ଭୁବନେଶ୍ବର: ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେବା ଅଭିଯୋଗରେ ମହିଳା ଥାନା ପୁଲିସ ୨ ବନ୍ଧୁଙ୍କୁ ବାନ୍ଧିଛି। ଅଭିଯୁକ୍ତଦ୍ବୟ ହେଲେ‌ ଗଣ୍ଡମୁଣ୍ଡା ଅଞ୍ଚଳରେ ଭଡ଼ାରେ ରହୁଥିବା ନାରାୟଣ ହରିଚନ୍ଦନ ଓରଫ ପପୁ(୨୩) ଓ ସ୍ବାଧୀନ ବେହେରା ଓରଫ ଗଉରା(୨୩)। ପୁଲିସ ସେମାନଙ୍କ ନିକଟରୁ ୨ଟି ମୋବାଇଲ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ ପୀଡ଼ିତାଙ୍କ ଉପରେ ଅଭିଯୁକ୍ତ ପପୁର ଲୋଲୁପ ନଜର ପଡ଼ିଥିଲା। ପଡ଼ୋଶୀ ହିସାବରେ ସୁସମ୍ପର୍କ ରଖିବା ଆଳ କରି ସେ ଚତୁରତାର ସହ ମହିଳାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିନେଇଥିଲା। ଏହାପରେ ପପୁ ତା’ର ଅସଲ ଚେହେରା ଦେଖାଇଥିଲା। ପୀଡ଼ିତାଙ୍କୁ ପିଛା କରି ଅଶ୍ଳୀଳ ଇଂଗିତ କରିବା ଭଳି ହରକତ କରିଥିଲା। ଏମିତିକି ସମ୍ପର୍କ ନ ରଖିଲେ, ସେ ପାଖରେ ରଖିଥିବା ଭିଡିଓ ଓ ଫଟୋ ଭାଇରାଲ୍‌ କରିବ ବୋଲି ଧମକ ଦେଇଥିଲା। ପୀଡ଼ିତା ତା କଥାକୁ ଗୁରୁତ୍ବ ନ ଦେବାରୁ ପପୁ ରାଗିଯାଇଥିଲା। ୧୦ ତାରିଖ‌ ଦିନ ମହିଳାଙ୍କ ସ୍ବାମୀ ଘରେ ନଥିବା ସମୟରେ ପପୁ ତାଙ୍କ ଘରେ ପଶି ମହିଳାଙ୍କ ସହ ବଳପୂର୍ବକ ଖରାପ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାଜଣକ ପାଟି କରିବାକୁ ଧମକ ଦେବାରୁ ପପୁ ଫେରିଆସିଥିଲା। ଏହାପରେ ପପୁର ବନ୍ଧୁ ସ୍ବାଧୀନ, ମହିଳାଙ୍କୁ ଫୋନ୍‌ କରି ଧମକ ଦେଲା। ସମ୍ପର୍କ ରଖ, ନଚେତ ନଗ୍ନ ଭିଡିଓ ଓ ଫଟୋ ଭାଇରାଲ୍ କରାଯିବ ଏବଂ ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ସ୍ବାଧୀନ ଫୋନ୍‌ କରି ପୀଡ଼ିତାଙ୍କୁ ଧମକାଇଲା। ଲୋକଲଜ୍ଜାକୁ ଡରି ଚୁପ୍‌ ଥିବା ପୀଡ଼ିତା ଏଥର ସ୍ବାମୀଙ୍କୁ ଜଣାଇଲେ ଏବଂ ସ୍ବାମୀ-ସ୍ତ୍ରୀ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।