ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ନିଷ୍କ୍ରିୟ : ଥାନା ଆଗରେ ଧାରଣା ଦେଲେ ପୀଡ଼ିତା

ଭୁବନେଶ୍ୱର : ହତ୍ୟା ଉଦ୍ୟମ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଜଣେ ପୀଡ଼ିତା ମହିଳା ଲକ୍ଷ୍ମୀସାଗର ଥାନା ଆଗରେ ଧାରଣା ଦେଇଥିଲେ। ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ଅଭିଯୋଗ ହେଲା, ଗତ ଏପ୍ରିଲ ୨୫ ତାରିଖରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହ ପରଠାରୁ ଶ୍ୱଶୁର ଘର ପରିବାର ସହ ତାଙ୍କର ସଂପର୍କ ଭଲ ନଥିଲା। କଥାକଥାକେ ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଗତରାତି‌ରେ କିନ୍ତୁ ନିର୍ଯାତନା ସବୁ ସୀମା ଲଙ୍ଘି ଯାଇଥିଲା। ଦେଢ଼ଶାଶୂ ଓ ନଣନ୍ଦେଇ ତଣ୍ଟି ଚିପି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କ କୌଶଳକ୍ରମେ ଛାତ ଡେଇଁ ସେମାନଙ୍କ କବଳରୁ ଖସି ଆସି ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ସେ ନିଜ ଘରକୁ ପଳାଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବାରୁ ପରିବାରଲୋକେ ତାଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଇଥିଲେ। ଆଜି ମହିଳାଜଣଙ୍କ ଏ ସଂପର୍କରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏତଲା ରଖିବା ବଦଳରେ ତାଙ୍କୁ ଅଯଥା ପ୍ରଶ୍ନ କରିବା ସହ ମାମଲା ରୁଜୁ କରିନଥିଲା। ଏହାର ପ୍ରତିବାଦରେ ମହିଳାଜଣଙ୍କ ଥାନା ଆଗରେ ଧାରଣା ଦେଇଥିଲେ। ସ୍ଥାନୀୟ ଜଣେ ମହିଳା ନେତ୍ରୀଙ୍କ ପ୍ରରୋଚନାରେ ପୁଲିସ ଏହି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା ଚଳାଇଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ପରିସ୍ଥିତି କ୍ରମଶଃ ଜଟିଳ ହେଉଥିବା ଦେଖି ପୁଲିସ ଉକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବାରୁ ମହିଳାଜଣଙ୍କ ଧାରଣାରୁ ଓହରିଥିଲେ। ଅପରପକ୍ଷେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଦୟାନିଧି ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର