ରାଜଧାନୀରେ ଚାଞ୍ଚଲ୍ୟ : ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁଲିସର ତନାଘନା, ଚାଲିଛି ପ୍ରମାଣ ଖୋଜା

ଭୁବନେଶ୍ବର : ଥାନା ନିକଟରେ ଜଣେ ମହିଳାଙ୍କୁ ଦୁଇଥର ଗଣଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ୍‌ ଏତଲା ରଖୁ ନଥିବାରୁ ପୀଡ଼ିତାଜଣଙ୍କ ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରେ ବାଧ୍ୟ ହୋଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। କିନ୍ତୁ ମାମଲା ରୁଜୁ ହେବାକୁ ୫ଦିନ ବିତି ଯାଇଥିଲେ ହେଁ ପୁଲିସକୁ ଏଯାଏ କୌଣସି ପ୍ରମାଣ ମିଳିପାରି ନାହିଁ। ମହିଳାଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ଶ୍ବଶୁର ଘର ହଳଦୀପଡ଼ିଆ‌‌ରେ ଓ ବାପଘର ସାଲିଆସାହିରେ। ଗତ ୨୬ ତାରିଖ‌ରେ ସେ ବାପଘରୁ ହଳଦୀପଡ଼ିଆକୁ ଆସିଥିଲେ। ସନ୍ଧ୍ୟା ସମୟରେ ଚାଲିଚାଲି ଫେରୁଥିବା ବେଳେ ଚାରିଜଣ ଯୁବକ ଲକ୍ଷ୍ମୀସାଗର ଥାନା ନିକଟରେ କେନାଲ ରୋଡ୍‌କୁ ସଂଯୋଗ କରିଥିବା ରାସ୍ତାର ଏକ ସ୍ଥାନକୁ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳର ଗୁଣ୍ଡ ଲେଙ୍କା ଓ ତାଙ୍କର ତିନି ଜଣ ସହଯୋଗୀ ଏହି ଅପରାଧ ଘଟାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ପରଦିନ ଅର୍ଥାତ୍ ୨୭ ତାରିଖ ସକାଳେ ତିନି ଜଣ ସେହି ସ୍ଥାନରେ ପୁନର୍ବାର ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପରଦିନ ସକାଳେ ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନସ ମହାରଣା ଓ ତାଙ୍କର ଦୁଇ ସହଯୋଗୀ ରହିଥିବା ଅଭିଯୋଗ ହୋଇଛି।

ଘଟଣା ଘଟିବା ପରେ ପୀଡ଼ିତା ପ୍ରଥମେ ଥାନାକୁ ଯାଇଥିଲେ। କିନ୍ତୁ ପୁଲିସ ଅଭିଯୋଗ ନ ରଖିବାରୁ ସେ ପୁଲିସ କମିସନରଙ୍କର ଦ୍ବାରସ୍ଥ ହୋଇଥିଲେ। ପୁଲିସ କମିସନରଙ୍କ ନିର୍ଦ୍ଦେଶ ଆସିବା ପରେ ଗତ ୧୬ତାରିଖରେ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ମହିଳାଙ୍କ ଶ୍ବଶୁରଘର, ଘଟଣାସ୍ଥଳ ଏବଂ ଅନ୍ୟ କିଛି ସ୍ଥାନକୁ ଯାଇ ପୁଲିସ ତଦନ୍ତ କରିଛି। ଏବେ ସୁଦ୍ଧା ପୁଲିସକୁ କୌଣସି ପ୍ରମାଣ ମିଳି ନ ଥିବାରୁ ଖୋଳତାଡ଼ ଚାଲିଛି। ଖୁବ୍‌ଶୀଘ୍ର ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର