ଭୁବନେଶ୍ବର: ସହଭାଗିତାରେ ବ୍ୟବସାୟ କରିବାର ପ୍ରଲୋଭନ ଦେଖାଇ ହୋଟେଲ୍‌ରେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ପୁରୀଜିଲ୍ଲା ପିପିଲି ଥାନା କଣ୍ଟି-ବାରମୂଳ ଗାଁର ରାଧେଶ୍ୟାମ ପାଟ୍ଟସାହାଣୀ(୨୯)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ ଏକ ମଲ୍‌ରେ ରାଧେଶ୍ୟାମ ସହ ମହିଳାଙ୍କ ସାକ୍ଷାତ ହୋଇଥିଲା। ସେବେଠୁ ସେମାନଙ୍କ ଭିତରେ ବନ୍ଧୁତା ହୋଇଥିଲା। ମହିଳାଜଣକ ଜଣେ ବିୟୁଟିସିଆନ୍‌ ଥିଲେ ଏବଂ ବିୟୁଟି ପାର୍ଲର୍‌ରେ କାମ କରିଥିବାର ଲମ୍ବା ଅଭିଜ୍ଞତା ଥିଲା। ତେଣୁ ରାଧେଶ୍ୟାମ ତାଙ୍କୁ ପାର୍ଟନର୍‌ କରି ରାଜଧାନୀରେ ଏକ ଅତ୍ୟାଧୁନିକ ବିୟୁଟି ପାର୍ଲର୍‌ କରିବାକୁ ପ୍ରସ୍ତାବ ଦେଇଥିଲା। 

Advertisment

ମହିଳାଜଣକ ୫୦% ସହଭାଗିତା ଦାବି କରିଥିଲେ। ୧୪ ତାରିଖ ଦିନ ରାଧେଶ୍ୟାମ ତାଙ୍କୁ ଖାରଳେବଳନଗରସ୍ଥିତ ଏକ ହୋଟେଲ୍‌କୁ ଡାକିଥିଲା। ବ୍ୟବସାୟ ବିଷୟରେ ଆଲୋଚନା କରିବାକୁ ସେ କହିଥିଲା। ହୋଟେଲ୍‌ରେ ଆଲୋଚନା ଚାଲିଥିବା ବେଳେ ରାଧେଶ୍ୟାମ ତାଙ୍କୁ ଅଶ୍ଳୀଳ ଇଂଗିତ କରିଥିଲା ଏବଂ ପ୍ରଲୋଭନ ଦେଖାଇ ତା ସହ ରାତି ବିତାଇବାକୁ କହିଥିଲା। ମହିଳାଜଣକ ଏହାକୁ ବିରୋଧ କରି ହୋଟେଲ୍‌ରୁ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଧେଶ୍ୟାମ ତାଙ୍କ ଫୋନ୍‌ ଛଡ଼ାଇନେବା ସହ ଧମକାଇଥିଲା। ଏମିତିକି ତାଙ୍କ ସ୍ବାମୀକୁ ହତ୍ୟା କରିବ ବୋଲି ଚେତାବନୀ ଦେଇଥିଲା। ଭୟରେ ମହିଳା ନିରବ ରହିଥିଲେ। ‌ଯୌନପିପାସୁ ରାଧେଶ୍ୟାମ ତାଙ୍କୁ ହୋଟେଲ୍‌ରେ ରାତି ସାରା ଦୁଷ୍କର୍ମ କରିଥିଲା। କୌଣସି ପ୍ରକାର ମହିଳାଙ୍କ ସ୍ବାମୀ ଓ ଭାଇ ହୋଟେଲ୍‌ରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସ୍ବାମୀଙ୍କ ସହ ମହିଳା ଘରକୁ ଫେରୁଥିବା ବେଳେ ହାଇଟେକ୍‌ ଛକରେ ରାଧେଶ୍ୟାମ ଓ ତା’ର କିଛି ସହଯୋଗୀ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏନେଇ ପୀଡ଼ିତା ପ୍ରଥମେ ମଞ୍ଚେଶ୍ବର ଓ ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।