ଭୁବନେଶ୍ବର: ଧାନବାଦ ଏକ୍ସପ୍ରେସ୍ରୁ ମହିଳାଙ୍କ ରକ୍ତଜୁଡୁବୁଡୁ ଶବ ଜବତ ହେବା ଘଟଣାରେ ମୃତ ମହିଳାଙ୍କ ପରିଚୟ ଖୋଜିବାରେ ଏଯାବତ୍ ଜିଆର୍ପି ପୁଲିସ୍ ସଫଳ ହୋଇପାରିନାହିଁ। ତେବେ ଏହା ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମହିଳାଙ୍କୁ ଟ୍ରେନ୍ ଭିତରେ ହିଁ ହତ୍ୟା କରାଯାଇଛି। ସେ ରାଉର୍କେଲାରୁ ଭୁବନେଶ୍ବର ଆସିବା ବେଳେ ବାଟରେ ତାଙ୍କୁ ହତ୍ୟା କରାଯାଇଛି। ହେଲେ କେଉଁଠାରେ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ହେବାର ୨୪ରୁ ୩୬ ଘଣ୍ଟା ମଧ୍ୟରେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ମହିଳାଜଣଙ୍କ ଗତ ୧୯ ତାରିଖ ରାତି ୧୧ଟାରେ ରାଉର୍କେଲାରୁ ଟ୍ରେନ୍ରେ ଆସିଥିଲେ। ୨୦ ତାରିଖ ଦିନ ୧୨ଟାରେ ତାଙ୍କ ମୃତଦେହ ଠାବ କରାଯାଇଥିଲା ଏବଂ ଗତ ୨୧ ତାରିଖ ଦିନ ମହିଳାଙ୍କ ବ୍ୟବଚ୍ଛେଦ କରାଯାଇଥିଲା। ସିସିଟିଭି ଫୁଟେଜ୍ ସମୟ ଏବଂ ଅନ୍ୟ ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ପୁଲିସ ଏକ ପ୍ରକାର ହତ୍ୟା ସମୟର ନିଷ୍କର୍ସରେ ପହଞ୍ଚିଛି।
ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ଆଉ ଦୁଇଟି ଟିମ୍ ଯିବ ରାଉରକେଲା
ଅପରପକ୍ଷେ ମହିଳାଙ୍କ ପରିଚୟ ମିଳି ପାରି ନଥିବାରୁ ପୁଲିସ୍ର ଆଉ ଦୁଇଟି ଟିମ୍ ରାଉର୍କେଲା ପଠାଇବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ମଙ୍ଗଳବାର ରେଳବାଇ ଥାନା ପୁଲିସର ଦୁଇଟି ଟିମ୍ ରାଉରକେଲା ଯାଇ ସମସ୍ତ ଥାନା ସହ ଯୋଗାଯୋଗ କରିବେ। ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କୁ ମହିଳାଙ୍କ ସମ୍ପର୍କରେ ପଚାରି ବୁଝିବେ। ତାଙ୍କ ପରିଚୟ ମିଳିବା ପରେ ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିପାରିବ ବୋଲି ପୁଲିସ କହିଛି।
ପ୍ରକାଶ ଥାଉ କି, ଗତ ଏପ୍ରିଲ୍ ୨୦ ତାରିଖ ସକାଳ ପାଖାପାଖି ୮ଟାରେ ଏକ୍ସପ୍ରେସ୍ଟି ଭୁବନେଶ୍ବର ଷ୍ଟେସନରେ ଲାଗିଥିବା ବେଳେ ୯ଟାରେ ସଫା ପାଇଁ ୱାସିଂ ୱାଗନ୍କୁ ଯାଇଥିଲା। ଦିନ ପାଖାପାଖି ୧୨ଟାରେ କର୍ମଚାରୀ ଏସ୍-୫ କୋଚ୍ ସଫା କରୁଥିବା ବେଳେ ଟଏଲେଟ୍ରେ ମହିଳାଙ୍କ ଶବ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଗଳା କଟାଯାଇଥିଲା।