ଚନ୍ଦ୍ରଶେଖରପୁର: ଗତକାଲି ଇନ୍‌ଫୋସିଟି ଥାନାରେ ସ୍ଥାନୀୟ ଅଳଶୁଆ ଗାଁର ଶତାଧିକ ମହିଳା ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଜଣେ ଠକଠାରୁ ଟଙ୍କା ଫେରସ୍ତ ଦାବି କରି ମହିଳାମାନେ ଥାନା ଘେରଉ କରିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଲୁଚାଚୋରାରେ କୋର୍ଟ ଚାଲାଣ କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଠେଲାପେଲାରେ ଅଳଶୁଆ ଗାଁର ଜଣେ ମହିଳାଙ୍କ ହାତରେ ଗଭୀର କ୍ଷତ ହୋଇଥିଲା ଏବଂ ତାଙ୍କ ହାତର ଦୁଇଟି ଆଙ୍ଗୁଠି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ମଧ୍ୟ ଅଳଶୁଆ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ଗରିବ ଦଳିତ ମହିଳାମାନଙ୍କୁ ପୁଲିସ ନ୍ୟାୟ ଦେବା ବଦଳରେ ପାଲଟା ମାଡ଼ମାରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ସେମାନେ ଭୁବନେଶ୍ବର ଡିସିପିଙ୍କ ନିକଟରେ ଫେରାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିବେ ବୋଲି କହିଛନ୍ତି। ଆଜି ସିପିଆଇ ନେତା ସୁର ଜେନା ଓ ପଞ୍ଚାୟତର ଲୋକ ପ୍ରତିନିଧିମ‌ାନେ ଗାଁରେ ପହଞ୍ଚି ଠକାମି ଓ ପୁଲିସ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି।

Advertisment

ମହିଳାମାନଙ୍କ ଅଭିଯୋଗ ଅନୁସାରେ ଠକ ଅଜୟ ମହାନ୍ତି ସେମାନଙ୍କୁ ଗୋଷ୍ଠୀ କରିବାକୁ ପ୍ରବର୍ତ୍ତାଇଥିଲା। ୪୦ରୁ ଅଧିକ ମହିଳା ତାକୁ ଜଣକା ୨୦ ହଜାରରୁ ଅଧିକ ଟଙ୍କା ଦେଇଥିଲେ। ଗୋଷ୍ଠୀ ଜରିଆରେ ସରକାରଙ୍କଠାରୁ ବିଭିନ୍ନ ସହାୟତା ମିଳିବ ବୋଲି ଠକ ଅଜୟ ମହିଳମାନଙ୍କୁ କହିଥିଲା। କିନ୍ତୁ ପରେ ସେ ତଞ୍ଚକତା କରି ୨ଟି ଘରୋଇ ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଋଣ କରି ଚଳୁ କରିଦେଲା ଏବଂ ମହିମାନଗର ଭଡ଼ାଘରୁ ଉଭାନ ହୋଇଗଲା। ଏନେଇ ସେମାନେ ୨ ମାସ ପୂର୍ବରୁ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଅଜୟକୁ ଗିରଫ କଲାନାହିଁ। ସୋମବାର ଦିନ ଠକ ଅଜୟ ମହିମାନଗର ଭଡ଼ାଘରୁ ଜିନିଷପତ୍ର ନେଇପଳାଉଥିବାବେଳେ ମହିଳାମାନେ ତାକୁ କାବୁ କରିଥିଲେ। ଅଜୟ ସେମାନଙ୍କୁ ଟଙ୍କା ଫେରାଇବ ବୋଲି ଚୁକ୍ତିପତ୍ର କରୁଥିଲା। କିନ୍ତୁ ଏତିକିବେଳେ ଇନ୍‌ଫୋସିଟି ଥାନା ପୁଲିସ ସେଠାରେ ପହଞ୍ଚି ଠକ ଅଜୟକୁ ଥାନାକୁ ନେଇଯାଇଥିଲା। ମହିଳାମାନେ ଟଙ୍କା ଫେରସ୍ତ କଥା ଦାବି କରୁଥିବା ବେଳେ ପୁଲିସ ତାକୁ କୋର୍ଟ ଚାଲାଣ କରିଥିଲା। ଏହାକୁ ନେଇ ମହିଳାମାନେ ଥାନାରେ ପାଟିତୁଣ୍ଡ କରିବାରୁ ପୁଲିସ ସେମାନଙ୍କୁ ବାଧାଦେଲା। ପୁଲିସ ସେମାନଙ୍କୁ ଥାନାରୁ ତଡ଼ିବାକୁ ଯାଇ ଗ୍ରିଲ୍‌ ବନ୍ଦ କରିଦେବାରୁ ଜଣେ ମହିଳାଙ୍କ ହାତ ଚାପି ହୋଇଯାଇଥିଲା। ଏହାକୁ ନେଇ ଗଣ୍ଡଗୋଳ ବଢ଼ିଥିଲା ବୋଲି ମହିଳାମାନେ କହିଛନ୍ତି। ଅଭିଯୋଗ ପରେ ବି ପୁଲିସ ଠକକୁ ଗିରଫ କରିପାରିଲା ନାହିଁ। ‌ଯେତେବେଳେ ସେମାନେ ଠକଠାରୁ ଟଙ୍କା ଫେରିପାଇବା ବାଟ କରୁଥିଲେ, ପୁଲିସ ତାକୁ କୋର୍ଟ ଚାଲାଣ ନାଁରେ ସୁରକ୍ଷା ଦେଲା। ତେଣୁ ସେମାନେ ନ୍ୟାୟ ପାଇଁ ଡିସିପିଙ୍କୁ ‌ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି।