ବଜ୍ରପାତରେ ଯୁବତୀ ମୃତ

ବାଲିପାଟଣା: ବାହାଘର ପାଇଁ ବର ଖୋଜା ସରିଥିଲା। କିଛି ଦିନ ପରେ ନିର୍ବନ୍ଧ ହୋଇଥା’ନ୍ତା ଓ ଆସନ୍ତା ମେ’‌ରେ ହାତକୁ ଦୁଇହାତ ହାଇଥାଆନ୍ତେ। କିନ୍ତୁ ଦଇବ ସହିଲାନି। ଜୀବନ ନେଇଗଲା ବଜ୍ରପାତ। ରଘୁଆଗୋରଡ଼ା (କୋଇଲିପଡ଼ା) ଗ୍ରାମର ସନ୍ତୋଷ ବେହେରାଙ୍କ ଝିଅ ରଶ୍ମିତା ବେହେରା (୨୬)ଙ୍କ ଆଜି ବଜ୍ରପାତରେ ମୃତ୍ୟୁ ଘଟିଛି। କ୍ଷେତକୁ ମୁଗ ଆଣିବାକୁ ଯାଇଥିବା ବେଳେ ସେ ଏହି ଦୈବୀ ଦୁର୍ବିପାକର ଶିକାର ହୋଇଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସୂଚନାନୁସାରେ, ରଶ୍ମିତା ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ବିଲକୁ ମୁଗ ଆଣିବାକୁ ଯାଇଥିଲେ। ମୁଗ ଗୋଛା ମୁଣ୍ଡେଇ ଫେରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ସେ ବିଲରେ ଟଳି ପଡ଼ିଥିଲେ। ରଶ୍ମିତାଙ୍କ ଶରୀରର କିଛି ଅଂଶ ଜଳି ଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ଆଇ ରାକେଶ କୁମାର ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର