ପୁରୁଣା ଭୁବନେଶ୍ବର: ନିଜେ ଚାକିରି କରିଥିବା ସଂସ୍ଥାର ଜାଲ୍‌ ରେକର୍ଡପତ୍ର ପ୍ରସ୍ତୁତ କରି ୪୨ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସଂସ୍ଥାର ମ୍ୟାଜେଜର୍‌କୁ ଗିରଫ କରିଛି। ଅଭିଯୁକ୍ତ ହେଲା ସହିଦନଗରରେ ରହୁଥିବା ବ୍ରହ୍ମପୁରର ଗୌରୀଶଙ୍କର ସ୍ବାଇଁ(୫୫)। ପୁଲିସ ତା’ନିକଟରୁ ଗୋଟିଏ ଲାପ୍‌ଟପ୍‌, ୨ଟି ସିମ୍‌ କାର୍ଡ, ଜିଏସ୍‌ଟି ସାର୍ଟିଫିକେଟ୍‌, ନକଲି ଦସ୍ତାବିଜ, ଟାକ୍ସ ଇନ୍‌ଭଏସ୍‌, ଇମେଲ୍‌ ରେକର୍ଡ ଆଦି ଜବତ କରିଛି। ପୁରୁଣା ଭୁବନେଶ୍ବରସ୍ଥିତ ଜେନିସିସ୍‌ ଇନ୍‌ଫୋଟେକ୍‌ର ମାଲିକ ଅଶୋକ ସାମଲଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ଗୌରୀଶଙ୍କରକୁ କୋର୍ଟ ଚାଲାଣ କରିଛି। 

Advertisment

ପୁଲିସ ସୂଚନାନୁସାରେ ଅଭିଯୋଗକାରୀ ଅଶୋକଙ୍କ ସଂସ୍ଥାରେ ଅଭିଯୁକ୍ତ ଗୌରୀଶଙ୍କର ଚାକିରି କରିଥିଲା। ଅଶୋକଙ୍କ ସଂସ୍ଥା ବିଭିନ୍ନ ବଡ଼ବଡ଼ କମ୍ପାନିରେ ସିସିଟିଭି ଲଗାଇବା ଠାରୁ ଆରମ୍ଭ କରି କମ୍ପ୍ୟୁଟର କାମ କରିଥାଏ। ଅଭିଯୁକ୍ତ ଗୌରୀଶଙ୍କରର ମଧ୍ୟ ସେମିତି ଏକ ସଂସ୍ଥା ଥିଲା, ମାତ୍ର ତାହା କାମ କରୁନଥିଲା। ତେଣୁ ସେ ଅଶୋକଙ୍କ ସଂସ୍ଥାରେ କାମ କରୁଥିଲା। ଏଭଳି କାମରେ ଗୌରୀଶଙ୍କର ଅଭିଜ୍ଞ ହୋଇଥିବାରୁ ଅଶୋକ ତାକୁ ମ୍ୟାନେଜର୍‌ ଦାୟିତ୍ବ ଦେଇଥିଲେ। କିନ୍ତୁ ବିଶ୍ବାସରେ ବିଷ ଦେବାକୁ ସୁଯୋଗ ଅପେକ୍ଷାରେ ଥିଲା ଗୌରୀଶଙ୍କର। ମାଲିକ ଅଶୋକଙ୍କ ଭରସା ଜିତିଯିବା ପରେ ସେ ତା’ ଖେଳ ଆରମ୍ଭ କରିଥିଲା। ଜାଲ୍‌ କାଗଜପତ୍ର କରି ନିଜ ଅଚଳ କମ୍ପାନିର ଆକାଉଣ୍ଟ ନମ୍ବରକୁ ଜେନିସିସ୍‌ ସଂସ୍ଥା ନାଁରେ କରାଇନେଲା। କେବଳ ସେତିକି ନୁହେଁ, ଜାଲ୍‌ ରେକର୍ଡପତ୍ର ଓ ଜାଲ୍‌ ଇମେଲ୍‌ ପ୍ରସ୍ତୁତ କରିଥିଲା। ଏଭଳି ଜାଲିଆତି କରି ସେ ଜେନିସିସ୍‌ ସଂସ୍ଥାକୁ ଟଙ୍କା ଦେବାକୁ ଥିବା ବିଭିନ୍ନ କମ୍ପାନିରୁ ପାଖାପାଖି କୋଟିଏ ଟଙ୍କା ନେଇଯାଇଥିଲା।

ମାଲିକ ସରଳବିଶ୍ବାସୀ ଅଶୋକଙ୍କ ପଛରେ ରହି ସେ ଏମିତି ଛୁରିମାରୁଥିଲେ ହେଁ ସେ ବୁଝିପାରିନଥିଲେ। କୋଟିଏ ଟଙ୍କାର ହିସାବ ନ ମିଳିବା ପରେ ଅଶୋକଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ଧୂର୍ତ୍ତ ଗୌରୀଶଙ୍କରକୁ କିଛି ନ ପଚାରି ସିଧାସଳଖ କିଛି କମ୍ପାନିମାନଙ୍କୁ ପଚାରିଥିଲେ। ସେମାନେ ‌ଯେଉଁ ଆକାଉଣ୍ଟ ନମ୍ବରରେ ଟଙ୍କା ଦେଣନେଣ କରୁଥିଲେ, ତାହା ଜାଣିବା ପରେ ଅଶୋକ ବିସ୍ମିତ ହୋଇପଡ଼ିଥିଲେ। ସେ ଏବାବଦରେ ପଚାରିବା ପରେ ଗୌରୀଶଙ୍କର ସତ ମାନିଥିଲା ଏବଂ ବିଭିନ୍ନ ପର୍ଯ୍ୟା‌ୟରେ ୬୦ ଲକ୍ଷ ଟଙ୍କା ଫେରାଇଥିଲା। କିନ୍ତୁ ବାକି ୪୨ ଲକ୍ଷ ଟଙ୍କା ନ ଫେରାଇ ଚାକିରି ଛାଡ଼ି ପଳାଇଲା ଏବଂ ଧରାଛୁଆଁ ଦେଲାନାହିଁ।