ଭୁବନେଶ୍ୱର: ଗତ ୧ ତାରିଖ ଦିନ ପୋଲ ଉପରୁ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଜଣଙ୍କ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଡାକ୍ତର ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୀର୍ଘ ୭୨ଘଣ୍ଟା ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ପଡ଼ିଥିବା ଏହି ମହିଳାଙ୍କର ଚେତା ନ ଫେରିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ। ମଞ୍ଚେଶ୍ବର ଥାନା ପୁଲିସ ହାଇଟେକ୍ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି। ରାଜ୍ୟର ବିଭିନ୍ନ ଥାନାକୁ ମହିଳାଙ୍କର ଫଟୋ ସହ ବିବରଣୀ ପଠା ଯାଇଛି। କେତେକ ନିଖୋଜ ମାମଲାକୁ ମଧ୍ୟ ଯାଞ୍ଚ କରାଯାଉଛି। ପରିଚୟ ମିଳିଲେ ତାଙ୍କର ମୃତ୍ୟୁ ରହସ୍ୟ ଖୋଲିବ ବୋଲି ପୁଲିସ କହିଛି। ୧ ତାରିଖ ଅପରାହ୍ଣ ସାଢ଼େ ୩ଟା ବେଳେ ମହିଳାଜଣଙ୍କ ପୋଲ ଉପରୁ ପାଖାପାଖି ୩୦ଫୁଟ ତଳକୁ ଡେଇଁ ପଡ଼ିବାରୁ ତାଙ୍କ ଗୋଡ଼ ଓ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ତାଙ୍କୁ ଉଦ୍ଧାର କରି ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
କୁଆଖାଇ ପୋଲରୁ ଡେଇଁଥିବା ମହିଳାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/11/DEAD_Nov27-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)