‘ମୋ ବସ୍’ ନେଲା ଆଉ ଗୋଟିଏ ଜୀବନ

ଦୁର୍ଘଟଣାରେ ମହିଳା ମୃତ, ଯୁବତୀଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ବର: ‘ମୋ ବସ୍‌’ ସେବା ରାଜ୍ୟ ସରକାରଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ପ୍ରତ୍ୟେକ ଦିନ ଟ୍ବିଟର ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ସେବାକୁ ପରିଚାଳନା କରୁଥିବା ‘କ୍ରୁଟ୍‌’ ନିଜର ପ୍ରଚାର କରୁଛି। ବିଭିନ୍ନ ସମୟରେ ରାଜ୍ୟ ବାହାରୁ ଉଲ୍ଲେଖନୀୟ ସେବା ପାଇଁ କ୍ରୁଟ୍‌ର ବରିଷ୍ଠ ଅଧିକାରୀ ପ୍ରଶଂସାପତ୍ର ଗୋଟାଉଛନ୍ତି। ହେଲେ ଏଠି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଚାଳକମାନେ ବାରମ୍ବାର ଦୁର୍ଘଟଣା ଘଟାଉଥିବା ବେଳେ କର୍ମଚାରୀମାନେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ ଦୁର୍ଘଟଣାରେ ଜଣେ ମହିଳାଙ୍କର ଜୀବନ ଯାଇଥିବା ବେଳେ ଜଣେ ଯୁବତୀ କର୍ମଚାରୀଙ୍କ ଦୁର୍ବ୍ୟବହାର ଶିକାର ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ୬ ମାସ ତଳେ ‘ମୋ ବସ୍‌’ ଧକ୍କାରେ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା।

ଆଜି ଶତାବ୍ଦୀନଗରରେ ମୋ ବସ୍ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଆଉ ଏକ ଘଟଣାର କଣ୍ଡକ୍ଟରଙ୍କୁ ଯୁବତୀ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିବା ଯୁବତୀ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ଖଣ୍ଡଗିରି ପିପିଏଲ୍ କଲୋନିରେ ରହୁଥିବା ଜୟଶ୍ରୀ ଦାନି ଆଜି ପୂର୍ବାହ୍ନ ୧୦ଟା ବେଳେ ସ୍କୁଟି ନେଇ ଘରକୁ ଯାଉଥିବା ବେଳେ ଶତାବ୍ଦୀନଗର ନିକଟରେ ମୋ ବସ୍(ଓଡି ୩୩ୟୁ ୭୩୬୭) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଜୟଶ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲେ ହେଁ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ସ୍ବାମୀ କେଦାର ଚରଣ ଦାନି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ଚିନ୍ତାଜନକ ବିଷୟ ହେଉଛି ଯେ, ଜୟଶ୍ରୀଙ୍କୁ ଧକ୍କା ଦେଇଥିବା ମୋ’ ବସ୍ ଗତକାଲି ମଧ୍ୟ ରାଜଧାନୀରେ ବେପାରୱା ଗାଡ଼ି ଚାଳନା କରି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ। ଯୁବକ ସେଠାରେ ପଡ଼ିଥିଲେ ହେଁ, ମୋ ବସ୍‌ ସେଠାରୁ ଖସି ପଳାଇ ଆସିଥିଲା। ଆଜିର ଘଟଣା ପରେ ଖଣ୍ଡଗିରି ଥାନା ପୁଲିସ ବସ୍ କର୍ମଚାରୀ ପରେଶ ସେଠୀ ଥାନାରେ ଅଟକ ରଖିବା ସହିତ ବସ୍ ଜବତ କରିଥିବା ଜଣାପଡ଼ିଛି। ଅପରପଟ ଏହି ଘଟଣା ରାଜଧାନୀରେ ନୂଆ ନୁହେଁ, ବରଂ ଗତ ୫ ମାସ ମଧ୍ୟରେ ରାଜଧାନୀରେ ବିଭିନ୍ନ ଥାନାରେ ପ୍ରାୟ ୧୦ରୁ ଅଧିକ ଥର ମୋ ବସ୍ ବେପରୱା ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଦୁଇଟି ମୁଣ୍ଡ ଗଡ଼ିସାରିଲାଣି।

ସେହିଭଳି ଆଜିର ଦ୍ବିତୀୟ ଅଘଟଣ ଜୟଦେବବିହାର ନିକଟରେ ଘଟିଛି। ଅଭିଯୋଗ ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦେବର୍ପିତା ମହାନ୍ତି ଜୟଦେବ ବିହାର ଛକରୁ ଇସ୍କନ୍ ମନ୍ଦିର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ମୋ ବସ୍‌(ଓଡି ୩୩ଭି ୫୪୩୧)ରେ ଚଢ଼ିବା ପରେ ସେ କଣ୍ଡକ୍ଟର୍‌ଙ୍କୁ ଟିକେଟ୍ ବାବଦକୁ ୨୦ ଟଙ୍କା ଦେଇଥିଲେ। କଣ୍ଡକ୍ଟର୍ ନୀଳକଣ୍ଠ ଦାଶ ଉକ୍ତ ରୁଟ୍‌ ପାଇଁ ୫ଟଙ୍କାର ଟିକେଟ୍ କାଟି ୧୦ ଟଙ୍କା ଫେରସ୍ତ କରିଥିଲେ। ଦେବର୍ପିତା ଆଉ ୫ଟଙ୍କା ଫେରସ୍ତ ମାଗିବାରୁ ନୀଳକଣ୍ଠ ପାଖରେ ଟଙ୍କା ନଥିବା କହିଥିଲେ। ପରେ ନାବାର୍ଡ ବ୍ୟାଙ୍କ୍ ପାଖରେ ବସ୍ ଅଟକିବା ସମୟରେ ଜଣେ ମହିଳା କଣ୍ଡକ୍ଟରଙ୍କୁ ଟିକେଟ୍ ବାବଦକୁ ୫ଟଙ୍କା ଦେଇଥିଲେ।

ଏହି ସମୟରେ ଦେବର୍ପିତା ତାଙ୍କୁ ଉକ୍ତ ୫ଟଙ୍କା ଫେରସ୍ତ ମାଗିଥିଲେ। ଏହି ସମୟରେ ବସ୍ କଣ୍ଡକ୍ଟର ନୀଳକଣ୍ଠ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଟଙ୍କା ନାହିଁ ବୋଲି କହିବା ସହିତ ଏହିଠାରୁ ଓହ୍ଲାଇ ଯିବାକୁ କହିଥିଲେ। ଦେବର୍ପିତା ବିରୋଧ କରିବାରୁ କଣ୍ଡକ୍ଟର୍ ତାଙ୍କ ଦୁର୍ବ୍ୟବହାର କରିବା ସହିତ ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ହେବନାହିଁ ବୋଲି କହିଥିଲେ। ଦେବର୍ପିତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ କଣ୍ଡକ୍ଟର ନୀଳକଣ୍ଠଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର