କର୍ମଚାରୀଙ୍କୁ ଧମକାଇ ଦୋକାନରୁ ଶାଢ଼ି ନେଇଗଲେ ମହିଳା

ମାଗଣା ମାଛ ନେବା ବେଳେ ବି ଧରା ପଡ଼ିଥିଲେ

ଭୁବନେଶ୍ବର : ଅଡି ଗାଡ଼ିରେ ଆସିଲେ। ମଲ୍‌ ଭିତରେ ପଶି ଦୋକାନରୁ ଦାମୀ ଶାଢ଼ି ବାଛିଲେ। କିନ୍ତୁ ମାଲିକଙ୍କ ପାର୍ଟନର୍‌ଙ୍କ ଲୋକ କହି ପଇସା ଦେଲେନି। ଶାଢ଼ି ନେଇ ବାହାରିଗଲେ। ସେଲ୍ସମ୍ୟାନ୍‌ ପଛରେ ଗୋଡ଼ାଇ ଗୋଡ଼ାଇ ପଇସା ଦେବାକୁ କହିବାରୁ ତାକୁ ନାଲିଆଖି ଦେଖାଇଲେ। ପିଛା କଲେ ବଳାତ୍କାର ମାମଲାରେ ଫସାଇଦେବି ବୋଲି କହିଲେ। ତେଣୁ ସେଲ୍ସମ୍ୟାନ୍‌ଜଣଙ୍କ କାନମୁଣ୍ଡା ଆଉଁସି ଫେରି ଆସିଲେ। ଭୁବନେଶ୍ୱର-ଖୋର୍ଧା ଜାତୀୟ ରାଜପଥର କଳିଙ୍ଗ ନଗର ଛକରେ ଥିବା ଡି.ଏନ୍‌ ରେଗାଲିଆ ମଲ୍‌ରେ ଗୁରୁବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୋକାନ ମାଲିକ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପୁରେ ପୁଲିସ୍‌ ଧୂର୍ତ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

‌‌ତେବେ ଗାଡ଼ି ନମ୍ବର, ମୋବାଇଲ ନମ୍ବର ଓ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କଲା ବେଳେ ପୁଲିସ ମହିଳାଙ୍କ ପରିଚୟ ସହ ରୋଚକ ତଥ୍ୟ ପାଇଛି। ଅଭିଯୁକ୍ତ ହେଉଛନ୍ତି ସେହି ମହିଳା, ଯିଏ ଗତବର୍ଷ ୪ ନମ୍ବର ମାଛ ମାର୍କେଟ୍‌ରେ ମାଗଣାରେ ମାଛ ନେଇ ପଳାଉଥିବା ବେଳେ ବେପାରୀଙ୍କ ହାବୁଡ଼ରେ ପଡ଼ି ଚର୍ଚ୍ଚାକୁ ଆସିଥିଲେ। ନିଜକୁ ଜଣେ ସାମ୍ବାଦିକା ବୋଲି ପରିଚୟ ଦେଇ ସେତେବେଳେ ଖସି ଯିବାକୁ ବସିଥିଲେ। ଏବେ ଠକିବା ପାଇଁ ସେ ଏଭଳି ନୂଆ କୌଶଳ ଆପଣାଇଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଠାବ କରାଯାଉଛି ବୋଲି ପୁଲିସ କହିଛି। ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମହିଳାଜଣଙ୍କ ସ୍ବାମୀ ଓ ପୁଅଙ୍କ ସହ ରେଗାଲିଆ ମଲରେ ଥିବା ଦୁଲହନ୍‌ ଶାଢ଼ି ସୋ’ ରୁମ୍‌ରେ ପହଞ୍ଚିଥିଲେ। ନିଜକୁ ଦୋକାନ ମାଲିକଙ୍କ ପାର୍ଟନରଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଶାଢ଼ି ବାଛି ଟଙ୍କା ନ ଦେଇ ବିଲ୍‌ କରିବା ପାଇଁ କହିଥିଲେ। ହେଲେ ସେଲ୍ସମ୍ୟାନ୍‌ ବିନା ଟଙ୍କାରେ ବିଲ୍‌ କରିବାକୁ ମନା କରିବାରୁ ‘ଦୋକାନ ମାଲିକଙ୍କ ପାର୍ଟନରଙ୍କୁ ଟଙ୍କା ଦେଇ ଦେଇଛି, ତାଙ୍କ ଠୁଁ ନେଇଯିବ’ ବୋଲି କହି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର