ପୁରୁଣା ଭୁବନେଶ୍ୱର: ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଗାଳିମନ୍ଦ କରି ଧମକ ଦେବା ଓ ଟଣାଓଟରା କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଖଣ୍ଡଗିରି ଥାନା ଅଧୀନ ଓୟୁଏଟି ହଷ୍ଟେଲରେ ରହୁଥିବା ବିଷ୍ଣୁପ୍ରସାଦ ବେହେରା(୨୪)। ତାଙ୍କ ଘର ଗଞ୍ଜାମ ନିମକାଣ୍ଡି ଥାନା ଅଧୀନ ଗୋବିନ୍ଦ ବିହାରରେ। ପୁଲିସ ସୂଚନା ଅନୁଯାୟୀ ଗତକାଲି ଏକାମ୍ର ଟ୍ରାଫିକ୍ ଛକରେ ବିଷ୍ଣୁ ବାଇକ୍ରେ ଯାଉଥିବା ବେଳେ ସିଗନାଲ୍ ନ ମାନି ସମ୍ମୁଖରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ସ୍କୁଟିରେ ଆସୁଥିବା ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳର ବିକାଶ ରଞ୍ଜନ ଶତପଥୀ ପଡ଼ି ଯାଇଥିଲେ।
ଡ୍ୟୁଟିରେ ଥିବା ମହିଳା ଟ୍ରାଫିକ କନଷ୍ଟେବଳ ବିକାଶଙ୍କୁ ଉଦ୍ଧାର କରିବା ସମୟରେ ବିଷ୍ଣୁ ସେଠାରୁ ଫେରାର ହୋଇଯିବା ଲାଗି ଉଦ୍ୟମ କରିଥିଲେ। ଏହାଦେଖି ମହିଳା ଟ୍ରାଫିକ କନଷ୍ଟେବଳ ବିଷ୍ଣୁଙ୍କୁ ଅଟକାଇବା ସହିତ ତାଙ୍କ ନିକଟରୁ ତାଙ୍କ ଗାଡ଼ି ଚାବିକୁ ଜବତ କରିଥିଲେ। ଫଳରେ ବିଷ୍ଣୁ ଉତ୍ତ୍ୟକ୍ତ ହୋଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ଧମକ ଚମକ ଦେଇଥିଲେ। ଏଥିସହିତ ତାଙ୍କୁ ହାତକୁ ଧରି ଟଣାଓଟରା କରିଥିଲେ। ଘଟଣା ସମ୍ପର୍କରେ ବିଷ୍ଣୁ ନିକଟରୁ ଫୋନ କଲ ପାଇ ତାଙ୍କର ୧୦ରୁ ୧୫ଜଣ ସହଯୋଗୀ ସେଠାରେ ପହଞ୍ଚିବା ସହିତ ସେମାନେ ମଧ୍ୟ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଗାଳିମନ୍ଦ କରିଥିଲେ। ଅଭିଯୋଗ ପରେ ଏୟାରପୋର୍ଟ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ବିଷ୍ଣୁଙ୍କୁ ଗିରଫ କରିଥିଲେ।