ପରିବାରର ସହଯୋଗ ବିନା ମହିଳାମାନେ ଆଗେଇ ପାରିବେ ନାହିଁ

କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ

ଭୁବନେଶ୍ୱର: ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ରବିବାର ପାଳିତ ହୋଇଯାଇଛି। ପ୍ରତିମାସ ପ୍ରଥମ ରବିବାର କାଦମ୍ବିନୀ ପକ୍ଷରୁ ସାହିତ୍ୟ ଆସର ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଆସୁଛି। ବିଶ୍ୱ ମହିଳା ଦିବସ ଅବସରରେ କାଦମ୍ବିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଡା. ସରୋଜିନୀ ଷଡ଼ଙ୍ଗୀ, ଡ. ସରୋଜିନୀ ସାହୁ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଯୁଗ୍ମ ନିର୍ଦ୍ଦେଶିକା (ଲୋକସଂପର୍କ) ପୂରବୀ ଦାସ ଓ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଡ. ସାହୁ କହିଲେ, ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେ ଜଣେ କର୍ମଜୀବୀ। ପରିବାରର ସହଯୋଗ ବିନା କର୍ମଜୀବୀ ମହିଳାମାନେ ଆଗେଇ ପାରିବେ ନାହିଁ। ନାରୀର ଶରୀର ଉପରେ ତା’ର ସମ୍ପୂର୍ଣ୍ଣ ଅଧିକାର ରହିଛି। ଆମେ ସମସ୍ତେ ନାରୀ ସ୍ୱାଧୀନତା ସପକ୍ଷରେ କହୁଥିବା ବେଳେ କନ୍ୟା ଭ୍ରୂଣହତ୍ୟା, ନାରୀ ନିର୍ଯାତନା ଆଦି ବିରୋଧରେ ସ୍ୱର ଉତ୍ତୋଳନ କରୁଛୁ। କିନ୍ତୁ ଘରେ ବାହାରେ ସବୁଠି ନାରୀଙ୍କ ପ୍ରତି ପୁରୁଷଙ୍କ ଏକ ଭିନ୍ନ ଧାରଣା ରହିଛି। ସିଦ୍ଧାନ୍ତ ମହାପାତ୍ର କହିଲେ, ପରିବାର ଓ ସମାଜରେ ନାରୀର ଭୂମିକା ଓ ସହଭାଗିତା ରହିଛି ଏବଂ ରହିଥିବ ମଧ୍ୟ। ପୂର୍ବରୁ ନାରୀମାନେ ଉଦ୍ୟୋଗୀ ଥିଲେ, ଏବେ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ଉଦ୍ୟୋଗୀ ହୋଇ ରହିବେ। ନାରୀମାନଙ୍କ ପ୍ରତି ପୁରୁଷମାନଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଡା. ଷଡ଼ଙ୍ଗୀ କହିଲେ, ନାରୀମାନେ ପୁରୁଷଙ୍କଠାରୁ କୌଣସି କ୍ଷେତ୍ରରେ କମ୍‍ ନୁହନ୍ତି। ନାରୀମାନଙ୍କ ପ୍ରତିଭାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଜଣେ ନାରୀ ଚାହିଲେ, ସାଧନାର ଶିଖରକୁ ଛୁଇଁ ପାରିବ। ତେବେ ପୁରୁଷ ଓ ନାରୀ ମଧ୍ୟରେ ଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପଡ଼ିବ ବୋଲି ଡା. ଷଡ଼ଙ୍ଗୀ କହିଥିଲେ। ଜଣେ ନାରୀ ମଧ୍ୟ ପୁରୁଷଙ୍କ ଭଳି ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ପୂରବୀ ଦାସ କହିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କୁ ନେଇ ପ୍ରକାଶ ପାଇଥିବା କାଦମ୍ବିନୀର ସଦ୍ୟତମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ମହିଳା ଉଦ୍ୟୋଗୀ ଲୁମିନସ ଇନ୍‍ଫୋୱେଜ୍‍ର ସଭାପତି ଜୟଶ୍ରୀ ମହାନ୍ତି, ପ୍ରେସିଡେନ୍ସି ହୋଟେଲ୍‍ର ପରିଚାଳନା ନିର୍ଦ୍ଦେଶିକା ବନ୍ଦନା ମହାନ୍ତି, ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ, ନେକ୍‍ସସ୍‍ ପାୱାରର ଯୁଗ୍ମ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଶିତା ବଳିଆର ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର