ଆଲିଶା ଫାଉଣ୍ଡେସନ: ଆଲିଶା ଫାଉଣ୍ଡେସନ ତରଫରୁ ମଞ୍ଜରୀ ମୁଣ୍ଡା ସାହିରେ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ନାରୀ ଦୁର୍ବଳା ନୁହେଁ ନାରୀ ସବଳା’ ଶୀର୍ଷକକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରଦୂଷଣମୁକ୍ତ ସମାଜ ପାଇଁ ଏକ ସାଇକେଲ ଶୋଭାଯାତ୍ରା କରାଯିବା ସହିତ ମହିଳାଙ୍କୁ ସଚେତନତା କରାଇବା ନିମନ୍ତେ ସାନିଟାରି ନାପ୍କିନ ବିତରଣ କରାଯାଇଥିଲା। ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଫେସର ଅନ୍ନଦାପ୍ରଭା ରାୟ ତାଙ୍କ ବକ୍ତବ୍ୟରେ ବର୍ଷର ଗୋଟିଏ ଦିନ ନୁହେଁ ବରଂ ବାକି ୩୬୪ ଦିନ ମଧ୍ୟ ମହିଳା ଦିବସ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ମେଣ୍ଟର୍ ମାନବେନ୍ଦ୍ର ମିଶ୍ର, ଜ୍ୟୋତ୍ସ୍ନାମୟୀ ନାୟକ, ସଭାପତି ରାଧେଶ୍ୟାମ, ଲଲାଟେନ୍ଦୁ ପଟ୍ଟନାୟକ, ଜ୍ୟୋତ୍ସ୍ନା ଡି ମାଝୀ, କମଳିନୀ ଦାସ, ଝରଣା ଦେଇ ପତି ଓ ଶକ୍ତି ପତି ପ୍ରମୁଖ ଉପସ୍ଥିତ ଥିଲେ।
ସିଡବ୍ଲୁଡବ୍ଲୁଏ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସିଆର୍ପିଏଫ୍ ଵାଇଭ୍ସ ଵେଲଫେୟାର ଆସୋସିଏସନ୍(ସିଡବ୍ଲୁଡବ୍ଲୁଏ) ପକ୍ଷରୁ ଭୁବନେଶ୍ବର କ୍ୟାମ୍ପସରେ ମହିଳାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡବ୍ଲୁଡବ୍ଲୁଏର ସେକ୍ଟର୍ ମୁଖ୍ୟ ଭାବେ ଶର୍ମିଷ୍ଠା ମହାନ୍ତି ଯୋଗ ଦେଇ କହିଲେ, ପ୍ରଗତିଶୀଳ ଦେଶରେ ପୁରୁଷଠାରୁ ନାରୀ କୌଣସି ଗୁଣରେ କମ୍ ନୁହନ୍ତି।
ଉଭୟ ପୁରୁଷ ଓ ନାରୀ କାନ୍ଧରେ କାନ୍ଧ ମିଶାଇ ଚାଲିଲେ ଦେଶର ବିକାଶ ସମ୍ଭବ। ସମ୍ମାନିତ ଅତିଥି ଭାବେ ଏନ୍ଆଇଏଫ୍ଡିର ପରିଚାଳନା ନିର୍ଦ୍ଦେଶିକା ସନ୍ଧ୍ୟା ଆରତି ପଟ୍ଟନାୟକ ଯୋଗ ଦେଇ ବର୍ତ୍ତମାନ ସମାଜରେ ନାରୀର ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ। ସିଡବ୍ଲୁଡବ୍ଲୁଏର ଆଞ୍ଚଳିକ ମୁଖ୍ୟ ଭାବେ ମାନସୀ ବେହେର ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସିଆର୍ପିଏଫ୍ କ୍ୟାମ୍ପସରେ ଶିଶୁ ଉଦ୍ୟାନ ଉଦ୍ଘାଟନ କରାଯାଇଥିଲା। ଏହାସହିତ ସିଆର୍ପିଏଫ୍ ଡିଆଇଜି ସ୍ବର୍ଗତ ସୁନୀଲ କୁମାର ପାର୍ଥଙ୍କ ପତ୍ନୀ ସୁଜାତା ପାର୍ଥଙ୍କୁ ସମ୍ମାନିତ କରାଯାଇଥିଲା। ସିଆର୍ପିଏଫ୍ର ଓଡ଼ିଶା ସେକ୍ଟରର ଆଇଜି ଏସ୍କେ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅଂଶ ଗ୍ରହଣ କରିଥିଲେ।
ମହର୍ଷି ମହିଳା ଡିଗ୍ରି ମହାବିଦ୍ୟାଳୟ: ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତପାବନ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏନ୍ଏସ୍ଏସ୍ ଏକ ନମ୍ବର ୟୁନିଟ୍ର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସୋମିଲା ଦାସ ଓ ୟୁନିଟ ଦୁଇର ଅଧ୍ୟାପିକା ବିଷ୍ଣୁପ୍ରିୟା ପଣ୍ଡାଙ୍କ ତତ୍ତ୍ବାବାଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ଅଧ୍ୟାପକ, କାର୍ଯ୍ୟକର୍ତ୍ତା ଓ ବହୁ ଛାତ୍ରୀ ସାମିଲ ହୋଇଥିଲେ।
ଏହି ଅବସରରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ମହିଳା ସଶକ୍ତୀକରଣ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଇପିଏଫ୍ଓ: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ପକ୍ଷରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିତ କାର୍ଯ୍ୟାଳୟରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ମହିଳା ପ୍ରୋଭିଡେଣ୍ଟ ଫଣ୍ଡ ହିତାଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା।
ସେଥିରେ ସେମାନେ ଇ-ନାମାଙ୍କନପତ୍ର ଦାଖଲ କରିଥିଲେ। କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ କାରଖାନା ଏବଂ ମହିଳା କର୍ମଚାରୀଙ୍କ ନାମାଙ୍କନକୁ ତ୍ବରାନିତ କରିବା ପାଇଁ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏଥିପାଇଁ ଇପିଏଫ୍ଓ କାର୍ଯ୍ୟାଳୟ ପକ୍ଷରୁ ମହିଳାମାନଙ୍କ ଅଭିଯୋଗର ସମାଧାନ ସୁବିଧା ଦେବା ପାଇଁ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି।