ଏମିତି ଚାଲିଛି ମହିଳା ଶିଶୁ ଡେସ୍କ, କେଉଁଠି ଗୋଦାମ, କେଉଁଠି ଠାକୁର ଘର

ଭୁବନେଶ୍ୱର: ମହିଳା ଓ ଶିଶୁଙ୍କ ଉପରେ ବଢ଼ୁଥିବା ହିଂସାକୁ ଆଖି ଆଗରେ ରଖି କମିସନ‌ରେଟ୍‌ ପୁଲିସ ପକ୍ଷରୁ ସମସ୍ତ ଥାନାରେ ଖୋଲା ଯାଇଛି ମହିଳା ଓ ଶିଶୁ ଡେସ୍କ। ଏହି ସବୁ ଡେସ୍କ ଦାୟିତ୍ବରେ ଜଣେ ଜଣେ ମହିଳା ଅଫିସର୍‌ ଅଛନ୍ତି। କାରଣ ମହିଳାମାନେ ତାଙ୍କର ଅଭିଯୋଗ ଜଣେ ମହିଳା ପୁଲିସ ଅଫିସରଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିପାରିବେ ଓ ତଦନ୍ତ ପ୍ରକ୍ରିୟା ସହଜ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସର ବିଭିନ୍ନ ଥାନାରେ ଏଭଳି ଡେସ୍କ ନିର୍ମାଣ କରାଯାଇଥିଲା। ସ୍ବତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଥିଲା। ହେଲେ ସେହି ସବୁ ଡେସ୍କର ସ୍ଥିତି ଏବେ ବିଗିଡ଼ି ଯାଇଥିବା ଦେଖାଯାଇଛି। ଅଧିକାଂଶ ସେଲ୍‌ ତାଲା ପଡ଼ିଥିବା ବେଳେ କେତେକ ଗୋଦାମ ପାଲଟି ଯାଇଛି। କେତେକ ଥାନାରେ ଏହି ସେଲ୍‌ କେଉଁଠି ଅଛି, ତାହା ସହଜରେ ଜଣାପଡ଼ୁ ନାହିଁ। କେତେକ ସ୍ଥାନରେ ମହିଳା ଅଭିଯୋଗକାରୀଙ୍କୁ ପୁରୁଷ ଅଧିକାରୀ ଜେରା କରୁଥିବା ବେଳେ କେଉଁଠି ମହିଳା ଅଧିକାରୀ ମଧ୍ୟ ନାହାନ୍ତି। ଫଳରେ ଏତଲା ଦେବାକୁ ଆସି ମହିଳା ଘଣ୍ଟାଘଣ୍ଟା ଧରି ଥାନା ବାରଣ୍ଡାରେ ପଡ଼ିଥିବା ଚଉକିରେ ବସି ରହୁଛନ୍ତି। ତେବେ କେତେକ ଥାନାରେ ମହିଳା ଅଫିସରଙ୍କୁ ନେଇ ଏହି ସେଲ୍‌ କାର୍ଯ୍ୟକ୍ଷମ ଅଛି। ଯେଉଁଠି ମହିଳା ଅଭିଯୋଗକାରୀମ‌ାନେ ମନ କଥା କହିବାରେ କୁଣ୍ଠାବୋଧ କରୁନାହାନ୍ତି।

ବଡ଼ଗଡ଼ ଥାନା: ଏଠାରେ ମହିଳା ଓ ଶିଶୁ ଡେସ୍କ ପାଇଁ ନୂଆ ଘର ତିଆରି ହୋଇଥିଲା। କିଛି ଦିନ ପର୍ଯ୍ୟନ୍ତ ଏହି ଡେସ୍କ ଠିକ୍‌ଠାକ୍‌ କାର୍ଯ୍ୟ ମଧ୍ୟ କରିଥିଲା। ମାତ୍ର ମାସକ ପରେ ଚିତ୍ର ବଦଳିଗଲା। ଏବେ ତାହା ଗୋଦାମ ଘର ପାଲଟି ଯାଇଛି। ଜବତ ହେଉଥିବା ସାମଗ୍ରୀ ଏଠାରେ ଗଦା ହେଉଛି। ଥାନାର କୌଣସି ଆସବାବପତ୍ର ଭାଙ୍ଗିଗଲେ ଏଠାରେ ଜମା ହେଉଛି। ମହିଳା ଅଭିଯୋଗକାରୀକୁ ପୁରୁଷ ଅଧିକାରୀମାନଙ୍କ ଗହଣରେ ପଚରାଉଚରା କରାଯାଉଛି। ଫଳରେ ମହିଳା ଓ ଶିଶୁ ଡେସ୍କର ଉଦ୍ଦେଶ୍ୟ ଏହି ଥାନାରେ କୌଣସି ଦୃଷ୍ଟିରୁ ପାଳନ ହୋଇପାରୁନାହିଁ।
କ୍ୟାପିଟାଲ ଥାନା: ସହରର ଏହା ଏକ ପ୍ରମୁଖ ଥାନା। ଦିନର ସର୍ବାଧିକ ସମୟ ଏଠାରେ ଅଭିଯୋଗକାରୀଙ୍କର ଭିଡ଼ ଜମିଥାଏ। ଏହି ଥାନା ଅଧୀନରେ ଗୋଟିଏ ବଡ଼ ବସ୍ତି ଓ ୧ ନମ୍ବର ମାର୍କେଟ ରହୁଥିବାରୁ ପ୍ରତ୍ୟେକ ଦିନ ମହିଳା ଓ ଶିଶୁ ସମ୍ପର୍କିତ ଅଭିଯୋଗ ଏଠାକୁ ଆସିଥାଏ। ହେଲେ ମହିଳା ଓ ଶିଶୁ ଡେସ୍କକୁ ଏଠାରେ ଖୋଜିଲେ ବି ସହଜରେ ମିଳିବ ନାହିଁ। ଥାନା ପରିସରରେ ଥଲେ ମଧ୍ୟ ଏହା ଥାନା କୋଠା ଭିତରେ ନାହିଁ। ଏହି ଡେସ୍କର ଦ୍ବାର ଏକ ନମ୍ବର ମାର୍କେଟ ପଟକୁ ରହିଛି। ଯାହା ଥାନା ପରିସରର କୌଣସି ସ୍ଥାନରେ ଛିଡ଼ା ହେଲେ ମଧ୍ୟ ଠିକ୍‌ରେ ଦେଖାଯାଉନି। ଅନ୍ୟ କୌଣସି ସ୍ଥାନରେ ଏ ବାବଦରେ ମଧ୍ୟ ସୂଚନା ନାହିଁ। ବଡ଼କଥା ହେଉଛି, ନିର୍ମାଣ ପରଠାରୁ ଏଠାରେ ମଧ୍ୟ ତାଲା ପଡ଼ିଛି। ଏହାକୁ ଲାଗି ରହିଥିବା ଅଭ୍ୟର୍ଥନା ଗୃହ ମଧ୍ୟ ଲୋକଙ୍କ କାମରେ ଆସୁନି।

ମଞ୍ଚେଶ୍ବର ଥାନା: ମଞ୍ଚେଶ୍ବର ଥାନାରେ ଏହି ଡେସ୍କ ପରିଷ୍କାର,ପରିଚ୍ଛନ୍ନ। ଜଣେ ମହିଳା କର୍ମଚାରୀ ଏଠାରେ ଦାୟିତ୍ବରେ ରହିଛନ୍ତି। ପ୍ରବେଶ କରିବା ପରେ ଏହି ଡେସ୍କ ସାମ୍ନାରେ ଥିବାରୁ ଏହାକୁ ପାଇବାରେ ମଧ୍ୟ ଅଭିଯୋଗକାରୀକୁ ସମସ୍ୟା ହେଉନାହିଁ। ତା’ ଛଡ଼ା ଥାନାଠାରୁ ଛାଡ଼ି ରହିଥିବାରୁ ଅନ୍ୟ ପୁରୁଷ ଅଧିକାରୀଙ୍କ ହସ୍ତକ୍ଷେପ ରହୁନାହିଁ। ଏଣୁ ମହିଳା ଅଭିଯୋଗକାରୀ ଏଠାରେ ସହଜରେ ଅଭିଯୋଗ ସଂପର୍କରେ ଆଲୋଚନା କରିପାରୁଛନ୍ତି। ତେବେ ଏଠାରେ ଠାକୁର ପୂଜା ହେଉଥିବାରୁ ଜୋତା ବାହାରେ ରଖି ଆସିବାକୁ ଲେଖାଯାଇଛି। ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ନୟାପଲ୍ଲୀ: ନୟାପଲ୍ଲୀ ଥାନାରେ ଏହି ଡେସ୍କ ଅଭ୍ୟର୍ଥନା କକ୍ଷ ସହ ଏକାଠି ରହିଛି। ଏଠାରେ ଅନେକ ସମୟରେ ମହିଳା କର୍ମଚାରୀ ଅନୁପସ୍ଥିତ ରହୁଥିବାରୁ ପୁରୁଷ ଅଧିକାରୀମାନେ ହିଁ ମହିଳାଙ୍କୁ ଜେରା କରନ୍ତି ବା ଅଭିଯୋଗ ବାବଦରେ ତଥ୍ୟ ହାସଲ କରନ୍ତି। ଅଭ୍ୟର୍ଥନା କକ୍ଷ ମଧ୍ୟ ଏହି କୋଠା ଭିତରେ କାମ କରୁଥିବାରୁ ମହିଳା ଅଭିଯୋଗକାରୀଙ୍କ ଗୋପନୀୟତା ରୁହେ ନାହିଁ। ଫଳରେ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ଥିଲେ ମଧ୍ୟ ମହିଳା ଓ ଶିଶୁ ଡେସ୍କର ଉଦ୍ଦେଶ୍ୟ ଏଠାରେ ପୂରଣ ହେଉ ନାହିଁ।

ସହିଦ ନଗର ଥାନା: ଏଠାରେ ପ୍ରବେଶ ଦ୍ବାରରେ ହିଁ ଏହି ଡେସ୍କ ରହିଛି। ଅଧିକାଂଶ ସମୟରେ ଜଣେ ମହିଳା କର୍ମଚାରୀ ବସି ରହୁଛନ୍ତି। ଫଳରେ ମହିଳା ଅଭିଯୋଗକାରୀଟିଏ କୁଣ୍ଠାବୋଧ ନ କରି ନିଜର ଅଭିଯୋଗ ଉପସ୍ଥାପନ କରିପାରୁଛନ୍ତି। ତେବେ କମିସନରେଟ୍‌ ପୁଲିସ ଅଧୀନରେ ଥିବା ୨୨ ଥାନା ମଧ୍ୟରୁ ଏହା କୋତୋଟି ଉଦାହରଣ ମାତ୍ର। ଅନ୍ୟ ସମସ୍ତ ଥାନାରେ ଏହି ସ୍ବତନ୍ତ୍ର ସେଲ୍‌ର ଅବସ୍ଥା ସହଜେ ଅନୁମେୟ। ଯେଉଁ ଉଦ୍ଦେଶ୍ୟ ନେଇ ଏହାର ପରିକଳ୍ପନା କରାଯାଇଥିଲା, ତାହା ଫଳପ୍ରଦ ହେଉନାହିଁ।

ସମ୍ବନ୍ଧିତ ଖବର