ବିଡିଓଙ୍କ ବଦଳି ଦାବିରେ ମହିଳାଙ୍କ ଧାରଣା

ବାଲିପାଟଣା: ବାଲିପାଟଣା ବ୍ଲକ ଆଗରେ ଆଜି ଶତାଧିକ ମହିଳା ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ପ୍ରଚଣ୍ଡ ଖରାରେ ଦିନ ତମାମ ବ୍ଲକର ମୁଖ୍ୟ ଗେଟ୍‌ ଆଗରେ ମହିଳାମାନେ ଧାରଣାରେ ବସିଥିଲେ। ବିଡିଓଙ୍କ ମନୋମୁଖୀ କାର୍ଯ୍ୟ କରୁଥିବାରୁ ବାଲିପାଟଣାରେ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇଯାଉଥିବା ଅଭିଯୋଗ କରିଛନ୍ତି ମହିଳାମାନେ।ତେଣୁ ତୁରନ୍ତ ବାଲିପାଟଣାରୁ ବିଡିଓଙ୍କୁ ବଦଳି ପାଇଁ ଦାବି କରିଥିଲେ। ବିଭିନ୍ନ ପଞ୍ଚାୟତରୁ ମହିଳାମାନେ ଆସି ବ୍ଲକ ସମ୍ମୁଖ ଗେଟ୍‌ ଆଗରେ ଦିନ ପ୍ରାୟ ସାଢେ ଦଶଟାରୁ ଧାରଣାରେ ବସିଥିଲେ।ବିଡ଼ିଓଙ୍କ ବଦଳି ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଦିନ ପ୍ରାୟ ୫ଟା ଯାଏ ସେମାନେ ଜିଦ୍‌ ଧରି ବସିବାରୁ ଉପ-ଜିଲ୍ଲାପାଳ ମାନସ କୁମାର ସାମଲ ବ୍ଲକରେ ପହଞ୍ଚି ଆନ୍ଦୋଳନକାରୀ ଓ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀଙ୍କ ଦାବି ସଂପର୍କରେ ଜିଲ୍ଲାପାଳଙ୍କୁ ସେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ଏସିପି ଶୁଭେନ୍ଦୁ ସିହ୍ନା,ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଓ ପୁଲିସ୍‌ ଅଫିସରମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଉନ୍ନୟନ କାମ ଠିକ୍‌ଠାକ୍‌ ଚାଲିଛି: ବିଡିଓ
ଧାରଣା ସଂପର୍କରେ ବିଡିଓ ରଶ୍ମିରେଖା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇନାହିଁ। ଯାହା ପ୍ରୋଜେକ୍ଟ ଆସୁଛି ତାହା ଠିକ୍‌ଠାକ୍‌ ଚାଲିଛି, କିଛି ବି ବ୍ୟତିକ୍ରମ ହେଉ ନାହିଁ। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମୋତେ ଚାପରେ ରଖି କାମ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ମୋ ବିରୋଧରେ ଏଭଳି ଷଡ୍‌ଯନ୍ତ୍ର କରୁଛନ୍ତି। ବାହାରେ ବଡିଓଙ୍କ ବିରୋଧରେ ଧାରଣା ଚାଲୁଥିବା ସମୟରେ କାର୍ଯ୍ୟାଳୟରେ ବ୍ଲକ ଭାଇସ୍‌ ଚେୟାରମ୍ୟାନ୍‌ କୈଳାସ ଚନ୍ଦ୍ର ସ୍ୱାଇଁ, ବିଜେଡି ବ୍ଲକ ସଭାପତି ପ୍ରତାପ ନାୟକ, ନରେନ୍ଦ୍ର ଭୋଳ, ମୁକୁନ୍ଦ ପଣ୍ଡା, କାବୁଲା ପାଣିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ବିଡିଓଙ୍କୁ ସମର୍ଥନ ଜଣାଇ ତାଙ୍କ କାର୍ଯ୍ୟାଳୟରେ ସେମାନେ ଉପସ୍ଥିତ ଥିଲେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର