ଚଳନ୍ତା କାର୍‌ରେ ଦୁଷ୍କର୍ମ ଘଟଣା : ମାମଲାଠାରୁ ବଳିଗଲା ତଦନ୍ତ ରହସ୍ୟ, ଯାଞ୍ଚରେ ଲଟକିଛି ଗିରଫଦାରି

ଖଣ୍ଡଗିରି : ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ସରୁନାହିଁ। ପୁଲିସ ମହିଳାଙ୍କ ବୟାନ, ଫୋନ୍‌ କଲ୍ ରେକର୍ଡ ଓ ମେଡିକାଲ ରିପୋର୍ଟ ଆଦି ଯାଞ୍ଚ କରିବାରେ ଲାଗିଛି। କିନ୍ତୁ ୬ ଦିନ ବିତିବା ପରେ କିଛି କାର୍ଯ୍ୟାନୁଷ୍ଠାନ ନଥିବାରୁ ପୁଲିସର ତଦନ୍ତ ଅଧିକ ରହସ୍ୟମୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ତେବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହା ନ ସରିବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।

ଗତ ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ମାମଲାରେ ପୁଲିସ ରାତାରାତି ଅଭିଯୁକ୍ତ କାର୍ ଚାଳକ ସୌମ୍ୟରଂଜନ ମହାନ୍ତିଙ୍କୁ ଜଟଣୀ କୁଦିଆରୀରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ଗୁରୁବାର ଉଭୟ ସୌମ୍ୟ ଓ ଅଭିଯୋଗକାରିଣୀଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ପୁଲିସ ଅଦାଲତଙ୍କ ନିକଟରେ ସମ୍ପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରାଇଥିଲା। ସୌମ୍ୟ ଥାନାରେ ଅଟକ ଥିବାବେଳେ ତାଙ୍କ ସ୍ତ୍ରୀ ଓ ବାପା ଅଭିଯୋଗ କରିଥିଲେ ଯେ ମହିଳା ଜଣକ ଧାର ନେଇଥିବା ୨ ହଜାର ଟଙ୍କା ନଶୁଝିବାକୁ ଏଭଳି ଷଡ଼୍‌ଯନ୍ତ୍ର ରଚନା କରି ସୌମ୍ୟଙ୍କୁ ଫସେଇ ଦେଇଛନ୍ତି। ତେଣୁ ଖଣ୍ଡଗିରିରୁ କାର୍‌ରେ ଲିଫ୍ଟ ଦେଇ ଦୁଷ୍କର୍ମ କରିବା ଅଭିଯୋଗ ମିଛ ବୋଲି ଜଣାପଡ଼ିଥିଲା। ବରଂ କାର୍ ଭିତରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହେବାରୁ ମହିଳା ଜଣଙ୍କ ବାହାରକୁ ଗଳି ପଡ଼ିଥିଲେ କିମ୍ବା ସୌମ୍ୟ ତାଙ୍କୁ ବାହାରକୁ ଠେଲି ଦେଇଥିଲେ ବୋଲି ଅନୁମାନ କରାଯାଉଥିଲା।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ମହିଳା ଜଣକ ତାଳେଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସ୍ତ୍ରୀ ବୋଲି ଦାବି କରି ରାଜଧାନୀରେ ହଙ୍ଗାମା ସୃଷ୍ଟି କରିଥିଲେ। ତେଣୁ ପୁଲିସ ମଧ୍ୟ ତତ୍ପରତାର ସହ ଅଭିଯୁକ୍ତ ସୌମ୍ୟକୁ ଉଠାଇ ଛାନ୍‌ଭିନ୍ ଆରମ୍ଭ କରିଥିଲା। ଏବେ ସବୁ କିଛି ଲଟକିଛି ଯାଞ୍ଚରେ। ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କ ସୂଚନାନୁସାରେ ତଦନ୍ତ ନ ସରିବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯିବ ନାହିଁ। ତେବେ ବଡ଼ କଥା ହେଉଛି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜଧାନୀରେ ହଟଚମଟ ସୃଷ୍ଟି କରିଥିବା ମହିଳା ଏହି ମାମଲାରେ ନିରବ ରହୁଥିବାରୁ ନାନାକଥା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର