ଭୁବନେଶ୍ବର: ଶୁକ୍ରବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଛକରେ ଡିପୋକୁ ଫେରୁଥିବା ଏକ ମୋ ବସ୍ ଦୁର୍ଘଟଣା ଘଟାଇଥିଲା। ବେପରୁଆ ଚାଳକ ଯୋଗୁ କଳିଙ୍ଗବିହାରରେ ରହୁଥିବା ନନ୍ଦିନୀ ପ୍ରଧାନଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ଭାଇ ବିଦ୍ୟାସାଗର ପ୍ରଧାନଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଥିଲେ। ବୃଦ୍ଧା ମା’ଙ୍କ ଆଖି ଆଗରେ ଝିଅର ମୃତ୍ୟୁ ଘଟିବା ଓ ପୁଅ ଗୁରୁତର ହେବା ଭଳି ଘଟଣା ସେତେବେଳେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ ଚାଳକକୁ ବହେ ଛେଚିବା ସହ ବସ୍ ଭଙ୍ଗାରୁଜା କରିଥିଲେ। ନନ୍ଦିନୀଙ୍କ ମୃତ୍ୟୁ ଗତକାଲି ଯେତିକି ଉତ୍ତେଜନା ସୃଷ୍ଟି କରିଥିଲା, ଆଜି ତାଙ୍କ କାହାଣୀ ସେତିକି ବିଷାଦ ଖେଳାଇଦେଇଥିଲା। ଆଜି ପୁଅ ପରୀକ୍ଷାରୁ ଫେରିବା ପରେ ଘରେ ମା’ର ମୃତଦେହ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଥିଲା। ସେହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା।
ଗତକାଲି ନନ୍ଦିନୀ ଓ ତାଙ୍କ ଭାଇ ବିଦ୍ୟାସାଗର ସେମାନଙ୍କ ବୃଦ୍ଧା ମା’ ରାଜକୁମାରୀଙ୍କୁ ଫୁଲବାଣୀ ବସ୍ରେ ବସାଇବାକୁ ଆସିଥିଲେ। ସେମାନେ ପାତ୍ରପଡ଼ା ଛକରେ ବସ୍କୁ ଅପେକ୍ଷା କରିଥିଲେ। ସେଠାରେ ଅନ୍ୟ ଜଣେ ମହିଳା ଆଞ୍ଜେଲିନା ନାୟକ, ତାଙ୍କ ସ୍ବାମୀ ସତ୍ୟବାନ ନାୟକ ଓ ଜୋଇଁ ସିକେନ୍ଦ୍ର ପରିଚ୍ଛା ମଧ୍ୟ ଫୁଲବାଣୀ ବସ୍କୁ ଅପେକ୍ଷା କରିଥିଲେ। ଆଉ କିଛି ମିନିଟ୍ ମଧ୍ୟରେ ଫୁଲବାଣୀ ବସ୍ ପହଞ୍ଚିଥା’ନ୍ତା। କିନ୍ତୁ ହଠାତ୍ କାଳ ଭଳି ମାଡ଼ିଆସିଲା ମୋ ବସ୍। ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା। ତିନି ତିନିଟି ଗାଡ଼ିକୁ ଚୁର୍ମାର କରିବା ସହ ନନ୍ଦିନୀଙ୍କୁ ଘୋଷାରି ନେଲା। ସେହିଭଳି ବିଦ୍ୟାସାଗର, ଆଞ୍ଜେଲିନା, ସତ୍ୟବାନ ମଧ୍ୟ ବସ୍ ଧକ୍କାରେ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ନନ୍ଦିନୀଙ୍କ ମୃତ୍ୟୁ ହୋଇଯାଇଥିଲା। ବୃଦ୍ଧା ରାଜକୁମାରୀଙ୍କ ଆଖି ଆଗରେ ଝିଅର ମୃତଦେହ ଏବଂ ଗୁରୁତର ପୁଅ ପଡ଼ିଥିଲା। ସେ ମୁଣ୍ଡ ପିଟି କାନ୍ଦିବାକୁ ଲାଗିଲେ। ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବା ପରେ ରୁଣ୍ଡ ହୋଇଥିବା ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।
ମୋ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ବାହାରିବା ଦେଖି ଲୋକେ ଗୋଡ଼ାଇଥିଲେ। ବସ୍ ଚାଳକ ପ୍ରଶାନ୍ତ ଛୋଟରାୟ ଜୀବନ ବିକଳରେ ଗାଡ଼ିର ବେଗ ବଢ଼ାଇ ଖୋର୍ଦ୍ଧା ଦିଗରେ ପଳାଇଥିଲା। ପାଖାପାଖି ୨୦ ବାଇକ୍ ତାକୁ ଗୋଡ଼ାଇ ଥିଲା। ତଳଖେତା ଛକରୁ ବସ୍ଟି ମୋଡ଼ ବଦଳାଇ ତମାଣ୍ଡୋ ଦିଗରେ ଆସିଥିଲା ଏବଂ ତମାଣ୍ଡୋ ଥାନା ନିକଟରେ ଅଟକି ଥିଲା। ପିଛା କରୁଥିବା ଲୋକେ ତାକୁ ବହେ ଛେଚିଥିଲେ ଏବଂ ବସ୍ ଭଙ୍ଗାରୁଜା କରିଥିଲେ। ପୁଲିସ ବହୁ କଷ୍ଟରେ ଚାଳକ ପ୍ରଶାନ୍ତକୁ ଉଦ୍ଧାର କରିଥିଲା। ସେପଟେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପସ୍ତୁତ ହେଉଥିବା ନନ୍ଦିନୀଙ୍କ ପୁଅ ମା’ କୁ ଅପେକ୍ଷା କରି ରହିଥିଲେ। କାନ୍ଦି କାନ୍ଦି ଆଈ ଘରକୁ ଫେରିବା ପରେ ମା’ର ଦୁର୍ଘଟଣା ହୋଇଛି ବୋଲି ପୁଅ ଜାଣିବାକୁ ପାଇଥିଲା। କିନ୍ତୁ ନନ୍ଦିନୀ ଆଉ ନାହାନ୍ତି ବୋଲି କୁହାଯାଇ ନଥିଲା। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି କୁହାଯାଇଥିଲା। ଆଜି ବ୍ୟବଚ୍ଛେଦ ପୂର୍ବରୁ ନନ୍ଦିନୀଙ୍କ ଚକ୍ଷୁ ଆଇବ୍ୟାଙ୍କ୍କୁ ଦାନ କରାଯାଇଥିଲା।