‘ମହିଳାଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳୁନାହିଁ’

‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମ

ଖଣ୍ଡଗିରି : ୨୦୨୧ରେ ହୋଇଥିବା ଏକ ପରିସଂଖ୍ୟାନ କହୁଛି, ୧୫ରୁ ୫୯ ବର୍ଷ ବୟସର ମହିଳା ଗୃହିଣୀ। ୪୦ ପ୍ରତିଶତ ମହିଳା ଗୃହିଣୀ ଓ କର୍ମଜୀବୀ। ୮୪ ପ୍ରତିଶତ ବେତନ ପାଉ ନଥିବା ମହିଳା କେବଳ ଗୃହିଣୀ। ଅପରପକ୍ଷରେ ୮୦ ପ୍ରତିଶତ ପୁରୁଷ ବେତନ ପାଉଥିବା କର୍ମଜୀବୀ। ପ୍ରତ୍ୟେକ ମହିଳା ଦିନକୁ ୨୯୯ ମିନିଟ୍‌ କାମ କରୁଥିବା ବେଳେ ଏହି କାମ ପାଇଁ ତାଙ୍କୁ କୌଣସି ବେତନ ମିଳେନାହିଁ। ଏହାବଦଳରେ ସେମାନେ କେବେ ଦରମା ଦାବି କରି ନାହାନ୍ତି କିମ୍ବା ଆଶା ମଧ୍ୟ କରିନାହାନ୍ତି। ହେଲେ ଏତେ କାମ ପରେ ମଧ୍ୟ ଯେଉଁ ମର୍ଯ୍ୟାଦା, ସମାନତା, ସମ୍ମାନ ଓ ପରିଚୟ ମିଳିବା କଥା ତାଙ୍କୁ ମିଳୁନାହିଁ। ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମର ଚତୁର୍ଥ ଅଧିବେଶନରେ ‘ମହିଳ‌ାଙ୍କ ଦରମା କେତେ?’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି କହିଛନ୍ତି ସମାଜସେବୀ ସରିତା ବଡ଼ପଣ୍ଡା।

ସୋନି ସାମଲ, ଅନୁରାଧା ମହାନ୍ତି, ସ୍ବାତୀ କେଜ୍ରିୱାଲ ଓ ମିନୁ ପଟ୍ଟନାୟକଙ୍କ ସହ ‘ମହିଳା ଉଦ୍ୟୋଗୀ-ଏକତା ହିଁ ଅଭିବୃଦ୍ଧିର ମନ୍ତ୍ର’ସମ୍ପର୍କରେ ଆଲୋଚନା କରୁଛନ୍ତି ବିଜୟଲକ୍ଷ୍ମୀ

ସେ ଆହୁରି କହିଛନ୍ତି, ସମାଜ କେବେ ଅଟକି ନାହିଁ। ହେଲେ ଅସମାନତା ଭିତରେ ଏବେ ମଧ୍ୟ ସମାଜ ଆଗକୁ ବଢ଼ୁଛି। ଭାରତର ତାମିଲନାଡୁ ଏବଂ ଅନ୍ୟ କିଛି ଦେଶରେ ଗୃହିଣୀଙ୍କ କାମକୁ ସମ୍ମାନ ଓ ପରିଚୟ ଦେବାପାଇଁ ସେମାନଙ୍କ ଭତ୍ତାଦେବା ବ୍ୟବସ୍ଥା ଆରମ୍ଭ ହୋଇଛି। ହେଲେ, ଯେକୌଣସି ସମୟରେ ଟଙ୍କା ପାଇଁ ହାତ ପତାଇବା ଅସହାୟତା ଅନୁଭବ କରାଇବାକୁ ଗୃହିଣୀଙ୍କୁ ବାଧ୍ୟକରେ।
କାର୍ଯ୍ୟକ୍ରମରେ ସମାଜସେବୀ ଅନୁରାଧା ମିଶ୍ର କହିଲେ, ମହିଳାଙ୍କ ଦରମା କେତେ ହେବା ଆବଶ୍ୟକ ସେ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା। ହେଲେ, କୋର୍ଟରେ କୌଣସି ରାୟ କିମ୍ବା ବଡ଼ ଘଟଣା ନଘଟିଲେ ଆମେ ଏ ବିଷୟକୁ ନେଇ ଚର୍ଚ୍ଚା କରନ୍ତି ନାହିଁ। ଏହାକୁ ନେଇ କୌଣସି ପ୍ରକ‌ାର ଆଲୋଚନା ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି ନାହିଁ। ସବୁ ଅଧିକାରର ଅଧିକାରିଣୀ ମହିଳା ହୋଇଥିଲେ ମଧ୍ୟ ଗୃହିଣୀକୁ ସେଇ ସମ୍ମାନ ମିଳେନାହିଁ। ମା’ ଘରର ସମସ୍ତ କାମ କରନ୍ତି ବୋଲି କେହି ସମ୍ମାନରେ ମଧ୍ୟ କୁହନ୍ତି ନାହିଁ। ମୋ ମା’ କିଛି କରନ୍ତି ନାହିଁ ଭଳି କହୁଥିବା ଦେଖିବାକୁ ମିଳେ। ‌ଏହାକୁ ପରିବର୍ତ୍ତନ କରିବାକୁ ହେଲେ ମାନସିକତା ଓ ଆମ ଆଇନରେ ବିଭିନ୍ନ ପରିବର୍ତ୍ତନ ଆଣି‌ବାକୁ ହେବ ବୋଲି ସେ କହିଥିଲେ।

‘ବିବାହ ପରେ ଜୀବନ’ ସମ୍ପର୍କରେ ମାନସ ରଂଜନଙ୍କ ସହ ମତ ବିନିମୟ କରୁଛନ୍ତି ଦୁଇ ଅଭିନେତ୍ରୀ ଝିଲିକ୍ ଓ ଅର୍ଚ୍ଚିତା

 

କାର୍ଯ୍ୟକ୍ରମରେ ଅଭିନେତ୍ରୀ ମାମା ମିଶ୍ର ଯୋଗଦେଇ କହିଲେ, ଯେକୌଣସି କାମ କଲେ ମଧ୍ୟ ତାକୁ ଶତ ପ୍ରତିଶତ ମନ ଧ୍ୟାନ ଦେଇ କରିବା ଆବଶ୍ୟକ। ପରିବାର ପାଇଁ କାମ କରିବା‌, ଚାକିରି କରିବା ବା ନକରିବା ବ୍ୟକ୍ତିଗତ ଇଚ୍ଛ‌ା ହେବା କଥା। ୧୮ ବର୍ଷ ତଳେ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି ତାକୁ ନେଇ ମୁଁ କେବେ ଅନୁତପ୍ତ ନୁହେଁ। ପରିବ‌ାରକୁ ସମୟ ଦେବା ଓ ଅଭିନୟ ଜଗତ ଛାଡ଼ିବା‌ ମୋ ବ୍ୟକ୍ତିଗତ ଇଚ୍ଛାଥିଲା। ଗୃହିଣୀଙ୍କ କାମକୁ ଘରଲୋକ ସମ୍ମାନ ଦେବା ଆରମ୍ଭ କଲେ ସେ ଯେଉଁ କାମ କଲେ ମଧ୍ୟ ଆପତ୍ତି ରହିବ ନାହିଁ ବୋଲି ସେ ମତ ରଖିଥିଲେ। ଅଧିବେଶନକୁ ସାମ୍ବାଦିକା ମୌସୁମୀ ମହାନ୍ତି ପରିଚାଳନା କରିଥିଲେ।

ବିଶିଷ୍ଟ ଅଭିନେତ୍ରୀ ଜୟାପ୍ରଦା ନିଜର ସଂଘର୍ଷ ଓ ଯାତ୍ରା ସମ୍ପର୍କରେ ମତ ରଖୁଛନ୍ତି। କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି ସ୍ବସ୍ତିକା

ଲତା ଦିଦିଙ୍କ ସ୍ବର ପ୍ରସିଦ୍ଧି ଦେଇଛି
ଆଜି ଏତେ ବର୍ଷ ପରେ ମଧ୍ୟ ଲତା ଦିଦି ମୋତେ ଡଫଲିବାଲି ଭାବରେ ସମ୍ବୋଧନ କରନ୍ତି। ସେଥିରେ ମୁଁ ଜଣେ ମୂକ ଝିଅ ଭାବରେ ଅଭିନୟ କରିଥିଲେ ମଧ୍ୟ ଲତା ଦିଦିଙ୍କ ସ୍ବରର ଯାଦୁ ସରଗମ ଚଳଚ୍ଚିତ୍ରର ସେହି ଚରିତ୍ରକୁ ଜୀବନ୍ତ କରି ଦେଇଥିଲା। ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ଚଳଚ୍ଚିତ୍ରରେ ତାଙ୍କ ସ୍ବର ମତେ ପ୍ରସିଦ୍ଧି ଆଣିଦେଇଛି।

ହିନ୍ଦୀ ସଂଳାପ ଶିଖାଉଥିଲେ ଅମିତାଭ ବଚ୍ଚନ
ଦକ୍ଷିଣ ଭାରତରୁ ଯାଇ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାରେ କେବେ ସମସ୍ୟା ହୋଇନାହିଁ। ଅଭିତାଭ ବଚ୍ଚନ, ଜିତେନ୍ଦ୍ର, ଧର୍ମେନ୍ଦ୍ର ଭଳି ଅଭିନେତାଙ୍କ ବହୁତ ସହଯୋଗ ରହିଥିଲା। ବିଶେଷକରି, ଅମିତାଭ ବଚ୍ଚନ ନିଦରୁ ଉଠାଇ ହିନ୍ଦୀ ସଂଳାପ ଶିଖାଉଥିଲେ ବୋଲି ଜୟାପ୍ରଦା କହିଛନ୍ତି।

ଶ୍ରୀଦେବୀଙ୍କୁ ଆଜି ମିସ୍ କରୁଛି
ଶ୍ରୀଦେବୀ ଏବଂ ଜୟାପ୍ରଦାଙ୍କ ପ୍ରତିଦ୍ବନ୍ଦ୍ବିତା ତୀବ୍ର ଥିଲା। ଅଭିନୟଠାରୁ ନୃତ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉଭୟଙ୍କୁ ତୁଳନା କରାଯାଉ ଥିଲା। କିନ୍ତୁ, ଆଜି ଶ୍ରୀଦେବୀଙ୍କୁ ବହୁତ ମିସ୍‌ କରୁଛି। ତାଙ୍କ ସହିତ ଯାହା ହେଲା ତାହା ଦୁର୍ଭାଗ୍ୟଜନକ ବୋଲି ଜୟାପ୍ରଦା କହିଛନ୍ତି।

ସୁରସଙ୍ଗମରେ ଥିଲା ଓଡ଼ିଶୀ
ହିନ୍ଦୀ ଚଳଚ୍ଚିତ୍ର ସୁରସଙ୍ଗମରେ ଓଡ଼ିଶୀର ପ୍ରଦର୍ଶନ କରିଛି। ଏହା କେମିତି ହୋଇଥିଲା ଦର୍ଶକ ହିଁ କହିପାରିବେ। କିଛିଦିନ ଚଳଚ୍ଚିତ୍ରରୁ ବିଦାୟ ନେଇଥିବା ଜୟାପ୍ରଦା ଖୁବ୍‌ଶୀଘ୍ର ୱେବ୍‌ସିରିଜ ଫାତିମାରେ ଆସୁଥିବା ଜଣାଇଛନ୍ତି। ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରୁଛନ୍ତି। ଯାହା ଶୀଘ୍ର ରିଲିଜ ହେବ।

ସମ୍ବନ୍ଧିତ ଖବର