ପୁଲିସ ପ୍ରେମରେ ମହିଳା ଘର ଛାଡ଼ି ଛୁ’

ପୁରୁଣା ଭୁବନେଶ୍ବର : ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କ ପ୍ରେମରେ ଫସି ଜଣେ ବିବାହିତା ମହିଳା ଦୁଇ ଦୁଇ ଥର ଘର ଛାଡ଼ି ଛୁ’ ମାରିବା ଘଟଣା ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ୱାମୀ ଓ ପୁଅକୁ ଛାଡ଼ି ମହିଳା ଜଣକ ବାରମ୍ବାର ଉକ୍ତ ପୁଲିସ କନେଷ୍ଟବଳଙ୍କ ପାଖକୁ ଚାଲି ଯାଉଥିବାରୁ ସ୍ୱାମୀ ଆଉ ଥାନାକୁ ଯିବାକୁ ମୁହଁ ନାହିଁ ବୋଲି କହିଛନ୍ତି।

ନିଆଳୀ ଅଞ୍ଚଳର ଏହି ଯୁବକ ନିଜ ସ୍ତ୍ରୀ ଟୁନି(ଛଦ୍ମନାମ) ଓ ପୁଅକୁ ଧରି ଏହି ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଏକ ଔଷଧ କମ୍ପାନିରେ କାମ କରୁଥିବା ଯୁବକ ଜଣକ କୋଲକାତା ଯାଇଥିବା ବେଳେ ବେଆଇନ କଫ୍ ସିରପ୍‌ ବିକ୍ରି କରୁଥିବା ଅଭିଯୋଗରେ ସେଠାରେ ଗିରଫ ହୋଇଥିଲେ। ଉକ୍ତ ଥାନାର ଜଣେ କନେଷ୍ଟବଳ ଟୁନିକୁ ଫୋନ୍‌ କରି ତାଙ୍କ ସ୍ବାମୀର ଗିରଫଦାରୀ ବିଷୟରେ ଜଣାଇଥିଲେ। ତେଣୁ ସ୍ୱାମୀଙ୍କୁ ଜାମିନ୍‌ରେ ଆଣିବା ପାଇଁ ଟୁନି କୋଲକାତା ଯାଇଥିଲେ ଓ ଉକ୍ତ କନେଷ୍ଟବଳଙ୍କ ସହଯୋଗ ନେଇଥିଲେ। ତେବେ ସ୍ୱାମୀକୁ ଜାମିନ୍‌ କରାଉ କରାଉ ଟୁନି ଓ କନେଷ୍ଟବଳଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଶେଷରେ ସେମାନଙ୍କ ପ୍ରେମର ନିବିଡ଼ତା ଏତେ ବଢ଼ିଗଲା ଯେ ଟୁନି ପ୍ରେମିକ ପାଖରେ କୋଲକାତାରେ ରହିଗଲେ। ଏଣେ ଜାମିନ୍‌ରେ ମୁକୁଳି ଯୁବକ ଜଣକ ଘରେ ପହଞ୍ଚିବା ବେଳକୁ ଟୁନି ନଥିଲେ। ବୁଝୁବୁଝୁ ଜଣାଗଲା ଯେ ଟୁନି କନେଷ୍ଟବଳ ପାଖରେ ଅଛନ୍ତି। ତେଣୁ ସେ ଶ୍ରୀଲିଙ୍ଗରାଜ ଥାନାର ଦ୍ବାରସ୍ଥ ହୋଇଥିଲେ। ଶ୍ରୀଲିଙ୍ଗରାଜ ଥାନା ପୁଲିସ କୋଲକାତା ଯାଇ ଟୁନିକୁ ଉଦ୍ଧାର କରି ଭୁବନେଶ୍ବର ଫେରାଇ ଆଣିଥିଲା। ତେବେ ମାତ୍ର ଦୁଇ ସପ୍ତାହ ନ ବିତୁଣୁ ପୁଣି ଟୁନି ଫେରାର୍ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର