ଶିଶୁକନ୍ୟାକୁ ରାସ୍ତାରେ ଛାଡ଼ି ଦେଇଗଲେ ମହିଳା

ଘରକୁ ନେଇ ରଖିଥିଲେ ବସ୍ତିବାସିନ୍ଦା, ୪ ଦିନ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ୍‌

ଭୁବନେଶ୍ବର : ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତାର ପାଣ୍ଡରା ବସ୍ତିରୁ ଏକ ଦୁଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ରବିବାର ସନ୍ଧ୍ୟାରେ ଚାଇଲ୍ଡଲାଇନ୍‌ର ଏକ ଟିମ୍ ବସ୍ତିରେ ରହୁଥିବା ଶିଶିର ଦଳେଇଙ୍କ ଘରୁ ପିଲାଟିକୁ ଉଦ୍ଧାର କରିଛି। ଆଜି ଶିଶୁକନ୍ୟାକୁ ସିଡବ୍ଲୁସିଙ୍କ ନିକଟରେ ହାଜର କରାଯିବ। ଏ ସଂକ୍ରାନ୍ତରେ ଚାଇଲ୍ଡଲାଇନ ପକ୍ଷରୁ ମଞ୍ଚେଶ୍ବର ଥାନାରେ ରିପୋର୍ଟ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ ପାଣ୍ଡରା ନିକଟରେ ଶିଶୁକନ୍ୟାଟିକୁ ଜଣେ ମହିଳା ରାସ୍ତାରେ ଛାଡ଼ି ଦେଇ ପଳାଇଥିଲେ। ସେଠାରେ ଥିବା ବସ୍ତିର ଶିଶିର ଦଳେଇ ଏହା ଦେଖିଥିଲେ। ଶିଶୁଟି କାନ୍ଦୁଥିବା ବେଳେ ଶିଶିର ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ଛାଡ଼ି ଯାଇଥିବା ମହିଳା ଫେରିବେ ବୋଲି ଭାବି ଶିଶିର ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିଥିଲେ। କିନ୍ତୁ ମହିଳା ନ ଫେରିବାରୁ ଶିଶିର ଶିଶୁକନ୍ୟାକୁ ଧରି ଘରକୁ ଫେରିଥିଲେ। ଶିଶିରଙ୍କର ପୂର୍ବରୁ ଦୁଇଟି ପିଲା ଥିବା ବେଳେ ଆଉ ଗୋଟିଏ ପିଲା କେଉଁଠୁ ଆସିଲା ସେ ନେଇ ଆଜି ଚାଇଲ୍ଡଲାଇନକୁ ଏକାଧିକ କଲ୍ ଆସିଥିଲା। ଏହା ପରେ ଚାଇଲ୍ଡଲାଇନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଏ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅଧିକ ତଥ୍ୟ ମିଳିବ ବୋଲି ଚାଇଲ୍ଡଲାଇନ ଅଧିକାରୀ ବେଣୁଧର ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର