୧୨ ଲକ୍ଷ ଟଙ୍କା ଠକିଥିବା ମହିଳା ୮ ବର୍ଷ ପରେ ଗିରଫ

୪ ବର୍ଷରେ ଜମାକୁ ୨ ଗୁଣ କରିବା ବାହାନାରେ ଠକେଇ

ଭୁବନେଶ୍ୱର : ଜଣେ ମହିଳା ଜମାକାରୀଙ୍କଠାରୁ ୧୨.୭୫ ଲକ୍ଷ ଟଙ୍କା ଠକି ୮ ବର୍ଷ କାଳ ଫେରାର୍ ହୋଇଯାଇଥିବା ଜଣେ ମହିଳା ଠକକୁ କମିସନରେଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମହିଳା ହେଲେ ବଡ଼ଗଡ଼ ଥାନା ରାଜାରାଣୀ ମନ୍ଦିର ନିକଟ ରାଣୀ ଆପାର୍ଟମେଣ୍ଟରେ ରହୁଥିବା କଲ୍ୟାଣୀ ପ୍ରଧାନ। ୪ ବର୍ଷରେ ମୂଳ ଜମା ଟଙ୍କାକୁ ୨ ଗୁଣ କରିଦେବା ବାହାନା କରି ସେ ଜଣେ ମହିଳାଙ୍କଠାରୁ ଏହି ମୋଟା ଅଙ୍କର ଟଙ୍କା ଠକି ନେଇଥିଲେ।

ସହିଦନଗର ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଲ୍ୟାଣୀ ନିଜ ଘରେ ଏକ ସଂସ୍ଥା ଖୋଲିଥିଲେ। ଏଥିରେ ଜମାକାରୀଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍କିମ୍‌ ରହିଥିଲା। ଯେତେ ଅଧିକ ଟଙ୍କା ଜମା ରଖିବ, ସେହି ଅନୁସାରେ ସୁଧହାର ବଢ଼ୁଥିଲା। ସେହି ଅନୁପାତରେ ମୂଳ ଜମା ଟଙ୍କା ଦୁଇ ଗୁଣ ଓ ଚାରି ଗୁଣ ହେଉଥିଲା। ସେହିଭଳି ଜମା ରଖିବାର ଅବଧିକୁ ନେଇ ମଧ୍ୟ ସୁଧ ହାର ବଢ଼ୁଥିଲା। ଜମାକାରୀ ଯେତେ ଅଧିକ ସମୟ ଜମା ରଖିବେ, ସୁଧ ‌ପରିମାଣ ସେତେ ବଢ଼ୁଥିଲା। ଏଭଳି ଲୋଭନୀୟ ସ୍କିମ୍‌ ଜାଲରେ ପଡ଼ି ଯାଇଥିଲେ ମାହାଙ୍ଗା ନିଶ୍ଚିନ୍ତକୋଇଲିର ସତ୍ୟାନନ୍ଦ ଶତପଥୀ। ୨୦୧୨ ମସିହାରେ ଶ୍ରୀ ଶତପଥୀ କଲ୍ୟାଣୀଙ୍କ ସଂସ୍ଥାରେ ୧୨ଲକ୍ଷ ୭୫ ହଜାର ଟଙ୍କା ଜମା ରଖିଥିଲେ। ବଡ଼ ଆଶା ଓ ଭରସା କରି ଶ୍ରୀ ଶତପଥୀ ତାଙ୍କ ସଞ୍ଚିତ ସମସ୍ତ ଅର୍ଥକୁ କଲ୍ୟାଣୀଙ୍କ ଠକ ସଂସ୍ଥାରେ ଜମା କରିଦେଲେ। କିନ୍ତୁ ପରେ ତାଙ୍କୁ ମାସକୁ ମାସ ସୁଧ ମିଳିଲା ନାହିଁ। ଏ ନେଇ ସେ କଲ୍ୟାଣୀଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ଅସଲ ଚେହେରା ପଦାକୁ ଆସିଥିଲା। ବାରମ୍ବାର ଶ୍ରୀ ଶତପଥୀ ତାଙ୍କ ପାଖକୁ ଯିବାରୁ ଶେଷରେ ସେ ଫେରାର୍ ହୋଇ ଯାଇଥିଲେ। ତେଣୁ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସେହିଦିନଠାରୁ କଲ୍ୟାଣୀ ଫେରାର ହୋଇ ଯାଇଥିଲେ। ତେବେ ପୁଲିସ ନଜର ତାଙ୍କ ଉପରେ ଥିଲା। ଏଇ କିଛି ଦିନ ହେଲା ସେ ଘରକୁ ଫେରିଥିବା ଖବର ପାଇ ଆଜି ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର