ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଜବତ ମାମଲା: ମାରିଛି ମିସ୍ତ୍ରି

ମିଳିଲା ପରିଚୟ, ଚିହ୍ନଟ କଲେ ମା’ ଓ ଭାଇ

ଭୁବନେଶ୍ବର : ହତ୍ୟାକାରୀ ଧରା ପଡ଼ିନଥିଲେ ହେଁ ବରମୁଣ୍ଡା ରୁଚିକା ମାର୍କେଟ୍ ନିକଟ ମହାବୀର ବସ୍ତିରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି। ବନ୍ଦ ଘରୁ ପୁଲିସ ଜବତ କରିଥିବା ଗଳିତ ମୃତଦେହଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗୀତା ସେଠୀ(୨୭)ଙ୍କର ବୋଲି ଜଣାପଡ଼ିଛି। ଆଜି ଗୀତାଙ୍କ ମା’ ଓ ଭାଇ ଭୁବନେଶ୍ବର ଏମ୍‌ସରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ସେମାନଙ୍କୁ ହସ୍ତାନ୍ତର କରିଥିଲା। ଗୀତାଙ୍କ ସହ ସମ୍ପର୍କରେ ଥିବା ଜଣେ ରାଜମିସ୍ତ୍ରି ତାଙ୍କୁ ଫୁସୁଲାଇ ଆଣି ହତ୍ୟା କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ସୂଚନା ଆଧାରରେ ପୁଲିସ ଅଭିଯୁକ୍ତ ରାଜମିସ୍ତ୍ରିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସୂଚନାନୁସାରେ ଗୀତା ସେଠୀ ପେସାରେ ଜଣେ ଶ୍ରମିକ। କିଛି ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ସେ ତାଙ୍କ ପୁଅ ଓ ଝିଅକୁ ଧରି ବୋଲଗଡ଼ସ୍ଥିତ ବାପଘର ଗାଁରେ ରହି ଆସୁଥିଲେ। ନିୟମିତ କାମ ଦରକାର କରୁଥିବା ଗୀତାଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ରାଜମିସ୍ତ୍ରିଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ରାଜମିସ୍ତ୍ରି ଜଣକ ଗୀତାକୁ ତା’ କାମକୁ ନେଉଥିଲା। ଭୁବନେଶ୍ବରରେ ଏକ ଭଲ କାମ ମିଳିଛି ବୋଲି କହି ଅଭିଯୁକ୍ତ ମିସ୍ତ୍ରି ଗତ ପ୍ରାୟ ୨୦ ଦିନ ତଳେ ଗୀତାଙ୍କୁ ନେଇ ଭୁବନେଶ୍ବର ଆସିଥିଲା ଓ ସେମାନେ ମହାବୀର ବସ୍ତିରେ ଭଡ଼ାରେ ରହୁଥିଲେ ବୋଲି କହିଥିଲେ। ପିଲାପିଲିଙ୍କୁ ଛାଡ଼ି ଭୁବନେଶ୍ବର ଆସିବା ପାଇଁ ଗୀତାଙ୍କ ଅନିଚ୍ଛା ସତ୍ତ୍ବେ ମିସ୍ତ୍ରି ତାଙ୍କୁ ପ୍ରଲୋଭିତ କରି ନେଇ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମିତିକି କିଛି ଦିନ ଭୁବନେଶ୍ବରରେ ରହିବା ଭିତରେ ଦୁଇ ଜଣଙ୍କ ଭିତରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ବୋଲି ଗୀତା ତାଙ୍କ ମା’ଙ୍କୁ ଜଣାଇଥିବା ସେମାନେ ପୁଲିସକୁ କହିଛନ୍ତି। ତେଣୁ ସେହି ମିସ୍ତ୍ରି ହିଁ ଗୀତାକୁ ହତ୍ୟା କରିଛି ବୋଲି ସେମାନେ ଲିଖିତ ଅଭିଯୋଗ କରିଛନ୍ତି।

ଗତକାଲି ଅପରାହ୍ଣରେ ଭରତପୁର ଥାନା ପୁଲିସ ଏକ ଭଡ଼ା ଘରୁ ଗୀତାଙ୍କ ଗଳିତ ଶବ ଜବତ କରିଥିଲା। ମୃତଦେହ ନିକଟରୁ ଆଧାର କାର୍ଡ ପାଇଥିଲା ଓ ସେଥରୁ ପରିଚୟ ପାଇ ବୋଲଗଡ଼ ଥାନା ପୁଲିସ ସହାୟତାରେ ଗୀତାଙ୍କ ପରିବାର ସହ ଯୋଗାଯୋଗ କରିଥିଲା। ଆଜି ଶବ ବ୍ୟବଚ୍ଛେଦ ବେଳେ ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ଦେଖାଯାଇଥିଲା। ତେଣୁ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରା‌ଯାଉଛି। ଅଭିଯୁକ୍ତ ମିସ୍ତ୍ରି ଗିରଫ ହେବା ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର