ଯୌତୁକ ନିଅାଁରେ ଜଳୁଛି ଗୀତାଞ୍ଜଳିଙ୍କ ଜୀବନ

ସିନ୍ଦୂର ତ ପରକଲା...

ପୁଲିସ, ମହିଳା କମିସନ୍‌ ସବୁଠି ନିରାଶ

ଭୁବନେଶ୍ୱର : ସବୁ ଝିଅଙ୍କ ପରି ତାଙ୍କର ବି ସ୍ୱପ୍ନ ଥିଲା, ବାପା, ମାଆ ଭାଇଙ୍କୁ ଛାଡ଼ିଲା ପରେ ସ୍ୱାମୀ ଘରେ ଅପରିଚିତ ସଦସ୍ୟଙ୍କ ଗହଣରେ ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବେ। କିନ୍ତୁ ବିବାହର ତିନି ମାସ ନ ବିତୁଣୁ ଜୀବନ ତାଙ୍କ ପାଇଁ ପାଲଟିଲା ଯନ୍ତ୍ରଣା। ଯୌତୁକ ନିଅାଁରେ କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଗୀତାଞ୍ଜଳି ସାହୁ(୨୭)ଙ୍କ ଜୀବନ ଜଳିବା ଆରମ୍ଭ କଲା। ୨୦୧୩ରେ ଗୀତାଞ୍ଜଳି କେନ୍ଦ୍ରାପଡ଼ାର ଘରଭଞ୍ଜା, କୋହ୍ଲା(ପୋଖରୀସାହି) ଅଞ୍ଚଳର ସୁଶାନ୍ତ ସାହୁଙ୍କୁ ବିବାହ କରିଥିଲେ।

ବିବାହ ସମୟରେ ଶାଶୂଘର ଦାବି ମୁତାବକ ପଚାଶ ହଜାର ଟଙ୍କା ଯୌତୁକ ନେଇଥିଲେ। କିନ୍ତୁ ବିବାହର ତିନି ମାସ ପରେ ଆହୁରି ଏକ ଲକ୍ଷ ଟଙ୍କା ଦାବି କରି ସ୍ୱାମୀ ଓ ଶାଶୂ, ଶ୍ୱଶୁରଙ୍କ ପକ୍ଷରୁ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ମାଡ଼ ମାରି ରାତି ରାତି ତାଙ୍କୁ ଉପାସରେ ରଖାଯାଉଥିବା ବୋଲି ଲୁହ ଛଳଛଳ ଆଖିରେ ଗୀତାଞ୍ଜଳି କହିଛନ୍ତି।

ଯନ୍ତ୍ରଣା ସହି ନ ପାରି ଶାଶୂଘର ଛାଡ଼ି ଗୀତାଞ୍ଜଳି ବାପଘରକୁ ଚାଲି ଆସିଥିଲେ। ଆଉ ସୁଶାନ୍ତ ମଧ୍ୟ ଗୁଜୁରାଟ କାମ କରିବାକୁ ଚାଲିଯାଇଥିଲେ। କିଛି ମାସ ପରେ ରାଜକନିକା ଥାନା ଓ ସ୍ଥାନୀୟ ମୁରବୀଙ୍କ ଆପୋସ ବୁଝାମଣା ନିଷ୍ପତ୍ତି ପରେ ଗୀତାଞ୍ଜଳି ସ୍ୱାମୀଙ୍କ ସହ ଗୁଜୁରାଟରେ ରହିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସ୍ୱାମୀଙ୍କ ସହ ଗଜୁରାଟରେ ରହିବା ପରେ ଗୀତାଞ୍ଜଳିଙ୍କ ଉପରେ ଯନ୍ତ୍ରଣା ଆହୁରି ବଢ଼ିଯାଇଥିଲା। ସେତେବେଳକୁ ସାତ ମାସର ଗର୍ଭବତୀ ଥିବା ଗୀତାଞ୍ଜଳି ସ୍ୱାମୀଙ୍କ ଅତ୍ୟାଚାର ସହି ନପାରି ପୁଣି କୌଶଳକ୍ରମେ ଓଡ଼ିଶା ଫେରି ଆସିଥିଲେ। ମହିଳା କମିସନ୍‌ ଓ ରାଜନଗର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଇତିମଧ୍ୟରେ ଗୀତାଞ୍ଜଳିଙ୍କ ଝିଅ ଶ୍ରେୟା ସମୀକ୍ଷା(୩) ଜନ୍ମ ନେଇ ସାରିଥାଏ। ନିଜର ସମସ୍ତ ସୁନା ଗହଣା ବନ୍ଧା ପକାଇ ଚଳୁଥିବା ବେଳେ, ସ୍ୱାମୀ ଟଙ୍କାଟିଏ ମଧ୍ୟ ପଠାଉ ନଥିଲେ।

ରାଜକନିକା ଥାନ ଆଇଆଇସିଙ୍କୁ ଭେଟି ଅଭିଯୋଗ ଜଣାଇବା ପରେ ଥାନା ପକ୍ଷରୁ ସୁଶାନ୍ତଙ୍କୁ ଡକା ଯାଇଥିଲା। ସୁଶାନ୍ତ ୨୦୧୭ ମେ ମାସରେ ଓଡ଼ିଶା ଆସିବା ସହ ଥାନା କର୍ତୃପକ୍ଷଙ୍କୁ ଦେଖା ନକରି ଗୀତାଞ୍ଜଳି ରହୁଥିବା ଘରେ ନିଆଁ ଲଗାଇଦେବା ସହ ତାଙ୍କ ଘରେ ଗୀତାଞ୍ଜଳି ନିଅାଁ ଲଗାଇଥିବା ଥାନାରେ ଓଲଟି ଅଭିଯୋଗ କରିଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି।

ସୁଶାନ୍ତଙ୍କ ବାପା ଜଣେ ଠିକାଦାର ହୋଇଥିବାରୁ ଗ୍ରାମର ଅନେକ ଲୋକ ତାଙ୍କ ପାଖରେ କାମ କରନ୍ତି। ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ଆଇଆଇସିଙ୍କୁ ମଧ୍ୟ ହାତ କରି ତାଙ୍କ ବିରୋଧରେ ଫେରାଦ ହୋଇ ତାଙ୍କୁ ଚୁପ୍‌ ରହିବାକୁ ବାଧ୍ୟ କରିଥିଲେ। ଯଦି ମୁଁ ଦୋଷ କରିଛି ପୁଲିସ କ’ଣ ପାଇଁ ମତେ ଗିରଫ କରୁନି ବୋଲି ଗୀତାଞ୍ଜଳି ପ୍ରଶ୍ନ କରିଛନ୍ତି। ଥାନାରୁ ନିରାଶ ହେବା ପରେ ଗୀତାଞ୍ଜଳି ମହିଳା କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କମିସନ୍‌ ତାଙ୍କ ସ୍ୱାମୀ ନିକଟକୁ ଦୁଇମାସ ମଧ୍ୟରେ ନୋଟିସ୍‌ ଯିବ ବୋଲି କହିଥିଲେ ମଧ୍ୟ ପରବର୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଦୁଇମାସ ପରେ ଗୀତାଞ୍ଜଳି ମହିଳା କମିସନ୍‌ଙ୍କ ଭେଟିବାରୁ ତାଙ୍କ ଅଭିଯୋଗପତ୍ର ହଜିଯାଇଥିବା କହି ଗୀତାଞ୍ଜଳିଙ୍କୁ କୌଣସି ପ୍ରକାର ସହାୟତା କରି ନଥିବା ଗୀତାଞ୍ଜଳି କହିଛନ୍ତି। ସ୍ୱାମୀଙ୍କ ପରିବାର ଏକ ଠିକାଦାର ପରିବାର ହୋଇଥିବାରୁ ପଇସା ଦେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଗୀତାଞ୍ଜଳି କହିଛନ୍ତି। ଏଥିନେଇ ସେ ଜିଲ୍ଲାପାଳ, ଏସ୍‌ପି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଜଣାଇଥିଲେ ମଧ୍ୟ କେହି ସହାୟତା କର ନଥିବା ଗୀତାଞ୍ଜଳି କହିଛନ୍ତି। ନିଜ ବାପାଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଗୀତାଞ୍ଜଳି ନିଜ ବାପଘରେ ନ ରହି ବର୍ତମାନ ସତ୍ୟନଗର ସ୍ଥିତ ପଟ୍ଟନାୟକ ହଷ୍ଟେଲରେ କାମ କରୁଛନ୍ତି। ସବୁଠୁ ନିରାଶ ହେଲା ପରେ ଗଣମାଧ୍ୟମ ଜରିଆରେ ସେ ସହାୟତା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର