ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା : କଟା ମୁଣ୍ଡ ଓ ପରିଚୟ ଖୋଜୁଛି ପୁଲିସ

ଗଠନ ହେଲା ୫ଟି ଟିମ୍, ତଦନ୍ତ ଜୋରଦାର
ଓଡ଼ିଶା ବାୟୋଟେକ୍ ପାର୍କରୁ ଛୁରି ଜବତ
ପରିଚୟ ପାଇଁ ବସ୍ତିରେ ଲାଗିବ ପୋଷ୍ଟର
ଏମ୍‌ସରେ ହେଲା ପୁଣିଥରେ ଶବ ବ୍ୟବଚ୍ଛେଦ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ଧାରୁଆ-ଦାସପୁର ରାସ୍ତାରେ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣାକୁ ୪୮ ଘଣ୍ଟା ବିତି ଗଲାଣି। କିନ୍ତୁ ଏଯାଏ କଟାମୁଣ୍ଡର ସନ୍ଧାନ କିମ୍ବା ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ହତ୍ୟାର ଶିକାର ହୋଇଥିବା ମହିଳା ଜଣକ କିଏ? ପ୍ରଥମେ ଏହି ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। କାରଣ ପରିଚୟ ମିଳିଲା ପରେ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ପୁଲିସ କହିଛି। ତେଣୁ କଟାମୁଣ୍ଡ ଖୋଜା ଅଭିଯାନକୁ ପୁଲିସ ଜୋରଦାର କରିଛି। ଆଜି ଦ୍ବିତୀୟ ଦିନରେ ଅତିରିକ୍ତ ଡିସିପି, ଜୋନ୍ ଏସିପି, ଚନ୍ଦକା ଥାନା ଆଇଆଇସି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କ ନିକଟରେ ଛାନଭିନ୍ କରିଛନ୍ତି। ନିର୍ମାଣାଧୀନ ଏହି କ୍ୟାମ୍ପସରୁ ଏକ ଛୁରି ମଧ୍ୟ ଜବତ କରାଯାଇଛି, ଯାହା ପରୀକ୍ଷା ପାଇଁ ଫୋରେନସିକ୍ ଲାବରେଟାରିକୁ ପଠାଯାଇଛି। ଏହି ରାସ୍ତା ସମ୍ପର୍କରେ ପରିଚିତ ଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।

Woman’s headless body recovered

ଭୁବନେଶ୍ବର ପାଖ ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀରେ ପୁଲିସ ଟିମ୍ ଖୋଳତାଡ଼ କରୁଛି। ସେଠାକାର ନିଖୋଜ ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଛି। ଏଣେ ଆଜି ପୁଣିଥରେ ଏହି ମହିଳାଙ୍କର ଶବକୁ ଏମ୍‌ସରେ ବ୍ୟବଚ୍ଛେଦ କରାଯାଇଛି। ଏମ୍‌ସ ଏଫ୍‌ଏମ୍‌ଟି ବିଭାଗର ଏକ ଡାକ୍ତରୀଦଳ ଶବ ବ୍ୟବଚ୍ଛେଦ ବେଳେ ତନ୍ନତନ୍ନ କରି ପରୀକ୍ଷା କରିଛନ୍ତି। ଏହାଛଡ଼ା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦ‌ାଫାସ୍ କରିବା ପାଇଁ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟଙ୍କ ନେତୃତ୍ବରେ ୫ଟି ଟିମ୍ ଗଠନ କରାଯାଇଛି। ଅତିରିକ୍ତ ଡିସିପି, ଜୋନ୍ ଏସିପି, ଚନ୍ଦକା ଆଇଆଇସି, ସ୍ପେସାଲ ସ୍କ୍ବାଡ୍ ଏସିପି ଓ ଆଉ କିଛି ଅଧିକାରୀଙ୍କୁ ନେଇ ଏହିସବୁ ଟିମ୍ ଗଠନ କରାଯାଇଛି। ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଅନୁସାରେ, ମହିଳାଙ୍କ ମୁଣ୍ଡ ବିହୀନ ଫଟୋ ସହ, ଆନୁମାନିକ ବୟସ, ରଙ୍ଗ, ଉଚ୍ଚତା, ହାତରେ ଚିତା କୁଟା ଯାଇଥିବା ଓମ୍ ଚିହ୍ନ, ପୋଷାକ ସମ୍ପର୍କରେ ପୋଷ୍ଟର ତିଆରି କରାଯିବ। ଏହି ପୋଷ୍ଟରକୁ ରାଜ୍ୟର ବିଭିନ୍ନ ଥାନା ଓ ପଡ଼ୋଶୀ ରାଜ୍ୟରେ ମରାଯିବ। ଦିନେ ଦୁଇଦିନ ଭିତରେ ପୋଷ୍ଟର କାମ ଶେଷ ହେବ। ଘଟଣା ସମ୍ପର୍କରେ ରାଜ୍ୟର ସମସ୍ତ ଥାନାକୁ ଖବର ଦିଆଯାଇଛି। ନିଖୋଜଙ୍କ ସମ୍ପର୍କରେ ତଥ୍ୟ ହାସଲ କରାଯାଉଛି। ମାମଲା ବୀଭତ୍ସ ହୋଇଥିବାରୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଶବ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏପରି ମହିଳାଙ୍କ ସମ୍ପର୍କରେ ଯଦି କେହି ସୂଚନା ପାଆନ୍ତି କିମ୍ବା ସନ୍ଦେହ କରନ୍ତି ତାହାଲେ ଡାଏଲ୍-୧୦୦ କିମ୍ବା ସ୍ଥାନୀୟ ଥାନାକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି।

ହତ୍ୟା ପଛରେ ପରକୀୟା ପ୍ରୀତି!
ମହିଳାଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି ପ୍ରମୁଖ କାରଣ ବୋଲି ପୁଲିସ ସନ୍ଦେହ କରୁଛି। ମୃତ ମହିଳାଙ୍କର କାହା ସହ ଅନୈତିକ ସମ୍ପର୍କ ଥିବା ନେଇ ସ୍ବାମୀ ଜାଣିବା ପରେ ଏହି ଜଘନ୍ୟ କାଣ୍ଡ ଘଟାଇ ଥାଇପାରେ ବୋଲି ଅନୁମାନ କରାଯାଉଛି। କାରଣ ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଜଣେ କ୍ରୋଧାନ୍ଧ ହୋଇ ଏପରି ଜଘନ୍ୟ କାଣ୍ଡ ଘଟାଇଥାଏ ବୋଲି ବିଶେଷଜ୍ଞ କହୁଛନ୍ତି। ଅନୈତିକ ସମ୍ପର୍କ ରଖୁଥିବା ବ୍ୟକ୍ତି କିମ୍ବା ପ୍ରତିଶୋଧ ପରାୟଣ ହୋଇ କେହି ଏପରି କାଣ୍ଡ ଘଟାଇପାରେ।

ମାଟି ପରୀକ୍ଷା କଲା ସାଇଣ୍ଟିଫିକ୍ ଟିମ୍
ନିର୍ମାଣାଧୀନ ଓଡ଼ିଶା ବାୟୋଟେକ୍ କ୍ୟାମ୍ପସ ଭିତରକୁ ସନ୍ଧାନୀ କୁକୁର ପଶିବା ପରେ ଫାଟକର ବାମ ପଟେ ଥିବା ପାଣିଟାଙ୍କି ନିକଟକୁ ଯାଇଥିଲା। ପାଣି ଟାଙ୍କି ନିକଟରେ କିଛି ସମୟ ବୁଲିଥିଲା। କ୍ୟାମ୍ପସର ପଛ ପଟ ପାଚେରି ଭାଙ୍ଗି ଯାଇଥିବାରୁ ସେହି ପଟେ ହତ୍ୟାକାରୀ ଆସି ପାଣି ଟାଙ୍କିରେ ଲାଗିଥିବା ଟ୍ୟାବ୍‌ରେ ହାତ ଧୋଇଥିବା ସନ୍ଦେହ କରାଯାଉଛି। ତେଣୁ ପରୀକ୍ଷା ଲାଗି ପାଣି ବୋହି ଯାଉଥିବା ସ୍ଥାନରୁ ମାଟି ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍। ଏଥିରୁ କିଛି ସୁରାକ୍ ମିଳିପାରେ ବୋଲି ଅନୁମାନ କରାଯାଉଛି।

ବସ୍ତି ଉପରେ ନଜର
ମୃତ ମହିଳା କୌଣସି ବସ୍ତି ଅଞ୍ଚଳର ହୋଇଥିବା ପୁଲିସ ସନ୍ଦେହ କରୁଛି। ବେଶଭୁଷାରୁ ଏହି ସନ୍ଦେହ କରାଯାଉଛି। ତେଣୁ ରାଜଧାନୀର କିଛି ବସ୍ତି ଅଞ୍ଚଳରେ ପୁଲିସ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଆରମ୍ଭ କରି ଦେଇଛି। ସେହିପରି ମୃତ ମହିଳା ରାଜ୍ୟ ବାହାରର ହୋଇଥିବା ସନ୍ଦେହକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁନି। ଏଠାରେ ରହି ଶ୍ରମିକ ଭାବେ କାମ କରୁଥିବା ମଧ୍ୟ ଅନୁମାନ କରାଯାଉଛି। ଯଦି ରାଜ୍ୟ ବାହାରର ହୋଇଥାନ୍ତି ଓ ଏଠାରେ ରହୁଥାନ୍ତି ତାହାଲେ ପରିଚୟ ମିଳିବା ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।

ଥାନାକୁ ଆସିଲାଣି ୯ ନିଖୋଜ ମହିଳାଙ୍କ ତଥ୍ୟ
ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହେବା ପରେ ନିଖୋଜ ଥିବା ମହିଳାଙ୍କ ସମ୍ପର୍କରେ ତଥ୍ୟ ଆସିବାରେ ଲାଗିଛି। ରାଜଧାନୀ ଓ ଆଖପାଖ ଅଞ୍ଚଳରୁ ଏବେ ସୁଦ୍ଧା ୯ଜଣ ମହିଳାଙ୍କ ନିଖୋଜ ଘଟଣାର ତଥ୍ୟ ଆସିଲାଣି। ନୟାଗଡ଼, ପୁରୀ ଗଡ଼ିଶାଗଦା, ଖୋର୍ଦ୍ଧା, ନୟାପଲ୍ଲୀ ଅଞ୍ଚଳରୁ ଏମିତି ନିଖୋଜ ଥିବା ମହିଳାଙ୍କ ସମ୍ପର୍କୀୟମାନେ ଫଟୋ ଧରି ଆଜି ଚନ୍ଦକା ଥାନାରେ ପହଞ୍ଚିଛନ୍ତି। ତେବେ ଏହିସବୁ ଫଟୋ ସହ ମୃତଦେହର ମେଳ କରାଯାଇଥିଲେ ମଧ୍ୟ ଗୋଟିଏ ବି ମେଳ ଖାଇନାହିଁ।

ସମ୍ବନ୍ଧିତ ଖବର