ପୁରୁଣା ଭୁବନେଶ୍ୱର: ସ୍ଥାନୀୟ କୁଞ୍ଜପାଟଣାସାହିରେ ଜଣେ ମହିଳାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଦ୍ବିତୀୟ ସ୍ବାମୀକୁ ଦୀର୍ଘ ୩ ବର୍ଷ ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ୨୦୨୧ ଡିସେମ୍ବର ୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ହେଲା ଭଦ୍ରକ ନଇକିନାଡିହି ଥାନା ସାନହାବେଳିସାହିର ସମରେନ୍ଦ୍ର ବିଶ୍ବାଳ(୫୩)। ଦ୍ବିତୀୟ ପତ୍ନୀ ନମିତା ସାହୁଙ୍କୁ ହତ୍ୟା କରିବା ପରେ ସମରେନ୍ଦ୍ର କୋଲକାତା ପଳାଇ ଆତ୍ମଗୋପନ କରିଥିଲା। ପୁଲିସ ସୂଚନାନୁସାରେ ହତ୍ୟାର ଶିକାର ହୋଇଥିବା ନମିତା ଓ ସମରେନ୍ଦ୍ର କେଦାରଗୌରୀ ମନ୍ଦିରରେ ଦ୍ବିତୀୟ ବିବାହ କରିଥିଲେ। ନମିତା ତାଙ୍କ ପ୍ରଥମ ସ୍ବାମୀ ବଙ୍କିମ ସାହୁଙ୍କୁ ଏକପ୍ରକାର ଛାଡ଼ପତ୍ର ଦେଇସାରିଥିଲେ ଏବଂ ସମରେନ୍ଦ୍ରର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ସ୍ବାମୀଙ୍କୁ ଛାଡ଼ିବା ପରେ ନମିତା ଭୁବନେଶ୍ବରରେ ରହୁଥିଲେ। ବସ୍ ଯୋଗେ ଭୁବନେଶ୍ବରରୁ ଗାଁକୁ ଯିବାଆସିବା କରିବା ଭିତରେ ନମିତା ବସ୍ କଣ୍ଡକ୍ଟର ଭାବେ କାମ କରୁଥିବା ସମରେନ୍ଦ୍ର ସହ ମିଶିଥିଲେ। ଧୀରେଧୀରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସମରେନ୍ଦ୍ରର ପିଲାମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ତେଣୁ ସେମାନେ ପରିବାର ଲୋକଙ୍କ ଅ ଗୋଚରରେ ପୁରୁଣା ଭୁବନେଶ୍ବର କେଦାରଗୌରୀ ମନ୍ଦିରରେ ବିବାହ କରିଥିଲେ। ସମରେନ୍ଦ୍ର କୁଞ୍ଜପାଟଣାସାହିରେ ଏକ ଭଡ଼ା ଘରେ ନମିତାଙ୍କୁ ରଖିଥିଲା। ବସ୍ କଣ୍ଡକ୍ଟର କାମ ପାଇଁ ସେ ମଝିରେ ମଝିରେ ନମିତାଙ୍କ ପାଖକୁ ଆସୁଥିଲା ଏବଂ ନମିତାଙ୍କ ଚଳଣି ବାବଦ ଖର୍ଚ୍ଚ ଦେଉଥିଲା। ଏମିତିକି ମାସକୁ ମାସ ଘର ଭଡ଼ା ଦେଇଯାଉଥିଲା। କିନ୍ତୁ କିଛି ଦିନ ପରେ ସେ ନିମତାଙ୍କ ପାଖକୁ ବେଶି ଯା’ଆସ କଲା ନାହିଁ। ଘର ଭଡ଼ା ବାକି ରହିବାରୁ ନମିତା ଅସୁବିଧାରେ ପଡ଼ିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ବଢ଼ିଲା। ଘଟଣା ଦିନ ସମରେନ୍ଦ୍ର ତଣ୍ଟିଚିପି ନମିତାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା। ସେବେଠୁ ସମରେନ୍ଦ୍ର କୋଲକାତା ପଳାଇଥିଲା ଏବଂ ବସ୍ କଣ୍ଡକ୍ଟର ଭାବେ କାମ କରୁଥିଲା। ମୋବାଇଲ୍ ବଦଳାଇଦେଇଥିବାରୁ ପୁଲିସ ତା’ର ପତ୍ତା ପାଇନଥିଲା। କିନ୍ତୁ ସମରେନ୍ଦ୍ର ପରିବାର ଉପରେ କଡ଼ା ନଜର ରଖିଥିବା ପୁଲିସ ଗତ କିଛି ଦିନ ପୂର୍ବେ ତା’ର ନୂଆ ଠିକଣା ପାଇଥିଲା। ଗତକାଲି ରାତିରେ ଲିଙ୍ଗରାଜ ଥାନା ପୁଲିସ ବାଲେଶ୍ବର ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ ନିକଟସ୍ଥ ଏକ ଘରୁ ତାକୁ ଗିରଫ କରିଥିଲା।
ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ମାମଲା: ୩ ବର୍ଷ ପରେ ଧରାପଡ଼ିଲା ଦ୍ବିତୀୟ ସ୍ବାମୀ
/sambad/media/post_attachments/wp-content/uploads/2024/01/gjgdjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)