ଚନ୍ଦ୍ରଶେଖରପୁର : ଶନିବାର ପଟିଆ ଷ୍ଟେସନ୍ରେ ଜଣେ ମହିଳା ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୌଭାଗ୍ୟକୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସେହି ମହିଳା ଏବେ ସୁସ୍ଥ ଓ ବିପଦମୁକ୍ତ ଥିବା ଜଣାପଡ଼ିଛି। ତେବେ କରୋନା କଟକଣାଠାରୁ ଉକ୍ତ ଷ୍ଟେସନ୍ରେ ପାସେଞ୍ଜର ଟ୍ରେନ୍ ରହୁ ନଥିବା ବେଳେ ମହିଳାଜଣକ କେଉଁ ଟ୍ରେନ୍ ପାଇଁ ସେଠାକୁ ଯାଇଥିଲେ ଓ ତାଙ୍କୁ କେହି କିଭଳି ଅଟକାଇଲେ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ଉକ୍ତ ଷ୍ଟେସନ୍କୁ ଯାତ୍ରୀ କ’ଣ ପାଇଁ ଯାଇଥିଲେ, ତାହାକୁ ନେଇ ସାଧାରଣରେ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ, କିଛି ଦିନ ହେଲା ଏହି ଷ୍ଟେସନ୍ରେ କିଛି ଟ୍ରେନ୍ ବେଗ ହ୍ରାସ କରୁଥିବା ଦେଖିବାକୁ ମିଳୁଛି। ଏମିତିକି ଟ୍ରେନ୍ରୁ କିଛି ଯାତ୍ରୀ ମଧ୍ୟ ବେଗ କମ୍ ହେଉଥିବା ମଉକାରେ ଏଠାରେ ଓହ୍ଲାଉଛନ୍ତି। ସେମାନଙ୍କ ଦେଖାଦେଖିରେ କିଛି ସ୍ଥାନୀୟ ରେଳଯାତ୍ରୀ ମଧ୍ୟ ଠିକ୍ ସେହି ସମୟକୁ ଅପେକ୍ଷା କରି ରହୁଛନ୍ତି ଓ ଟ୍ରେନ୍ରେ ଚଢ଼ି ଯାତ୍ରା କରୁଛନ୍ତି। ତେଣୁ ଗତକାଲି ମହିଳାଜଣକ ସେହି ହିସାବରେ ଷ୍ଟେସନ୍କୁ ଯାଇଥିବା ଅନୁମାନ କରାଯାଉଛି। ତେବେ ଟ୍ରେନ୍ ଗତି କମିବା ପରେ ସେ ସିନା ଚଢ଼ିଗଲେ, ହେଲେ ତାଙ୍କ ୪ ବର୍ଷର ଝିଅଟିକୁ ଉଠାଇ ପାରିଲେ ନାହିଁ। ଠିକ୍ ସେହି ସମୟକୁ ଟ୍ରେନ୍ର ବେଗ ବଢ଼ିଯିବାରୁ କୁନି ଝିଅଟି ତଳେ ରହିଗଲା। ତେଣୁ ବାଧ୍ୟ ହୋଇ ମହିଳାଜଣକ ଟ୍ରେନ୍ରୁ ଡେଇଁ ପଡ଼ିଲେ। ତେବେ କଥା ହେଉଛି, ସେତେବେଳେ ଷ୍ଟେସନ୍ରେ କୌଣସି ସୁରକ୍ଷା କର୍ମୀ ନଥିବାରୁ ଏଭଳି ଅଘଟଣ ଘଟିଲା। ଯଦି ସୁରକ୍ଷାକର୍ମୀ ଉପସ୍ଥିତ ଥାଆନ୍ତେ, ତେବେ ମହିଳା କ’ଣ କୌଣସି ଯାତ୍ରୀ ବି ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଟ୍ରେନ୍ରେ ଚଢ଼ିବାକୁ ସାହାସ କରୁନଥାନ୍ତେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାବାଦ୍ ଏହି ଷ୍ଟେସନ୍ରେ ନିୟମିତ ଟ୍ରେନ୍ ଗତି କମୁଛି କାହିଁକି ବୋଲି ଷ୍ଟେସନ୍ କର୍ମଚାରୀଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ସେହିଭଳି କରୋନା କଟକଣା ଲାଗୁ ହେବା ପରଠାରୁ ଏହି ଷ୍ଟେସନ୍ରେ ପାସେଞ୍ଜର ଟ୍ରେନ୍ ଅଟକୁନାହିଁ ବୋଲି ଷ୍ଟେସନ୍ରେ କୌଣସି ଫଳକ ଲାଗି ନାହିଁ କିମ୍ବା କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ଲୋକମାନଙ୍କୁ ମନା କରୁନଥିବା ଦେଖିବାକୁ ମିଳିଛି। ଫଳରେ କିଛି ଲୋକ ରାଜଧାନୀ ଉପକଣ୍ଠ ଷ୍ଟେସନ୍ଗୁଡ଼ିକରେ ଧିମା ଗତିରେ ଯାଉଥିବା ଟ୍ରେନ୍ରୁ ଓହ୍ଲାଇ ପଡ଼ୁଛନ୍ତି ଓ ଚଢ଼ି ଯାଉଛନ୍ତି।
ଏନେଇ ଆର୍ପିଏଫ୍ ଆଇଆଇସି କାଳୁ ସେଠୀଙ୍କ କହିବା କଥା, ସୁରକ୍ଷାକର୍ମୀମାନେ ସକାଳେ ଓ ସଂଧ୍ୟାରେ ଷ୍ଟେସନ୍ରେ ପାଟ୍ରୋଲିଂ କରୁଛନ୍ତି। କିନ୍ତୁ ମହିଳାଜଣକ ଟ୍ରେନ୍ରୁ ଡେଇଁଲା ବେଳେ କେଉଁ ସୁରକ୍ଷାକର୍ମୀ ଥିଲେ, ସେ ବାବଦରେ ସେ କିଛି କହି ନାହାନ୍ତି। ଅନ୍ୟପକ୍ଷରେ ଗତକାଲି ମହିଳାଜଣଙ୍କ ଟ୍ରେନ୍ରୁ ଡ଼େଇଁ ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳର ଯୁବକ ସୁଶୀଲ ମହାଭୋଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲ୍ରେ ଚିକିତ୍ସା କରାଇଥିଲେ। ପରେ ମହିଳାଙ୍କ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ନେଇ ଯାଇଥିଲେ। ସୁଶୀଲଙ୍କ ସୂଚନାନୁଯାୟୀ, ଷ୍ଟେସନ୍ରେ ଟ୍ରେନ୍ ଅଟକୁ ନାହିଁ ବୋଲି ମହିଳାଜଣକ ଜାଣି ନଥିଲେ। ତେଣୁ ଧିମା ଗତି ଦେଖି ସେ ଭୁଲ୍ବଶତଃ ଉକ୍ତ ଟ୍ରେନ୍ରେ ଚଢ଼ି ଯାଇଥିଲେ।