ଲୁଟେରାଙ୍କୁ କାବୁ କଲେ ମହିଳା: ରୋଲ୍ ମଡ଼େଲ ଆଖ୍ୟା ଦେ‌ଲେ ପୁଲିସ କମିସନର

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ମଳୟ ବିହାର କଲୋନିର ମହିଳା ଅଭିଜିତା ମହାପାତ୍ର ଆଜି ଜଣେ ଚେନ୍‌ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ତାଙ୍କର ଏହି ସାହସିକତା ପାଇଁ ଖୋଦ୍‌ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ତାଙ୍କୁ ସମ୍ବର୍ଧିତ କରିଛନ୍ତି। ଅପରାହ୍‌ଣରେ ପୁଲିସ କମିସନର୍‌‌ କାର୍ଯ୍ୟାଳୟରେ ଅଭିଜିତାଙ୍କୁ ନଗଦ ୫ ହଜାର ଟଙ୍କା ସହ ପ୍ରଶଂସାପତ୍ର ଓ ମୋମେ‌ଣ୍ଟୋ ପ୍ରଦାନ କରିଛନ୍ତି କମିସନର୍‌ ଶ୍ରୀ ମହାନ୍ତି। ଏହି ଅବସରରେ ଅଭିଜିତାଙ୍କୁ ରୋଲ୍‌ ମଡେଲ୍‌ର ଆଖ୍ୟା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କୁ ସାହସ ଯୋଗାଇବ। ଲୁଟେରାମାନେ ଅନେକ ସମୟରେ ଦୁର୍ବଳ ଥାଆନ୍ତି। କିନ୍ତୁ କେବଳ ଭୟରେ ମହିଳାମାନେ ତାଙ୍କର ମୁକାବିଲା କରିପାରନ୍ତି ନାହିଁ। ଏଭଳି ଘଟଣା ଲୁଟେରାଙ୍କ ମନୋବଳ ମଧ୍ୟ ଦୁର୍ବଳ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଅଭିଜିତା ନିଜ ଝିଅକୁ ଆଣିବା ପାଇଁ ସ୍କୁଲ ଯାଉଥିଲେ। ଘର ପାଖରୁ କିଛି ଦୂରରେ ବାଇକ୍‌ରେ ଆସୁଥିବା ଦୁଇଜଣ ଯୁବକ ଠିକଣା ପଚାରିବା ବାହାନାରେ ତାଙ୍କ ବେକରୁ ସୁନା ଚେନ୍‌ ଛିନ୍‌ତାଇ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚେନ୍‌ ଛିଣ୍ଡାଇବା ପାଇଁ ଚେଷ୍ଟା କରୁଥିବା ଯୁବକର ହାତକୁ ଅଭିଜିତା ଭିଡ଼ି ଦେବାରୁ ସେ ତଳେ ପଡ଼ି ଯାଇଥିଲା। ଅଭିଯୁକ୍ତଜଣଙ୍କ ପୁଣିଥରେ ଚେନ୍‌ ଝାମ୍ପିବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ତାକୁ ମାଡ଼ି ବସି ଜୋର୍‌ରେ ପାଟି କରିଥିଲେ। ଏହା ଦେଖି ବାଇକ୍‌ରେ ବସିଥିବା ଅନ୍ୟ ଦୁର୍ବୃତ୍ତଜଣଙ୍କ ସେଠାରୁ ଦ୍ରୁତ ଗତିରେ ଖସି ପଳାଇଥିଲା। ଅପରପକ୍ଷେ ଅଭିଜିତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଅଭିଯୁକ୍ତକୁ କାବୁ କରି ମଞ୍ଚେଶ୍ବର ଥାନା ପୁଲିସର ଜିମା ଦେଇଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଜଣଙ୍କ ହେଲା, ସୋମନାଥ ଦାସ। ଘର ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି। ଏହାସହ ତା’ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର