ଭୁବନେଶ୍ବର : ଲକ୍ଷ୍ମୀସାଗରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ପୀଡ଼ିତାଙ୍କର ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି। ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କୁ ନେଇ କୋର୍ଟରେ ହାଜର କରିବା ପରେ ସିଆରପିସି ଧାରା-୧୬୪ ଅନୁଯାୟୀ ଏହି ବୟାନ ରେକର୍ଡ କରାଯାଇଛି। ପୀଡ଼ିତା ମହିଳା ଜଣକ ଏତଲାରେ ଉଲ୍ଲେଖ କରିଥିବା ସମସ୍ତ ଅଭିଯୋଗକୁ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ମଧ୍ୟ ଦୋହରାଇଥିବା ସୂଚନା ମିଳିଛି।

Advertisment

ଅନ୍ୟପକ୍ଷରେ ମହିଳାଙ୍କୁ ଦୁଇଦିନ ଧରି ବନ୍ଧୁକ ମୁନରେ ଗଣଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ ଜାରି ରହିଛି। ପୁଲିସ ଘଟଣାରେ ତନାଘନା ଚଳାଇଥିବା ବେଳେ ଏବେ ସୁଦ୍ଧା ୫ ଜଣଙ୍କୁ ଜେରା କରାଯାଇଛି। କିନ୍ତୁ ଘଟଣା ସମ୍ପର୍କରେ ପୁଲିସ ହାତରେ ସାମାନ୍ୟତମ ପ୍ରମାଣ ଲାଗିପାରି ନାହିଁ। ପୁଲିସ ଏକାଧିକ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ସୁରାକ୍ ମିଳିପାରୁ ନାହିଁ। ଦିନେ ଦୁଇ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୬ ତାରିଖରେ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ମାର୍ଚ୍ଚ ୧୬ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା। ଦୁଇ ଦିନ ଧରି ଗଣଦୁଷ୍କର୍ମ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଏଥିରେ ୭ ଜଣଙ୍କର ସମ୍ପୃକ୍ତି ଥିବା ମଧ୍ୟ କହିଥିଲେ। ଥାନା ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏଥିରେ ପୀଡ଼ିତା, ତାଙ୍କ ସ୍ବାମୀ, ଉଭଣୀ, ସମ୍ପର୍କୀୟ ଭାଇଙ୍କ ସମେତ ୫ରୁ ଅଧିକ ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି ପୁଲିସ।