ଧଉଳି: ଲିଙ୍ଗିପୁର ସ୍ଥିତ ଏକ ଘରୋଇ ଫାର୍ମ ହାଉସ ନିକଟ ଦୟାନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତ ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ି ନଥିଲା ବେଳେ ଧଉଳି ଥାନା ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ଜଙ୍ଗଲିଆ ଡିମିରି ଗଛ ବୁଦା ଭିତରେ ମୃତଦେହଟି ବାମକଡ଼ ମାଡ଼ି ଉଲଗ୍ନ ଅବସ୍ଥାରେ ପଡ଼ିଥିଲା। ମହିଳାଙ୍କ ମୃତ୍ୟୁ ପ୍ରାୟ ସପ୍ତାହ ତଳେ ହୋଇଥିବା ପୁଲିସ ସନ୍ଦେହ କରୁଛି। ଶବ ପଚିସଢ଼ି ଯାଇଥିବାରୁ ମୁଣ୍ଡ, ମୁହଁ ଓ ଶରୀରର ବିଭିନ୍ନ ଅଂଶରୁ ମାଂସ ବାହାରିଯାଇ କଙ୍କାଳ ଦେଖାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ ବୋଲି ଅନୁମାନ କରାଯାଉଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇ ଥାଇପାରେ। ପ୍ରମାଣ ନଷ୍ଟ କରିବାକୁ ମହିଳାଙ୍କ ମୁହଁ ପୋଡ଼ି ଦିଆଯାଇଥିବା ଭଳି ଦେଖାଯାଉଛି। ପୁଲିସ୍ ମୃତଦେହ ନିକଟରୁ ଅନ୍ତବସ୍ତ୍ର, ଧଳା ରଙ୍ଗର ଲେଗିନ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏଥିସହିତ ଘଟଣାସ୍ଥଳରୁ କିଛି ମାଟିର ନମୁନା ମଧ୍ୟ ସଂଗ୍ରହ କରାଯାଇ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ନଦୀକୁ ଶୌଚ ହେବାକୁ ଯାଇଥିବା ସ୍ଥାନୀୟ ଲୋକେ ଶବକୁ ଠାବ କରିଥିଲେ। ଘଟଣାସ୍ଥଳରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା ବେଳେ କୁକୁର ଶବ ନିକଟରେ ବୁଲୁଥିବା ଲୋକମାନେ ଦେଖିଥିଲେ। ଖବର ପ୍ରଚାର ହୋଇଯିବା ପରେ ଲିଙ୍ଗିପୁର ରାସ୍ତାକଡ଼ରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରାଥମିକ ଯାଞ୍ଚ କରିଥିଲା। ପରେ ଫରେନ୍ସିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବାରୁ ଚିହ୍ନଟ ପାଇଁ ଶବକୁ କ୍ୟାପିଟାଲ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ରଖାଯାଇଛି।
ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକଙ୍କ ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ନିଖୋଜ ମାମଲାକୁ ଭିତ୍ତି କରି ମୃତଦେହ ଚିହ୍ନଟ କରାଯିବାକୁ ପ୍ରୟାସ କରାଯିବ। ଏଥିପାଇଁ କମିସନରେଟ୍ ଓ ଜିଲ୍ଲା ଥାନାଗୁଡ଼ିକୁ ରେଡିଓ ବାର୍ତ୍ତା ପଠାଯିବ। ଥାନାରେ ନିଖୋଜ ମାମଲା ଓ ଫରେନ୍ସିକ ରିପୋର୍ଟକୁ ଆଧାର କରି ମହିଳାଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଅପରପକ୍ଷରେ ଦୟାନଦୀ ପଠା ଏବେ ଅପରାଧପ୍ରବଣ ଅଞ୍ଚଳ ପାଲଟିଛି। ବାରମ୍ବାର ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲିଙ୍ଗିପୁର ନିଛାଟିଆ ରାସ୍ତା ଓ ନଦୀପଠାରୁ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ୍ ପକ୍ଷରୁ ରାସ୍ତାକଡ଼ରେ ସିସି କ୍ୟାମେରା ଓ ଷ୍ଟ୍ରିଟ୍ ଲାଇଟ ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି।