ଲୋକଙ୍କୁ କବଳରୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା।

କିନ୍ତୁ ପୁଲିସ ମୃତଦେହକୁ ଉଠାଇବାକୁ ବାହାରିବା ବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଲୋକେ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳକୁ ଆସି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ସେହିଭଳି ମୃତକଙ୍କ ପରିବାରର ଜଣଙ୍କୁ ବିଏମ୍‌ସିରେ ଚାକିରି ଦେବାକୁ ସେମାନେ ଦାବି କରି ଶବ ଛାଡ଼ିନଥିଲେ। ଏମିତିରେ ପ୍ରାୟ ଅଢ଼େଇ ଘଣ୍ଟା ବିତିଗଲା। ପୁଲିସ ମୃତଦେହକୁ ଜୋର୍‌ କରି ବ୍ୟବଚ୍ଛେଦ ପାଇଁ ଉଠାଇବାକୁ ଉଦ୍ୟମ କଲା। ତେଣୁ ଲୋକେ ଆହୁରି ରାଗି ଯାଇଥିଲେ ଏବଂ ପୁଲିସ ଉପରକୁ ଢ଼େଲା ମାଡ଼ କରିଥିଲେ। ଏଥିସହିତ ସେମାନେ ଅଳିଆ ବୋଝେଇ ହାଇୱାକୁ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ପୁଲିସ ଲାଠିଚାଳନା କରିଥିଲା। ପୁଲିସ ଲାଠିମାଡ଼ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥି‌ଲେ। ଏହା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ସୁକାନ୍ତିଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ସୂଚନାଯୋଗ୍ୟ, ୪ ମାସ ମଧ୍ୟରେ ଆବର୍ଜନା ବୁହା ଗାଡ଼ି ଜୀବନ ନେବାରେ ଏହା ତୃତୀୟ ଘଟଣା। ପୂର୍ବରୁ ଅଗଷ୍ଟ ୧୦ ତାରିଖ ଓ ଅକ୍ଟୋବର ୩୦ ତାରିଖରେ ଭୁଆସୁଣି ଡମ୍ପିଂୟାର୍ଡକୁ ଅଳିଆ ଟ୍ରକ୍‌ ଯାଉଥିବା ବେଳେ ଦୁର୍ଘଟଣା ଘଟାଇବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଉଭୟ ଗାଡ଼ିର ବୀମା ନଥିଲା କିମ୍ବା କୌଣସି ବୈଧ କାଗଜପତ୍ର ନଥିଲା। ଏଣୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ବହୁ ଗଣ୍ଡଗୋଳ ପରେ ବିଏମ୍‌ସି କ୍ଷତିପୂରଣ ଦେଇଥିଲ‌ା। ସେବେଠାରୁ ଅଳିଆବୁହା ଗାଡ଼ିଗୁଡ଼ିକର କାଗଜପତ୍ର ବୈଧ ରଖିବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହି ଗାଡ଼ିର କାଗଜପତ୍ର ଯାଞ୍ଚ କରାଯିବ ବୋଲି ବିଏମ୍‌ସି କହିଛି। ଆସନ୍ତାକାଲି ସୁଦ୍ଧା‌ ମୃତକ ସୁକାନ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ଏବଂ ପରିବାରରୁ ଜଣଙ୍କୁ ବିଏମ୍‌ସିରେ ନିଯୁକ୍ତି ନମିଳିଲେ ଲୋକେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଏଠାରେ ଜନଅସନ୍ତୋଷ ଉଗ୍ରରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏମିତିକି ଲୋକେ ଟିଟିଏସ୍‌କୁ ଆବର୍ଜନା ନେବା ବନ୍ଦ କରିବେ ବୋଲି ଜଣାପଡ଼ିଛି। ସେମିତି ହେଲେ ସହରର ଆବର୍ଜନା ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏମିତିକି ଲୋକେ ଶବ ରଖି ପୁଣି ରାସ୍ତା ଅବରୋଧ କରିବା ସମ୍ଭାବନା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର