ହୋଟେଲରେ ମହିଳାଙ୍କୁ ହତ୍ୟା ମାମଲା: ଅଢ଼େଇ ବର୍ଷ ହେଲା ହତ୍ୟାକାରୀର ପତ୍ତା ମିଳୁନି

ସକାଳେ ସପିଂ ରାତିରେ ହତ୍ୟା

ଏଇ ନିକଟରେ
ରାଜଧାନୀରେ ଜଣେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣାର ପର୍ଦ୍ଦାଫାସ୍ କଲା କମିସନରେଟ ପୁଲିସ। ସେହିପରି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨୨ ବର୍ଷ ପରେ ପୁଣେରୁ ଗିରଫ କରି ବେଶ୍ ପ୍ରଶଂସା ସାଉଁଟିଛି କମିସନରେଟ ପୁଲିସ। କିନ୍ତୁ ଏମିତି ଅନେକ ହତ୍ୟାକାଣ୍ଡ ଓ ଅପରାଧ ରହିଛି ଯାହା ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି ପୁଲିସ। ଏମିତି କିଛି ଚର୍ଚ୍ଚିତ ଅପରାଧକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ସ୍ତମ୍ଭ ‘ଅସମାହିତ ଅପରାଧ’।

ଭୁବନେଶ୍ବର: ୨୪ ଅଗଷ୍ଟ ୨୦୧୮। ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ। ମଞ୍ଚେଶ୍ବର ଥାନା ଠାରୁ ମାତ୍ର ଅଳ୍ପ ଦୂର ହୋଟେଲ ହାଇୱେ ଇନ୍‌ରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଗଲା। ହୋଟେଲ ରୁମ୍‌ରୁ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଗଲା। ହତ୍ୟାର ଶିକାର ହୋଇଥିଲେ ଖୋର୍ଦ୍ଧାଗଡ଼ ଅଞ୍ଚଳର ଲକ୍ଷ୍ମୀପ୍ରିୟା ବିଶ୍ବାଳ। ଲକ୍ଷ୍ମୀପ୍ରିୟାଙ୍କ ସହ ରୁମ୍‌ରେ ଥିବା ବ୍ୟକ୍ତି ଜଣକ ଦେଇଥିବା ଆଧାର କାର୍ଡ ପୁଲିସ ଜବତ କରିବା ପରେ ଆଶ୍ବସ୍ତ ହୋଇଥିଲା। ଆଧାର କାର୍ଡ ଆଦିତ୍ୟ ମହାପାତ୍ରଙ୍କର ଓ ଘର ପୁରୀ ଦୋଳମଣ୍ଡପ ସାହିରେ ବୋଲି ଜଣା ପଡିଥିଲା। ତେଣୁ ଅଭିଯୁକ୍ତ ସହଜରେ ଧରା ପଡିଯିବ ବୋଲି ପୁଲିସ ଭାବିଥିଲା। କିନ୍ତୁ ସେହି ଆଧାର କାର୍ଡ ଜାଲ୍‌ ଜଣାପଡିବା ପରେ ପୁଲିସ ଅକଲ୍‌ ଗୁଡୁମ୍ ହୋଇ ଯାଇଥିଲା। ଏହି ଘଟଣାକୁ ଅଢ଼େଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ହତ୍ୟାକାରୀ ଟେର୍ ପାଇପାରି ନାହିଁ କମିସନରେଟ୍ ପୁଲିସ। ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି। ହତ୍ୟାକାରୀକୁ ଧରିବା ପାଇଁ ଜାଲ ବିଛାଯାଇଛି ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ଲକ୍ଷ୍ମୀପ୍ରିୟା ୨୦୦୪ରେ ଅକ୍ଷୟ ବିଶ୍ବାଳଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ସ୍ବାମୀ ସ୍ତ୍ରୀଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଭୁବନେଶ୍ବର ମହିଳା ଥାନାରେ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଆଣିବା ପରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଲକ୍ଷ୍ମୀପ୍ରିୟା କଳାଝରିରେ ରହୁଥିବା ତାଙ୍କ ଭିଣୋଇଙ୍କ ଘରେ ରହୁଥିଲେ। ଏକ ସଂସ୍ଥାରେ କାମ ମଧ୍ୟ କରୁଥିଲେ। ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ଅଗଷ୍ଟ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା କାମ ଥିବା କହି ଘରୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ଜଣେ ଯୁବକଙ୍କ ସହ ୨୨ ତାରିଖ ସନ୍ଧ୍ୟାରେ ହାଇ ୱେ ଇନ୍ ହୋଟେଲରେ ପହଞ୍ଚିଥିଲେ। ସେଠାରେ ରୁମ୍ ନଂ ୧୨୧ରେ ରହିଥିଲେ। ୨୩ ତାରିଖରେ ଉଭୟ ବାହାରକୁ ଯାଇଥିଲେ। ଅପରାହ୍ନ ୨ଟାରେ ଫେରିଥିଲେ। ସନ୍ଧ୍ୟାରେ ହୋଟେଲ କର୍ତ୍ତୃପକ୍ଷ ଟଙ୍କା ମାଗିଥିଲେ। ରାତିରେ ଏଟିଏମ୍‌କୁ ଟଙ୍କା ଆଣିବାକୁ ଯାଇଥିବା କହି ହୋଟେଲକୁ ଫେରି ନ ଥିଲେ। ସକାଳେ ହୋଟେଲ କର୍ମଚାରୀ ସେହି ରୁମ୍‌ର ସାମ୍ନା ପଟୁ ତାଲା ପଡ଼ିଥିବା ଦେଖିଥିଲେ। ପୁଲିସ ପହଞ୍ଚି କବାଟ ତାଲା ଭାଙ୍ଗିବା ପରେ ଚଟାଣରେ ଲକ୍ଷ୍ମୀପ୍ରିୟାଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିଲା। ଘଟଣାସ୍ଥଳରୁ ରକ୍ତଲଗା ଲୁହା ପାଇପ୍, ପୋଷାକ, ଗିଫ୍ଟ ଓ କିଛି ସାମଗ୍ରୀ ଜବତ କରା ଯାଇଥିଲା।

ହୋଟେଲ କର୍ତ୍ତୃପକ୍ଷଙ୍କ ଭୁଲ୍ ପାଇଁ ଖସିଗଲା ହତ୍ୟାକାରୀ
ହୋଟେଲ କର୍ତ୍ତୃପକ୍ଷଙ୍କ ଭୁଲ୍ ପାଇଁ ହତ୍ୟାକାରୀ ଖସିଗଲା ବୋଲି ପୁଲିସ ଜାଣିବାକୁ ପାଇଛି। ପ୍ରଥମ କଥା ହେଲା ହୋଟଲେର ସିସିଟିଭି ବ୍ୟବସ୍ଥା ନ ଥିଲା। ଯାହାଫଳରେ ହତ୍ୟାକାରୀ ଫଟୋ ସିସିଟିଭି ଫୁଟେଜ୍‌ରେ ଆସିପାରି ନାହିଁ। ସିସିଟିଭି ଲଗାଇବା ବାଧ୍ୟତାମୂଳକ ଥିଲେ ମଧ୍ୟ ଏହାକୁ ଖିଲାପ କରାଯାଇଛି। ଦ୍ବିତୀୟ କଥା ହେଲା ହୋଟେଲ, ଗେଷ୍ଟ ହାଉସ ପାଇଁ ଉଦ୍ଦିଷ୍ଟ ସରାଇ ଆଇନ ଅନୁସାରେ, ଗ୍ରାହକଙ୍କ ତାଲିକା ଦାଖଲ କରିବା ବାଧ୍ୟତାମୂଳକ। ଦାଖଲ ହୋଇଥିବା ପରିଚୟପତ୍ରକୁ ପୁଲିସ ଯାଞ୍ଚ କରିବାର ନିର୍ଦ୍ଦେଶ ମଧ୍ୟ ରହିଛି। ହୁଏତ ପରିଚୟପତ୍ର ଯାଞ୍ଚ ହୋଇଥିଲେ ଜାଲ୍‌ ଆଧାର କାର୍ଡ ଧରା ପଡି ଯାଇଥାନ୍ତା। ପୁଲିସର ବାରମ୍ବାର ତାଗିଦ ସତ୍ତ୍ବେ ବି ନିୟମକୁ ଖିଲାପ କରି ଚାଲିଛନ୍ତି ହୋଟେଲ ଓ ଗେଷ୍ଟ ହାଉସ୍।

ହତ୍ୟା ପଛରେ ବିବାହ ବିବାଦ ସନ୍ଦେହ
ହତ୍ୟା ପଛରେ ବିବାହ ବିବାଦ ଥିବା ସନ୍ଦେହ ପରିସରକୁ ଆସିଥିଲା। ଲକ୍ଷ୍ମୀପ୍ରିୟା ହତ୍ୟାକାରୀକୁ ବିବାହ କରିବାକୁ ଚାହୁଁଥିଲେ। ସେମାନଙ୍କ ଭିତରେ ସମ୍ପର୍କ ଆଗକୁ ବଢିଥିଲା। ହତ୍ୟାକାରୀ ପୂର୍ବରୁ ବିବାହ କରିଥିବା ପୁଲିସ ସନ୍ଦେହ କରୁଛି। ଲକ୍ଷ୍ମୀପ୍ରିୟା ବିବାହ ପାଇଁ ଜିଦ୍ ଧରିବାରୁ ସେ ହତ୍ୟା କରିଥିବା ଅନୁମାନ କରାଯାଉଛି। ଅନୈତିକ ସମ୍ପର୍କ ମଧ୍ୟ ଆଉ ଏକ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି। ହତ୍ୟାକାରୀ ପୁରୀ କିମ୍ବା ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରୁଛି ପୁଲିସ।

ସମ୍ବନ୍ଧିତ ଖବର