ଚନ୍ଦ୍ରଶେଖରପୁର: ଜଣେ ଠକକୁ କୋର୍ଟ ଚାଲାଣ କରିବା ପୂର୍ବରୁ ଆଜି ଇନ୍ଫୋସିଟି ଥାନା ପାଲଟିଥିଲା ରଣକ୍ଷେତ୍ର। ଠକଠାରୁ ଟଙ୍କା ଫେରସ୍ତ ଦାବି କରି ଠକାମିର ଶିକାର ହୋଇଥିବା ଦଳିତ ମହିଳାମାନେ କୋର୍ଟ ଚାଲାଣକୁ ବିରୋଧ କରିବାରୁ ପୁଲିସ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଠେଲାପେଲାରେ ଜଣେ ବିକ୍ଷୋଭକାରୀ ମହିଳା ଆହତ ହେବା ପରେ ଉତ୍ତେଜନା ଆହୁରି ବଢ଼ିଯାଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିବା ପର୍ଯ୍ୟନ୍ତ କଥା ଯାଇଥିଲା। କମ୍ ସଂଖ୍ୟକ ମହିଳା ପୁଲିସ କର୍ମଚାରୀ ଥାନା ଘେରଉ କରିଥିବା ଶତାଧିକ ମହିଳାଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ଶେଷରେ ପୁଲିସ ଥାନାର ପଛ ପାଚେରି ଡିଆଁଇ ଠକକୁ କୋର୍ଟ ଚାଲାଣ କରିବାକୁ ବାଧ୍ୟ ହୋଇଥିଲା। ଦଳିତ ମହିଳାମାନଙ୍କୁ ପ୍ରଲୋଭିତ କରି ଠକିଥିବା ଅଭିଯୁକ୍ତ ହେଲା ବାଲେଶ୍ବର ସିମୁଳିଆର ଅଜୟ ମହାନ୍ତି(୫୫)। ଦଳିତ ମହିଳାଗୋଷ୍ଠୀ ନାଁରେ ବ୍ୟାଙ୍କ୍ରୁ ୧୦ ଲକ୍ଷ ଟଙ୍କା ନେଇ ଅଜୟ ଚଳୁ କରିଥିବା ଅଭିଯୋଗ ହୋଇଛି।
ପଛ ପାଚେରି ଡିଆଁଇ କୋର୍ଟକୁ ନେଲା ପୁଲିସ
ଦାରୁଠେଙ୍ଗ ଅଳଶୁଆ ଗାଁର ଏହି ଦଳିତ ମହିଳାମାନଙ୍କ ଅଭିଯୋଗ ଅନୁସାରେ ମହିମାନଗରରେ ଭଡ଼ାରେ ରହୁଥିବା ଅଜୟ ସେମାନଙ୍କୁ ଗୋଷ୍ଠୀ କରିବାକୁ ପ୍ରବର୍ତ୍ତାଇଥିଲା। ନିଜକୁ ଏକ ସାମାଜିକ ସଂଗଠନର କର୍ମକର୍ତ୍ତା ବୋଲି ପରିଚୟ ଦେଇଥିଲା ଏବଂ ବହୁ ସରକାରୀ ଯୋଜନାରୁ ଫାଇଦା ମିଳିବ ବୋଲି ମହିଳାମାନଙ୍କୁ ବୁଝାଇଥିଲା। ତେଣୁ ଗୋଷ୍ଠୀ କରିବାକୁ ମହିଳାମାନେ ଜଣପିଛା ୧୫ରୁ ୧୭ ହଜାର ଟଙ୍କା ଦେଇଥିଲେ। ହଠାତ୍ ଦିନେ ଦୁଇଟି ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ କିସ୍ତି ଆଦାୟ କରିବାକୁ ଗାଁରେ ପହଞ୍ଚିବା ପରେ ଅଜୟର ଚାଲ୍ ଧରାପଡ଼ିଥିଲା। ସେ ଦୁଇଟି ସଂସ୍ଥାରୁ ମହିଳାଙ୍କ ଗୋଷ୍ଠୀ ନାଁରେ ୧୦ ଲକ୍ଷ ଟଙ୍କା ଉଠାଇ ନେଇଥିବା କଥା ଜଣାପଡ଼ିଥିଲା। କିନ୍ତୁ ସେତେବେଳକୁ ଅଜୟ ଭଡ଼ାଘର ଛାଡ଼ି ଛୁ’ ମାରିସାରିଥିଲା। ତେଣୁ ମହିଳାମାନେ ଧୂର୍ତ୍ତ ଅଜୟ ନାଁରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଏହା ଭିତରେ ୨ ମାସ ବିତିଥିଲେ ମଧ୍ୟ ପୁଲିସ ଅଜୟକୁ ଠାବ କରିପାରି ନଥିଲା। ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ନିଛାଟିଆ ବେଳା ଦେଖି ଅଜୟ ଏକ ଅଟୋ ଲଗାଇ ଭଡ଼ାଘରୁ ନିଜ ଜିନିଷପତ୍ର ନେଉଥିଲା। କିନ୍ତୁ ମହିଳାମାନେ ଏହା ଜାଣିପାରି ତାକୁ ଘେରିଯାଇଥିଲେ। ଟଙ୍କା ଫେରାଇବା ସହ ଋଣ ଟଙ୍କା ପରିଶୋଧ କରିବ ବୋଲି ଅଜୟ ଚୁକ୍ତି କରୁ ବୋଲି ମହିଳାମାନେ ଘେରି ରହିଥିଲେ। ବିକଳରେ ଅଜୟ ଚୁକ୍ତିପତ୍ର ଲେଖିବାକୁ ଯାଉଥିବା ବେଳେ ପିସିଆର୍ ପହଞ୍ଚି ଯାଇଥିଲା ଏବଂ ତାକୁ ଥାନାକୁ ଉଠାଇ ନେଇଥିଲା। ମହିଳାମାନେ ବିରୋଧ କରିବାରୁ ସେମାନେ ଥାନାକୁ ଆସନ୍ତୁ ବୋଲି ପୁଲିସ କହିଥିଲା।
ଆଜି ପୁଲିସ ଅଜୟକୁ କୋର୍ଟ ଚାଲାଣ କରୁଛି ବୋଲି ଖବର ପାଇ ମହିଳାମାନେ ଥାନାକୁ ଯାଇଥିଲେ। କୋର୍ଟ ଚାଲାଣ କରିବା ପୂର୍ବରୁ ପୁଲିସ ତା’ଠାରୁ ଟଙ୍କା ଆଦାୟ କରିଦେଉ ନଚେତ୍ ଚୁକ୍ତିପତ୍ର କରୁ ବୋଲି ମହିଳାମାନେ ଜିଦ୍ କରିଥିଲେ। ଏହାକୁ ନେଇ ପୁଲିସ ଓ ମହିଳାମାନଙ୍କ ଭିତରେ କଥା କଟାକଟି ହୋଇଥିଲା। ଠକ ଅଜୟର କୋର୍ଟ ଚାଲାଣକୁ ବିରୋଧ କରି ମହିଳାମାନେ ଥାନାରେ ହୋହଲ୍ଲା କରିବାରୁ ଉତ୍ତେଜନା ଆହୁରି ବଢ଼ିଥିଲା। ଏସିପି, ଥାନା ଅଧିକାରୀ ଯେତେ ବୁଝାଇଲେ ମଧ୍ୟ ମହିଳାମାନେ ଅଜୟକୁ ସେମାନଙ୍କ ହେପାଜତକୁ ଦିଆଯାଉ ବୋଲି ଜିଦ୍ କରି ପାଟିତୁଣ୍ଡ କରିଥିଲେ। ତେଣୁ ମହିଳାମାନଙ୍କୁ ଥାନାରୁ ବାହାର କରିବାକୁ ଯାଇ ଜଣେ ମହିଳା ପୁଲିସ ଅଧିକାରୀ ଗ୍ରିଲ୍ ବନ୍ଦ କରିଥିଲେ। ଏତିକିବେଳେ ଜଣେ ମହିଳାଙ୍କ ହାତ ଗ୍ରିଲ୍ରେ ଚାପି ହୋଇଯାଇଥିଲା। ଏଥିରେ ମହିଳାମାନଙ୍କ ରାଗ ବଢ଼ିଯାଇଥିଲା ଏବଂ ସେମାନେ ମହିଳା ଅଧିକାରୀଙ୍କୁ ଘେରିଯାଇ ଠେଲାପେଲା କରିଥିଲେ। ମହିଳାମାନଙ୍କ ଉନ୍ମତ୍ତକାଣ୍ଡ ଦେଖି ପୁରୁଷ ପୁଲିସ କର୍ମଚାରୀମାନେ ଅସହାୟ ହୋଇପଡ଼ିଥିଲେ। ଏସିପି ତୁରନ୍ତ ନନ୍ଦନକାନନ, ଚନ୍ଦକା, ଚନ୍ଦ୍ରଶେଖରପୁର, ମୈତ୍ରୀବିହାର ଆଦି ଥାନାରୁ ମହିଳା ପୁଲିସ ମଗାଇଥିଲେ। ସେପଟେ ଉତ୍ତେଜନା ହ୍ରାସ ପାଇଁ ପୁଲିସ ଲୁଚାଛପାରେ ଅଜୟକୁ ଥାନାର ପଛ ପାଚେରି ଡିଆଁଇ କୋର୍ଟକୁ ପଠାଇ ଦେଇଥିଲା। ଏହା ଜଣାପଡ଼ିବା ପରେ ମହିଳାମାନେ ଆଉ ଗଣ୍ଡଗୋଳ ନକରି ଥାନା ଆଗରେ ଧାରଣାରେ ବସିରହିଥିଲେ। ଘଟଣା ସମ୍ପର୍କରେ ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ କହିବା କଥା ଠକ ଅଜୟକୁ ଆଇନ ଅନୁସାରେ କୋର୍ଟ ଚାଲାଣ କରାଯାଇଛି। ଆଜିର ଗଣ୍ଡଗୋଳକୁ ନେଇ ଅନ୍ୟ କୌଣସି ମାମଲା ହୋଇନାହିଁ।