ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ମାମଲା: ହାଇୱା ପୋଡ଼ି ଅଭିଯୋଗରେ ୩ ଗିରଫ

ବାଲିଅନ୍ତା: ମଙ୍ଗଳବାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ହାଇୱା ପୋଡ଼ି ମାମଲାରେ ବାଳକାଟି ଫାଣ୍ଡି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଳକାଟି ଫାଣ୍ଡି ରଥିଜେମା ଗ୍ରାମର ମିଥୁନ ସାହୁ(୨୧), ରଜତ ମହାନ୍ତି(୨୬) ଓ ରଞ୍ଜିତ ପ୍ରଧାନ (୩୩) ଓରଫ୍‌ ପିଣ୍ଟୁ। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିଭଳି ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକ ଭୀମସେନ ସେଠୀକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ୯ଟା ବେଳେ ପୁରୀ ମୁଖ୍ୟ କେନାଲ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଓ ଝରଣା ସାହୁ(୨୬)ଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀ ଜିତେନ୍ଦ୍ରଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ପଛରୁ ତାଙ୍କୁ ହାଇୱା ଧକ୍କା ଦେଇଥିଲା ଓ ଝରଣା ସ୍କୁଟିରୁ ଛିଟିକି ପଡ଼ିବା ପରେ ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା। କେନାଲ ରାସ୍ତାରେ ଦ୍ରୁତବେଗରେ ଗାଡ଼ି ଚଳାଇବାରୁ ଏଭଳି ଅଘଟଣ ଘଟିଥିଲା। ତେଣୁ ଏଥିରେ ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ହାଇୱାକୁ ଜାଳି ଦେଇଥିଲେ। ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସୂଚନାନୁସାରେ ଏହି ଗଣ୍ଡଗୋଳ ମାମଲାରେ ଚିହ୍ନଟ କରାଯାଇଥିବା ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜାଳିଦେବା, ପୁଲିସକୁ ଗାଳିମନ୍ଦ କରିବା, ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା, ରାସ୍ତା ଅବରୋଧ କରି ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିବା, ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନିଆଁ ଲିଭାଇବା ବେଳେ ବିରୋଧ କରିବା ଓ ସର୍ବୋପରି କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର