ପୁରୁଣା ଭୁବନେଶ୍ବର: ଭୁବନେଶ୍ବରରେ ପ୍ଲଟ୍‌ କିଣେଇଦେବାକୁ କହି ଜଣେ ମହିଳା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ୭୨ ଲକ୍ଷ ଟଙ୍କା ଠକିନେବା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଅଭିଯୁକ୍ତର ବାପାମାଆଙ୍କୁ ବାନ୍ଧିଛି। ସେମାନେ ହେଲେ ପୁରୁଣା ଭୁବନେଶ୍ବରରେ ରହୁଥିବା ଯାଜପୁରଜିଲ୍ଲା ଯୋଡ଼ିକୁଆ ବେଲାରପୁର ଗ୍ରାମର କମଳେନ୍ଦୁ ଦାସ(୬୫) ଓ ତାଙ୍କ ପତ୍ନୀ ପ୍ରତିଭା ମହାନ୍ତି(୫୫)। ଏହି ମାମଲାରେ ପୁଲିସ ଗତ ୩ତାରିଖରେ ମୁଖ୍ୟ ଅଭିଯୁକ୍ତ ସାଇପ୍ରତୀକ(୩୫)କୁ ଗିରଫ କରିଥିଲା। ୩ ତାରିଖ ପରଠୁ ଅର୍ଥାତ୍ ପୁଅ ସାଇ ଗିରଫ ହେବା ପରଠୁ ବାପାମାଆ କମଳେନ୍ଦୁ ଓ ପ୍ରତିଭା ଫେରାର ହୋଇଯାଇଥିଲେ।

Advertisment

ପୁଲିସ ସୂଚନାନୁସାରେ ଅଭିଯୋଗକାରିଣୀ ସଂସ୍କୃତି ପ୍ରିୟଦର୍ଶିନୀ ଓ ଅଭିଯୁକ୍ତ ସାଇ, ଉଭୟେ ଯାଜପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ମଧ୍ୟରେ ଜଣାଶୁଣା ଥିଲା। ରାଜଧାନୀରେ ଘର କରିବା ପାଇଁ ସଂସ୍କୃତି ଏକ ପ୍ଲଟ୍‌ କିଣିବାକୁ ଚାହୁଥିଲେ ଏବଂ ସାଇଙ୍କ ସହଯୋଗ ଲୋଡ଼ିଥିଲେ। ତେଣୁ ସାଇଙ୍କ କଥାରେ ସେ ଚଳିତବର୍ଷ ମାର୍ଚ୍ଚ ମାସରେ ପୁରୁଣା ଭୁବନେଶ୍ବରରେ ରହୁଥିବା ସାଇଙ୍କ ବାପାମାଆଙ୍କ ପାଖକୁ ଆସିଥିଲେ। କିନ୍ତୁ ସାଇ, ତାଙ୍କ ବାପା କମଳେନ୍ଦୁ ଓ ମାଆ ପ୍ରତିଭା ମିଶି ସଂସ୍କୃତିକୁ ଫସାଇବାକୁ ଜାଲ ବିଛାଇଥିଲେ ବୋଲି ତାଙ୍କୁ ଜଣାନଥିଲା। ପ୍ଲଟ୍‌ କିଣାବିକା କଥା ଛିଡ଼ିବା ପରେ ସଂସ୍କୃତି, ସାଇଙ୍କ ଆକାଉଣ୍ଟକୁ ୭୨ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ଦିନ ଗଡ଼ିଚାଲିଲା ସିନା, ସଂସ୍କୃତିଙ୍କୁ ପ୍ଲଟ୍‌ ମିଳିଲା ନାହିଁ। ସେ ଟଙ୍କା ଫେରସ୍ତ ମାଗିବାରୁ ସାଇଙ୍କ ମାଆ ପ୍ରତିଭା ୩ଟି ଚେକ୍‌ ଦେଇଥିଲେ, ଯାହାକି ପରେ ବାଉନ୍‌ସ ହୋଇଯାଇଥିଲା। ସଂସ୍କୃତି ପୁଣି ଟଙ୍କା ମାଗିବାରୁ ବାପାମାଆ ଓ ପୁଅ ହତ୍ୟା ଧମକ ଦେଇଥିଲେ। ସୁପାରି ଦେଇ ସେମାନେ ସଂସ୍କୃତିଙ୍କୁ ମାରିଦେବେ ବୋଲି ଧମକ ଦେଲେ। ତେଣୁ ସଂସ୍କୃତି ଶ୍ରୀଲିଙ୍ଗରାଜ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ପୁଅ ପଛେପଛେ ବାପାମାଆଙ୍କୁ ଜେଲ୍‌ ହାଜତକୁ ପଠାଇଛି।