ଚାକିରି ଖୋଜିବାକୁ ଯାଇ ଦଲାଲ ହାବୁଡ଼ରେ ମହିଳା : ବିବାହ ପରେ ବେଶ୍ୟାବୃତ୍ତି ପାଇଁ ଚାପ

ଭୁବନେଶ୍ୱର : ଚାକିରି ଖୋଜିବାକୁ ମୁମ୍ବାଇ ଯାଇଥିଲେ ସ୍ବାମୀ ପରିତ୍ୟକ୍ତା ଓଡ଼ିଆ ମହିଳା। ହେଲେ ଦଲାଲଙ୍କ ଜାଲରେ ପଡ଼ିଗଲେ। ଦଲାଲର ଚାଲ୍‌ ବୁଝିନପାରି ପ୍ରଥମେ ତାଙ୍କୁ ବିବାହ କଲେ। ବିବାହର କିଛି ଦିନ ପରେ ଦଲାଲର ଅସଲ ଚେହେରା ପଦାରେ ପଡ଼ିଲା। ପୂର୍ବରୁ ଏଭଳି ଅନେକ ଅସହାୟ ଯୁବତୀ ଓ ମହିଳାଙ୍କୁ ଜାଲରେ ପକାଇ ବେଶ୍ୟାବୃତ୍ତିରେ ଲଗାଇଥିଲା। ସମ୍ପୃକ୍ତ ଅସହାୟ ମହିଳାଙ୍କୁ ମଧ୍ୟ ସେ ବାଧ୍ୟ କରିଥିଲା। ବେଶ୍ୟାବୃତ୍ତି ପାଇଁ ରାଜି ନ ହେଲେ ଦଲାଲ ରହୁଥିବା ୨୫ ମହଲା କୋଠା ଉପରୁ ଠେଲି ମାରିଦେବା ପାଇଁ ଅନେକ ଥର ଉଦ୍ୟମ କରିଥିଲା। କୌଣସି ମତେ ସମ୍ପୃକ୍ତ ମହିଳା ସେଠାରୁ ଓଡ଼ିଶା ଖସି ଆସିଲେ, ହେଲେ ମୁମ୍ବାଇ ପୁଲିସ ପାଇଁ ସେ ଏବେ ୱାଣ୍ଟେଡ୍‌। ସମ୍ପୃକ୍ତ ଦଲାଲ ମହିଳାଙ୍କ ନାମରେ ୪ ଲକ୍ଷ ଟଙ୍କା ସହ ଗହଣା ଚୋରାଇ ନେଇଥିବା ଅଭିଯୋଗ କରିଛି। ଏଣୁ ମୁମ୍ବାଇ ପୁଲିସ ତାଙ୍କୁ ‌ଖୋଜୁଛି। ଗୋଟିଏ ପଟେ ପୁଲିସର ତନାଘନା, ଅନ୍ୟପଟେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ମହିଳାଜଣକ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି। ଏଭଳି ଦଲାଲଙ୍କର ସହଯୋଗୀ ଓଡ଼ିଶାରେ ରହୁଛନ୍ତି। ଯୁବତୀଙ୍କ ପସନ୍ଦ ଅନୁସାରେ କାହାକୁ ଚାକିରି, କାହାକୁ ଫିଲ୍ମ ଅଭିନେତ୍ରୀ କରାଇବାର ରଙ୍ଗିନ ସ୍ବପ୍ନ ‌ଦେଖାଇ ନେଇ ଯାଉଛନ୍ତି। ସେଠାରେ ଏଭଳି ଢଙ୍ଗରେ ନିଜ କାମନାକୁ ଚରିତାର୍ଥ କରୁଛନ୍ତି। ଯେଉଁମାନେ ବାଟ ନ ପାଇ ସେଠାରେ ରହିବା ପାଇଁ ବାଧ୍ୟ ହେଉଛନ୍ତି ସେମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଇ ବେଶ୍‌ ମୋଟା ଅଙ୍କରେ ରୋଜଗାର କରୁଛନ୍ତି। ଦଲାଲ ଜଣକ ଉତ୍ତରପ୍ରଦେଶ ଉନ୍ନାଓ ଥାନା ଚଣ୍ଡିକା ପକ୍ସ ଅଞ୍ଚଳର ସଞ୍ଜୟ ଧାନୁକ୍‌ ବୋଲି ସେ ଅଭିଯୋଗପତ୍ରରେ ଲେଖିଛନ୍ତି। ସମ୍ପୃକ୍ତ ମହିଳା କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ହେଲେ ଓଡ଼ିଶାରୁ ମୁମ୍ବାଇ ପର୍ଯ୍ୟନ୍ତ ଥିବା ଦେହ ବେପାର ରୢାକେଟ୍‌ର ଖୁଲାସା ହେବା ସହ ଅନେକ ଯୁବତୀ ‌ଯୌନପିପାସୁଙ୍କ କବଳରୁ ଉଦ୍ଧାର ପାଇ ପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର